ପ୍ରଶଂସା ଯୋଗାଡ଼ ଛାଡ଼ି କରୋନା ପରିଚାଳନା ତ୍ରୁଟି ସୁଧାରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଗୁଆ ବାହାବା ନେବା ଗୁଣ ଯୋଗୁ ଓଡ଼ିଶା ଆଜି ତା’ର ପ୍ରତିଫଳ ଭୋଗୁଛି। ରାଜ୍ୟ ସରକାର ପ୍ରଶଂସା ଯୋଗାଡ଼ ଛାଡ଼ି କେନ୍ଦ୍ର ସରକାରଙ୍କ ପରାମର୍ଶକୁ ମାନି କରୋନା ପରିଚାଳନା ତ୍ରୁଟି ସୁଧାରନ୍ତୁ ବୋଲି ବିଜେପି କହିଛି। କରୋନା ପରିଚାଳନା ଆରମ୍ଭରୁ ଓଡ଼ିଶାର ମଡେଲ୍ ଏକ ନମ୍ବର କହି ନିଜ ପିଠି ଥାପୁଡ଼ାଉଥିବା ରାଜ୍ୟ ସରକାର ନିଜର ମୁଖପାତ୍ର ଓ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁନେଲି ଚିତ୍ର […]

lekhashree

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଗୁଆ ବାହାବା ନେବା ଗୁଣ ଯୋଗୁ ଓଡ଼ିଶା ଆଜି ତା’ର ପ୍ରତିଫଳ ଭୋଗୁଛି। ରାଜ୍ୟ ସରକାର ପ୍ରଶଂସା ଯୋଗାଡ଼ ଛାଡ଼ି କେନ୍ଦ୍ର ସରକାରଙ୍କ ପରାମର୍ଶକୁ ମାନି କରୋନା ପରିଚାଳନା ତ୍ରୁଟି ସୁଧାରନ୍ତୁ ବୋଲି ବିଜେପି କହିଛି। କରୋନା ପରିଚାଳନା ଆରମ୍ଭରୁ ଓଡ଼ିଶାର ମଡେଲ୍ ଏକ ନମ୍ବର କହି ନିଜ ପିଠି ଥାପୁଡ଼ାଉଥିବା ରାଜ୍ୟ ସରକାର ନିଜର ମୁଖପାତ୍ର ଓ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁନେଲି ଚିତ୍ର ଦେଖାଉଛନ୍ତି, କିନ୍ତୁ ରାଜ୍ୟରେ ବାସ୍ତବିକ ଚିତ୍ର ଚିନ୍ତାଜନକ ହୋଇପଡ଼ିଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଜ୍ୟ ସରକାରଙ୍କ କରୋନା ପରିଚାଳନାଗତ ତ୍ରୁଟିକୁ କଡ଼ା ଭାଷାରେ ସମାଲୋଚନା କରି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କରୋନା ପରିଚାଳନା ମଡେଲକୁ ଷ୍ଟେନଫୋର୍ଡ କେତେବେଳେ କେସଷ୍ଟଡି କରୁଛି ତ ଅକ୍ସଫୋର୍ଡରୁ ବାହାବା ନେଉଛନ୍ତି। ଆଉ କେଉଁ ସଂସ୍ଥାରୁ ପ୍ରଶଂସା ଯୋଗାଡ଼ିବା କାର୍ଯ୍ୟରେ ସରକାର ଅଛନ୍ତି। ତେବେ ରାଜ୍ୟରେ କରୋନା ମୁକାବିଲା ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ ଭାରତ ସରକାରଙ୍କ କ୍ୟାବିନେଟ ସଚିବ କରୋନା ମୃତ୍ୟୁ ଓ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିଥିଲେ। ଓଡ଼ିଶାର କୋଭିଡ୍ ପରିଚାଳନା ବ୍ୟବସ୍ଥାରେ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରି ଆବଶ୍ୟକ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ସ୍ଥିତିକୁ ନିୟନ୍ତ୍ରଣକୁ ନେବାକୁ ପରାମର୍ଶ ଦେଇଛନ୍ତି। ହାଇରିସ୍କ ଅଂଚଳରେ ଅଧିକ ପରୀକ୍ଷା କରିବା, ଟ୍ରେସିଂ ଓ ଟ୍ରିଟମେଣ୍ଟ ଯୋଗାଇବା ସହ କଣ୍ଟେନମେଣ୍ଟ ଜୋନ୍ ଓ ବଫର ଜୋନ୍ ଚିହ୍ନଟ କରି ସଂକ୍ରମିତ ଓ ଅଣସଂକ୍ରମିତଙ୍କ ଦୂରତ୍ୱ ରଖିବା ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କିନ୍ତୁ ରାଜ୍ୟ ସରକାରଙ୍କ ମୁଖପାତ୍ର ଓ ବରିଷ୍ଠ ପ୍ରଶାସନିକ ଅଫିସରମାନେ ରାଜ୍ୟବାସୀଙ୍କୁ ଠିକ୍ ତଥ୍ୟ ନଦେଇ ଓଡ଼ିଶାରେ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ନେଉଛନ୍ତି ତାହା ପର୍ଯ୍ୟାପ୍ତ ବୋଲି କହୁଛନ୍ତି। ବିଭ୍ରାନ୍ତିକର ତଥ୍ୟ ରଖି ଓଡ଼ିଶା ସରକାର ଯେତିକି କରୁଛି ତାହା ସବୁଠୁ ଭଲ ପଦକ୍ଷେପ ବୋଲି କହିବାକୁ ପଛାଉନାହାନ୍ତି। କରୋନା ମୁକାବିଲା ପାଇଁ ଅର୍ଥର ଅଭାବ ରହିବ ନାହିଁ ଓ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେବାକୁ କେନ୍ଦ୍ର ସରକାର ବାରମ୍ବାର କହୁଥିବାବେଳେ ରାଜ୍ୟ ସରକାର ଓଡ଼ିଶାରେ କିଭଳି ସଂକ୍ରମଣ ଓ ମୃତ୍ୟୁ ହ୍ରାସ ପାଇବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଜେପି ପରାମର୍ଶ ଦେଇଛି। ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ପରାମର୍ଶ ମାନିଛନ୍ତି ସେଠାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି। ତେଣୁ କରୋନା ପରିଚାଳନାକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେବା ବନ୍ଦ କରି ଓ ବାହାବା ନେବାରୁ କ୍ଷାନ୍ତ ହୋଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବରିଷ୍ଠ ନାଗରିକ, ବିଭିନ୍ନ ରୋଗ ଥିବା ବ୍ୟକ୍ତି ଟେଷ୍ଟିଂ ବୃଦ୍ଧି ସହ ସଂକ୍ରମିତ ଅଂଚଳରେ ବି ନମୂନା ପରୀକ୍ଷା ଅଧିକ କରିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

Related story