କେନ୍ଦୁଝର (ପ୍ରଣୟ କୁମାର ପାଣି): ଗାଁ ମୁଣ୍ଡରେ ଛିଡ଼ା ହୋଇଛନ୍ତି ଜଣେ ମହିଳା। ଆଉ ହାତରେ ଧରିଛନ୍ତି ବାଲ୍ତି ଓ ମଗ୍। ହାବ ଭାବରୁ ଜଣାପଡ଼ୁଛି, ସେ କାହାକୁ ଅପେକ୍ଷା କରିଛନ୍ତି। ହଁ ଆଜ୍ଞା, ସେ ଅପେକ୍ଷା କରିଛନ୍ତି ବାହାରୁ ଆସୁଥିବା ଆଗନ୍ତୁକଙ୍କ ପାଇଁ। ଯଦି କୌଣସି ବ୍ୟକ୍ତି ଗାଁକୁ ଆସିବାକୁ ଚାହୁଁଛନ୍ତି, ସମ୍ପୃକ୍ତ ମହିଳା କଞ୍ଚା ହଳଦୀ ପାଣିରେ ଆଗନ୍ତୁକଙ୍କ ହାତ ଓ ଗୋଡ଼ ଧୁଆଇ ଦେବେ? ତା’ପରେ ମାସ୍କ ପିନ୍ଧାଇ ଗାଁ ଭିତରକୁ ଯିବାକୁ ଅନୁମତି ଦେବେ। କିନ୍ତୁ ସେମାନଙ୍କୁ ଗାଁରେ ବେଶୀ ସମୟ ରହିବାକୁ ଦିଆଯିବ ନାହିଁ। କାମ ସାରି ଶୀଘ୍ର ଫେରିଯିବାକୁ ପରାମର୍ଶ ଦିଆଯାଉଛି। ବୋଧହୁଏ ଲୋକଙ୍କ ଏପରି ଉଦ୍ୟମ ଯୋଗୁ ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଗାଁ ଲୋକଙ୍କୁ ସ୍ପର୍ଶ କରିପାରି ନାହିଁ। ଏପରି ଦୁଇଟି ଗାଁ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗେନାସିକା ପଞ୍ଚାୟତର କଦଳୀ ବାଡ଼ି ଓ ଉପର ବୈତରଣୀ। ଗାଁ ଲୋକଙ୍କ କଠୋର ଅନୁଶାସନ ଯୋଗୁ ଏହା ସମ୍ଭବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗେନାସିକା ପଞ୍ଚାୟତର କଦଳୀ ବାଡ଼ି ଓ ଉପର ବୈତରଣୀ ଗାଁ। ଏଠାରେ ୩୦୦ରୁ ଅଧିକ ଲୋକ ବାସ କରନ୍ତି। ସେମାନେ ସମସ୍ତେ ପ୍ରାୟତଃ ଜୁଆଙ୍ଗ ସମ୍ପ୍ରଦାୟର। ଜଙ୍ଗଲରେ ପୋଡୁ ଚାଷ କରି ପରିବାର ଭରଣପୋଷଣ କରନ୍ତି। ମହାମାରୀ କରୋନା ଆରମ୍ଭ ହେଲାଠାରୁ କୌଣସି ଲୋକ ଗାଁ ବାହାରକୁ ଯାଇନାହିଁ। ଏପରିକି ହାଟବାଟ କରିବାକୁ ଯାଉ ନାହାନ୍ତି। ଜଙ୍ଗଲ ଜାତ ଦ୍ରବ୍ୟକୁ ରାନ୍ଧି ଖାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମାସ୍କ ପିନ୍ଧି ଗାଁ ପାଖ ଦୋକାନକୁ ଯାଇଛନ୍ତି। ଫେରିଲା ବେଳେ କଞ୍ଚା ହଳଦୀ ପାଣିରେ ହାତ ଓ ଗୋଡ଼ ଧୋଉଛନ୍ତୁ।
