ପୁଣି ସନ୍ଦେହରେ କୋଭିଡ୍ ଖର୍ଚ୍ଚ: ଉଭୟ ରୋଗୀ-ସରକାରଙ୍କୁ ଲୁଟିଛନ୍ତି ହସ୍ପିଟାଲ, ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ରୋଗୀଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇବାର ଶ୍ରେୟ ନେଇଥିବା ବିଜେଡି ସରକାରର କୋଭିଡ୍ ଖର୍ଚ୍ଚକୁ ନେଇ ବିବାଦ ପିଛା ଛାଡ଼ୁନି । କରୋନାର ଦ୍ୱିତୀୟ ଲହରୀରେ ସରକାରଙ୍କ ତାଲିକାଭୁକ୍ତ ଘରୋଇ କୋଭିଡ୍ ହସ୍ପିଟାଲଗୁଡ଼ିକ କୋଭିଡ୍ ରୋଗୀମାନଙ୍କଠୁ ମୋଟା ଅଙ୍କର ଚିକିତ୍ସା ଖର୍ଚ୍ଚ ଲୁଟିଛନ୍ତି । ଆଉ ସରକାରଙ୍କୁ ସମାନ ବିଲ୍ ଧରାଇ ଡବଲ ମୁନାଫା ନେଇଛନ୍ତି। ସମ୍ପୃକ୍ତ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଚିକିତ୍ସା ଖର୍ଚ୍ଚ ସହାୟତା ନେବାକୁ […]

Covid Hospital

Ordigital Desk
  • Published: Wednesday, 09 March 2022
  • , Updated: 09 March 2022, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ରୋଗୀଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇବାର ଶ୍ରେୟ ନେଇଥିବା ବିଜେଡି ସରକାରର କୋଭିଡ୍ ଖର୍ଚ୍ଚକୁ ନେଇ ବିବାଦ ପିଛା ଛାଡ଼ୁନି । କରୋନାର ଦ୍ୱିତୀୟ ଲହରୀରେ ସରକାରଙ୍କ ତାଲିକାଭୁକ୍ତ ଘରୋଇ କୋଭିଡ୍ ହସ୍ପିଟାଲଗୁଡ଼ିକ କୋଭିଡ୍ ରୋଗୀମାନଙ୍କଠୁ ମୋଟା ଅଙ୍କର ଚିକିତ୍ସା ଖର୍ଚ୍ଚ ଲୁଟିଛନ୍ତି । ଆଉ ସରକାରଙ୍କୁ ସମାନ ବିଲ୍ ଧରାଇ ଡବଲ ମୁନାଫା ନେଇଛନ୍ତି। ସମ୍ପୃକ୍ତ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଚିକିତ୍ସା ଖର୍ଚ୍ଚ ସହାୟତା ନେବାକୁ ଆବେଦନ କରିବା ପରେ ସରକାରଙ୍କ ଅକଲଗୁଡ଼ୁମ୍ ହୋଇଛି ଓ ସ୍ୱାସ୍ଥ୍ୟ ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି। ଜିଲ୍ଲାପାଳମାନଙ୍କୁ ଏହି ରୋଗୀମାନଙ୍କ ତାଲିକା ଦେଇ ଉଭୟ ରୋଗୀ ଓ ହସ୍ପିଟାଲଙ୍କୁ କିଛି ଚିକିତ୍ସା ସହାୟତା ମିଳିଛି କି ନାହିଁ ତାହା ଯାଂଚ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଦ୍ୱିତୀୟ ଲହରୀରେ କରୋନା ସଂକ୍ରମିତ ୩୨ଜଣ ରୋଗୀ ରାଜ୍ୟ ସରକାରଙ୍କ ବିଭିନ୍ନ ତାଲିକାଭୁକ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ୨୦୨୧ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ନିଜସ୍ୱ ଖର୍ଚ୍ଚରେ ଏସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସା କରିଥିବା ଏହି ବ୍ୟକ୍ତିମାନେ ନିଜର ଦୁର୍ବଳ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)ରୁ ଏହାର ଭରଣା କରିବାକୁ ଆବେଦନ କରିଛନ୍ତି । କିଛି ରୋଗୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓ ଆଉ କିଛି ବିଧାୟକ ଜିତୁ ମିତ୍ର, ରାଜେନ୍ଦ୍ର କୁମାର ସାହୁ, ସୁଧାଂଶୁ ଶେଖର ପରିଡ଼ା, ସୁରେଶ କୁମାର ରାଉତରାୟ, ଜୟନ୍ତ କୁମାର ଷଡ଼ଙ୍ଗୀ ଆଦିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି । ଚିକିତ୍ସା ସହାୟତା ପାଇଁ ଆବେଦନ କରିଥିବା ରୋଗୀମାନଙ୍କ ଚିକିତ୍ସା ବିଲ୍ ୪୨ହଜାରରୁ ୨୪.୫୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ଗାଁର ସୁକାନ୍ତ ହରିଚନ୍ଦନ କୋଭିଡ୍ ସଂକ୍ରମିତ ହୋଇ ସମ୍ ହସ୍ପିଟାଲରେ ୨୦୨୧ ଜୁନ୍ ୭ରୁ ୧୬ତାରିଖ ମଧ୍ୟରେ ଚିକିତ୍ସିତ ହୋଇଥିବାବେଳେ ତାଙ୍କୁ ସେଠାରେ ୨.୩୦ଲକ୍ଷ ଟଙ୍କା ଚିକିତ୍ସା ବିଲ୍ ଦେବାକୁ ପଡ଼ିଛି । ଆଉ ଅଗଷ୍ଟ ୩ତାରିଖରେ ତାଙ୍କ ପରିବାର ପକ୍ଷରୁ ଏହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପାଇବାକୁ ଆବେଦନ କରାଯାଇଛି । ସେହିପରି ଖୋର୍ଦ୍ଧାର ଜଙ୍କିଆ ଥାନା ଅନ୍ତର୍ଗତ ବୀଣାପାଣି ସାମନ୍ତରାୟ କୋଭିଡ୍ ସଂକ୍ରମିତ ହୋଇ୨୦୨୧ ଜୁଲାଇ ୪ରୁ ୧୭ତାରିଖ ପର୍ଯ୍ୟନ୍ତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨.୭୪ଲକ୍ଷ ଟଙ୍କା ସହାୟତା ପାଇଁ ଆବେଦନ କରିଛନ୍ତି ।

