ବଡ଼ବାପା, ବଡ଼ ମାଆଙ୍କୁ ପିଟି ପିଟି ମାରିଦେଲା ପୁତୁରା!

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବଡ଼ ମା’ ଓ ବଡ଼ ବାପାଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଦେଲା ପୁତୁରା। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଦେଓରାଇଡିହି ଗାଁର ଯୋଗେନ୍ଦ୍ର ହଂସଦା(୫୮) ଓ ତାଙ୍କ ସ୍ତ୍ରୀ ନାନୀ ହଂସଦା(୫୫) ଘରେ ଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସେମାନଙ୍କ ସହିତ ତାଙ୍କ ପୁତୁରା ମାଝିଆ ହଂସଦା(୩୦) ଯୁକ୍ତିତର୍କ ଲାଗିଥିଲା। ପରେ  ମାଝିଆ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳରେ ଦମ୍ପତିଙ୍କ ପିଟି ପିଟି ହତ୍ୟା କରି ଥିବା ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡ ନେଇ ଖବର ପାଇ ତିରିଂ ଥାନା ପୁଲିସ ଓ ରାଇରଙ୍ଗପୁର ଏସ୍‌ଡିପିଓ ଗାଁରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟା ମାମଲାରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି। ଘଟଣା ପଛରେ ଜମି ଜମା ବିବାଦ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।