ପୁଣି ଡରାଇଲାଣି କରୋନା, ସବୁଠି ହାଇଆଲର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି କରୋନା ଗ୍ରାଫ ତଳମୁହାଁ ହେବା ପରେ ସମସ୍ତଙ୍କ ମନରେ ଆଶ୍ୱସ୍ତି ଦେଖିବାକୁ ମିଳିଥିଲା। କିନ୍ତୁ ଏଇ କିଛି ଦିନ ହେବ କରୋନା ଗ୍ରାଫ୍ ଉପରକୁ ଉଠିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପୁଣିଥରେ ଭୟ ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀର ନୂଆ ସଂକ୍ରମଣକୁ କିପରି ରୋକି ହେବ, ସେଇ ତତ୍ପରତା ଦେଖାଇଲେଣି। କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କେନ୍ଦ୍ର […]

corona11

Ranjit Kumar Jena
  • Published: Friday, 26 February 2021
  • , Updated: 26 February 2021, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି କରୋନା ଗ୍ରାଫ ତଳମୁହାଁ ହେବା ପରେ ସମସ୍ତଙ୍କ ମନରେ ଆଶ୍ୱସ୍ତି ଦେଖିବାକୁ ମିଳିଥିଲା। କିନ୍ତୁ ଏଇ କିଛି ଦିନ ହେବ କରୋନା ଗ୍ରାଫ୍ ଉପରକୁ ଉଠିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପୁଣିଥରେ ଭୟ ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀର ନୂଆ ସଂକ୍ରମଣକୁ କିପରି ରୋକି ହେବ, ସେଇ ତତ୍ପରତା ଦେଖାଇଲେଣି।

କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ଅଧିକ ପ୍ରଭାବିତ ହୋଇଥିବା ୧୨ଟି ରାଜ୍ୟ ଉପରେ ନଜର ରଖିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଏୟାରପୋର୍ଟ ଓ ରେଲୱେ ଷ୍ଟେସନକୁ ଅଧିକ ଲୋକ ଆସୁଥିବାରୁ ସେଠାରେ ଏବେ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଯଦି ଆମେ କରୋନା ଗ୍ରାଫକୁ ଦେଖିବା, ତାହେଲେ ଗତ ୨୨ ତାରିଖରେ ରାଜ୍ୟରେ ୬୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୨୩ରେ ଏହି ସଂଖ୍ୟା ୬୮ ଥିବା ବେଳେ ୨୪ରେ ୮୯ ଆକ୍ରାନ୍ତ ଏବଂ ୨୫ ତାରିଖରେ ୯୪ରେ ପହଞ୍ଚିଛି ସଂଖ୍ୟା। ଏଥିରୁ ରାଜ୍ୟରେ କରୋନା ପୁଣି କାୟା ବିସ୍ତାର କରୁଥିବା ଆଭାସ ମିଳୁଛି। ତେବେ ସଂକ୍ରମଣ ରୋକିବାକୁ ଏବେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର।

ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଚାବ, ଚଣ୍ଡୀଗଡ଼ ଓ ଦିଲ୍ଲୀରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ବିମାନବନ୍ଦର ଓ ଷ୍ଟେସନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଯେଉଁ ଯାତ୍ରୀଙ୍କ ପାଖରେ କିଛି ବି ଲକ୍ଷଣ ପରିଲକ୍ଷିତ ହେଉଛି, ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖିବାକୁ ବ୍ୟବସ୍ଥା କରାଯାଇଛି। ତେବେ ବସ୍, କାର ଓ ଅନ୍ୟ ଯାନରେ ଆସୁଥିବା ଯାତ୍ରୀଙ୍କର କିଭଳି ଯାଞ୍ଚ କରାଯିବ ତାହା ଚିନ୍ତା ବଢାଇଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ବଢି ଚାଲିଥିବା ଦେଖି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରେ ୬୦ ବର୍ଷରୁ ଅଧିକ ଓ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କୁ ମାର୍ଚ୍ଚ ପହିଲାରୁ ଟିକା ଦିଆଯିବ। ଟିକାକରଣ କେନ୍ଦ୍ର ସହ ଘରୋଇ ହସ୍ପିଟାଲରେ ବି ଟିକା ଉପଲବ୍ଧ ହେବ। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ରାଜ୍ୟର ୧୮୩ଟି ବେସରକାରୀ ହସ୍ପିଟାଲକୁ ସ୍ୱୀକୃତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ ରହିଛି। ଏପରିକି ମହାରାଷ୍ଟ୍ରର କିଛି ସ୍ଥାନରେ ନାଇଟ୍ କର୍ଫ୍ୟୁ ମଧ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏପଟେ ଭୂତାଣୁର ନୂଆ ଷ୍ଟ୍ରେନ ଯୋଗୁଁ ସଂକ୍ରମଣ ବଢୁଛି ନା ଲୋକେ ନିୟମ ନମାନିବାରୁ କରୋନା ପ୍ରତ୍ୟାବର୍ତ୍ତନ କରିଛି, ତାହା ସ୍ପଷ୍ଟ ହୋଇନି। ତେବେ ସ୍ଥିତି ନିୟନ୍ତ୍ରଣ ଲାଗି ପୁଣି ସେଇ ସାମାଜିକ ଦୂରତ୍ୱ, ଯାଞ୍ଜ, ଚିହ୍ନଟ, କ୍ୱାରେଣ୍ଟିନ ଓ ଚିକିତ୍ସା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଇଛନ୍ତି।

Related story