ତେବେ ଏହି ୩୨ଜଣିଆ ତାଲିକାରେ ଥିବା କିଛ ବ୍ୟକ୍ତିଙ୍କ ସହ ‘ଓଡ଼ିଶା ରିପୋର୍ଟର’ ଯୋଗାଯୋଗ କରିଥିଲା । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ପ୍ରିୟଦର୍ଶିନୀ ଦାସ କରୋନା ସଂକ୍ରମିତ ହୋଇ ୨୦୨୧ ଜୁଲାଇ ୧୨ରୁ ୧୭ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ହାଇଟେକ୍ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଆବେଦନ କରିଥିବାବେଳେ ତାଙ୍କ ରଞ୍ଜିତ୍ ଦାସ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ସେ ଅତ୍ୟନ୍ତ ଗରିବ ଲୋକ । ସରକାରଙ୍କ ମାଗଣା କୋଭିଡ୍ ଚିକିତ୍ସା କଥା ଶୁଣିଥିଲେ କିନ୍ତୁ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହେବାପରେ ସେ ହାଇଟେକ୍ ହସ୍ପିଟାଲରେ ୧.୪୭ଲକ୍ଷ ଟଙ୍କା ଦେଇ ପତ୍ନୀଙ୍କ ଚିକିତ୍ସା କରାଇବାକୁ ବାଧ୍ୟ ହୋଇଥିଲେ । ସେ ଗତ ଅଗଷ୍ଟ ମାସରୁ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ଦିଗପହଣ୍ଡି ଅଂଚଳର ଟୁନା ସାହୁ ୨୦୨୧ ଏପ୍ରିଲରେ କରୋନା ସଂକ୍ରମିତ ହେବାପରେ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁସ୍ଥ ହୋଇଛନ୍ତି । ତାଙ୍କ ଭାଇ ସୁକାନ୍ତ ସାହୁ ଏ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେତେବେଳେ ଅକ୍ସିଜେନ ଅଭାବ ଥିଲା, କେଉଁଠି ଆଇସିୟୁ ବେଡ୍ ଫାଙ୍କା ନଥିଲା । ତେଣୁ ଜୀବନ ବିକଳରେ ତାଙ୍କ ଭାଇକୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ୯ଲକ୍ଷ ଟଙ୍କା ଦେଇ ମଧ୍ୟ ସ୍ଥିତିରେ ସୁଧାର ନଆସିବାରୁ କଟକର ଶ୍ରୀମା ହସ୍ପିଟାଲକୁ ନେଇଥିଲେ । ସେଠାରେ ୬ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଦେବାକୁ ପଡ଼ିଥିଲା । ତାଙ୍କ ଭାଇ ଏବେ ସୁସ୍ଥ ଅଛନ୍ତି । ସେ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮.୩୯ଲକ୍ଷ ଟଙ୍କା ପାଇଁ ଆବେଦନ କରିଥିଲେ । ଗତ ୩ମାସ ପୂର୍ବରୁ ମାତ୍ର ୧ଲକ୍ଷ ଟଙ୍କା ମିଳିଛି । ସେହିପରି ଭଦ୍ରକର ସଞ୍ଜୟ ପାତ୍ର ଭୁବନେଶ୍ୱରର ଶ୍ରୀ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ଦେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧.୭୭ଲକ୍ଷ ଟଙ୍କା ପାଇଁ ଆବେଦନ କରିଥିବାବେଳେ ତାଙ୍କୁ ମାତ୍ର ୭୦ହଜାର ଟଙ୍କା ମିଳିଛି ବୋଲି ସେ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି,ସରକାର ରାଜ୍ୟରେ ମାଗଣା କୋଭିଡ୍ ଚିକିତ୍ସା ଯୋଗାଉଥିବାବେଳେ ଏହି ହସ୍ପିଟାଲଗୁଡ଼ିକ ରୋଗୀଙ୍କଠୁ କିପରି ଚିକିତ୍ସା ଖର୍ଚ୍ଚ ନେଇଛନ୍ତି । ଯଦି ହସ୍ପିଟାଲ ଏସବୁ ଅର୍ଥ ନେଇନି ତା’ହେଲେ ରୋଗୀମାନେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏସବୁ ଅର୍ଥ ଦାବି କରୁଛନ୍ତି? ନା’ ସରକାରୀ ପାଣ୍ଠି ହଡ଼ପ କରିବାକୁ ୟା’ ପଛରେ କିଛି ଗୋଟେ ବଡ଼ ର‌୍ୟାକେଟ୍ କାମ କରୁଛି?