ଉପର ବୈତରଣୀ ଗାଁରେ ପ୍ରବେଶ ଉପରେ କଟକଣା ରହିଛି। ସେଥିପାଇଁ ଦିନ ରାତି ଗାଁ ମୁଣ୍ଡରେ ଲୋକମାନେ ପାଳି କରି ଜଗୁଛନ୍ତି। ଯଦି କୌଣସି ବ୍ୟକ୍ତି ଗାଁକୁ ଆସିବା ପାଇଁ ଚାହିଁବେ, ତାହାହେଲେ ସେମାନଙ୍କ ହାତ ଓ ଗୋଡ଼ ହଳଦୀ ପାଣିରେ ଧୋଇବାକୁ ପଡ଼ିବ। ଏହାଛଡ଼ା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ବାହାରୁ ଆସୁଥିବା ଲୋକଙ୍କୁ ଗାଁରେ ବେଶୀ ସମୟ ରହିବାକୁ ଅନୁମତି ଦିଆଯିବ ନାହିଁ।
ଗାଁ ଲୋକଙ୍କ ଏପରି ଉଦ୍ୟମ ଯୋଗୁ ଆଜି ପର୍ଯ୍ୟନ୍ତ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପ୍ରବେଶ କରିପାରି ନାହିଁ। ଆଜି ପର୍ଯ୍ୟନ୍ତ ଗାଁରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ଗାଁକୁ କରୋନା ନପଶିବାର ଆଉ ଏକ କାରଣ ହେଉଛି, ସରକାରଙ୍କ ନିୟମ ମାନି ଲୋକମାନେ ମାସ୍କ ପିନ୍ଧୁଛନ୍ତି। ଘରେ ରହିଲେ କିମ୍ୱା ଜଙ୍ଗଲକୁ ଗଲା ବେଳେ ମାସ୍କ ପିନ୍ଧି ଯାଉଛନ୍ତି। ଏହି ଗାଁର ଲୋକମାନେ ସାନିଟାଇଜର ବଦଳରେ କଞ୍ଚା ହଳଦୀର ପାଣି ବ୍ୟବହାର କରୁଛନ୍ତି। ସେମାନଙ୍କ ମତରେ ଗାଁରେ ସାନିଟାଇଜର କେଉଁଠୁ ଆସିବ? କଞ୍ଚା ହଳଦୀରେ ବହୁ ଔଷଧ ଗୁଣ ରହିଛି। ତେଣୁ ସାନିଟାଇଜର ବଦଳରେ କଞ୍ଚା ହଳଦୀ ପାଣି ବ୍ୟବହାର କରୁଛନ୍ତି ବୋଲି ଗାଁ ଲୋକ କହୁଛନ୍ତି।
ଗାଁ ଜଣେ ମହିଳା ନିତୀ ଜୁଆଙ୍ଗ କହିଛନ୍ତି-“କରୋନା ଆରମ୍ଭ ହେଲାଠାରୁ ଆମ ଗାଁର ଲୋକମାନେ ହାଟକୁ ଯାଉନାହାନ୍ତି। ଜଙ୍ଗଲରେ ପୋଡୁ ଚାଷ କରି ଚଳୁଛୁ। ସେଥିପାଇଁ ଆମ ଗାଁରେ କାହାରିକୁ କରୋନା ହୋଇନାହିଁ। ବାହାର ଲୋକଙ୍କୁ ଗାଁରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଯଦି କୌଣସି ଲୋକ ଆସିଲା, ତାହାହେଲେ ସେ ଅଲଗା ରହୁଛନ୍ତି।”
ଗାଁର ଜଣେ ଯୁବକ ଯୁଧିଷ୍ଠୀର ଜୁଆଙ୍ଗ କହିଛନ୍ତି-“ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଯଦି କୌଣସି ବ୍ୟକ୍ତି ଗାଁକୁ ଆସିବାକୁ ଚାହିଁବ, ତାହାହେଲେ କଞ୍ଚା ହଳଦୀର ପାଣିରେ ହାତ ଗୋଡ଼ ଧୋଆଇ ପ୍ରବେଶ କରିବାକୁ ଦିଆଯାଉଛି। ତାଙ୍କୁ ଅଲଗା ରହିବାକୁ ପରାମର୍ଶ ଦିଆଯାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।