ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଦେଶରେ ବାଘ ଏବଂ କୁକୁରଙ୍କ ଶରୀରରେ କୋଭିଡ ୧୯ ଭାଇରସ ସଂକ୍ରମଣ ଖବର ପ୍ରସାରଣ ପରେ ଏବେ ପଶୁପକ୍ଷୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହେଲାଣି ।
ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏବେ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଚିଡିଆଖାନା ଚିନ୍ତା ଘାରିଛି। ଚିଡ଼ିଆଖାନାରେ ଥିବା ପଶୁପକ୍ଷୀ , ଜୀବଜନ୍ତୁ ଯେପରି କୋଭିଡ ୧୯ ଭାଇରସର ଶିକାର ନ ହୁଅନ୍ତି, ସେଥିଲାଗି ଉଦ୍ୟମ ଚାଲିଛି। ପ୍ରତିଦିନ ଜୁ ଏରିଆରେ ଏକ ଆଣ୍ଟି ଭାଇରସ୍ ମେଡ଼ିସିନ ସିଞ୍ଚନ କରାଯିବା ସହ କିଭଳି ସଂକ୍ରମଣ ନ ବ୍ୟାପିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି।
କରୋନା ବ୍ୟାପିବା ଆଶଙ୍କାରେ ପୂର୍ବରୁ ରାଜ୍ୟର ସବୁ ଚିଡ଼ିଆଖାନାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଏବେ ବିଦେଶରେ ବାଘଙ୍କୁ କରୋନା ହେବା ସ୍ପଷ୍ଟ ହେବା ପରେ ରାଉରକେଲା ଚିଡିଆଖାନାରେ ମେଡ଼ିସିନ୍ ସ୍ପ୍ରେ କରାଯାଇ ସାନିଟାଇଜ୍ କରାଯାଉଛି। ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ଚିଡିଆଖାନା କର୍ତ୍ତୃପକ୍ଷ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।