ସୂଚନାଯୋଗ୍ୟ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ରାଜ୍ୟ ସରକାର ୨୦୨୧ ଅକ୍ଟୋବର ମାସ ସୁଦ୍ଧା ମୋଟ ୯୧୪.୪୩କୋଟି ଟଙ୍କା ରୋଗୀଙ୍କ ଚିକିତ୍ସା ବାବଦରେ ବିଭିନ୍ନ ହସ୍ପିଟାଲକୁ ଦେଇଛନ୍ତି । ଗତ ଡିସେମ୍ବର ମାସରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ପ୍ରଶ୍ନର ଉତ୍ତରରେ ଏସବୁ ତଥ୍ୟ ଦେଇଥିଲେ । କିନ୍ତୁ କୋଭିଡ୍ ଚିକିତ୍ସା ଆଳରେ ଘରୋଇ ହସ୍ପିଟାଲଗୁଡ଼ିକ ଆଖି ଖୋସି ହେବାଭଳି ବିଲ୍ ସରକାରଙ୍କୁ ଧରାଇଥିଲେ । ଯାହାକୁ ଉଭୟ ସରକାର ଓ ହସ୍ପିଟାଲର ଭୂମିକାକୁ ସନ୍ଦେହଘେରକୁ ଟାଣିଥିଲା ।

Related story