ରାୟଗଡ଼ାରେ କରୋନା ଟିକା ଜାଲିଆତି!
ରାୟଗଡ଼ା (ମନୋଜ କୁମାର ପାତ୍ର): କରୋନା ଟିକା ମାର୍କେଟକୁ ଆସିନାହିଁ। ଏବେ କେବଳ କରୋନା ଯୋଦ୍ଧା ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ସତର୍କତାମୂଳକ ପନ୍ଥା ଅବଲମ୍ୱନ କରାଯାଇଛି। ଏହା ସତ୍ତ୍ୱେ କରୋନା ଟିକାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି। ଏନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ଜେକେ ଇଏସ୍ଆଇ ହସ୍ପିଟାଲ୍ରେ କୋଭିଡ୍ ସେଣ୍ଟର ଖୋଲା ଯାଇଥିଲା। ସେହି କର୍ମଚାରୀଙ୍କୁ ଗତ ୬ ତାରିଖରେ କରୋନା ଟିକା ଦିଆଯାଇଥିଲା। ହେଲେ ଜେକେ କାଗଜ କାଳର କେତେକ ଅଧିକାରୀ ଓ କର୍ମଚାରୀ କୋଭିଡ୍ ଯୋର୍ଦ୍ଧା ଦର୍ଶାଇ ଟିକା ନେଇଥିବା ଅଭିଯୋଗ ହୋଇଥିଲା। ଏପରିକି ଏ ସମ୍ପର୍କିତ ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଟିକା ଅଧିକାରୀଙ୍କୁ ଦିଆଯାଇଥିଲା।
ଏହି ଜାଲିଆତି ଜଣାପଡ଼ିବା ପରେ ଯୁବ ବିକାଶ ପରିଷଦ ଓ ଯୁବ କଂଗ୍ରେସ ଏନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚାନ୍ଦିଲି ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ ଏତଲା ଗ୍ରହଣ କରିବା ସହ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି କାଗଜକଳର କର୍ମଚାରୀମାନେ ଟିକା କେମିତି ନେଲେ? ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି? ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।