‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ‘ମୋ ସରକାର’ରେ କୋଭିଡ୍ ପରିଚାଳନା ସାମିଲ ହେବ। କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତ୍ୱ ମାନୁନଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ରୋଗୀ ଓ କୋଭିଡ୍ ଯୋଦ୍ଧମାନଙ୍କ ସହ ନିୟମିତ ଯୋଗାଯୋଗ କରି ସେମାନଙ୍କଠୁ ଫିଡବ୍ୟାକ୍ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ […]

mo-sarkar

Manoranjan Sial
  • Published: Tuesday, 07 July 2020
  • , Updated: 07 July 2020, 06:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ‘ମୋ ସରକାର’ରେ କୋଭିଡ୍ ପରିଚାଳନା ସାମିଲ ହେବ। କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତ୍ୱ ମାନୁନଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ୍ ରୋଗୀ ଓ କୋଭିଡ୍ ଯୋଦ୍ଧମାନଙ୍କ ସହ ନିୟମିତ ଯୋଗାଯୋଗ କରି ସେମାନଙ୍କଠୁ ଫିଡବ୍ୟାକ୍ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀଙ୍କଠୁ ଫିଡବ୍ୟାକ୍ ସଂଗ୍ରହ କରିବେ। ଏସବୁ ଫିଡବ୍ୟାକ୍ ଆଧାରରେ ବ୍ୟବସ୍ଥାରେ ସୁଧାର ଅଣାଯିବା ସହ ରୋଗୀଙ୍କ ପରିବାରକୁ ମଧ୍ୟ ରୋଗୀର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡ୍ ଯୋଦ୍ଧାମାନେ କିଭଳି ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ଉପଯୁକ୍ତ ତାଲିମ୍ ପ୍ରଦାନ, କୋଭିଡ୍ କେୟାର ହୋମର ତଦାରଖ ପାଇଁ ଅନଲାଇନ ଏଣ୍ଟ୍ରି ବ୍ୟବସ୍ଥା, କୋଭିଡ୍ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ ନିମନ୍ତେ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ହଟସ୍ପଟ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରି ଦିଲ୍ଲୀ,ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟସ୍ପଟ ସହରରୁ କମ୍ ସଂଖ୍ୟାରେ ଟ୍ରେନ ଓ ବିମାନ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। ଜୁନ୍ ୨୯ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ନବସୂତ୍ରୀ ପରାମର୍ଶର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଏବେ ରାଜ୍ୟରେ ପ୍ରତି ପଂଚାୟତରେ ଗ୍ରାମ କଲ୍ୟାଣ ସମିତି ସ୍ତରରେ ୪୭୬୧୩ଟି କୋଭିଡ୍ କେୟାର କମିଟି ଗଠନ କରାଯାଇଥିବାବେଳେ ଏହାର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରାଯାଇସାରିଛି। ଏସବୁ ପଂଚାୟତଗୁଡ଼ିକରେ ୪୯୨୧୮ଟି ବେଡ୍ ବିଶିଷ୍ଟ ୫୪୮୦ଟି କୋଭିଡ୍ ଗୃହ ସ୍ଥାପନ କରାଯାଇଛି। ଏହାସହିତ ୩୭୯୯୮ଟି ବେଡ୍ ବିଶିଷ୍ଟ ୧୧୦୫ଟି ଟିଏମସି କ୍ଲଷ୍ଟର ମଧ୍ୟ କାର୍ଯ୍ୟ କରୁଛି। ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୨୦୩୫ଟି କୋଭିଡ୍ କେୟାର କମିଟି ଓ ୫୯୫୬ ବେଡ୍ ବିଶିଷ୍ଟ କୋଭିଡ୍ ଗୃହ ସ୍ଥାପନ ହୋଇଛି। ଏହାସହିତ ୫୮୯୮୮ଟି ବେଡ୍ ବିଶିଷ୍ଟ ୮୧୮ଟି ଟିଏମସି କେନ୍ଦ୍ର ସ୍ଥାପନ ହୋଇଥିବା ଜଣାପଡ଼ିଛି।

ଏବେ ରାଜ୍ୟରେ ମୋଟ ପ୍ରାୟ ୩ଲକ୍ଷ କୋଭିଡ୍ ନମୂନା ପରୀକ୍ଷା ହୋଇଛି। ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୬ହଜାର ବେଡ୍ ଥିବାବେଳେ ଏବେ ୩୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି।
ଆଜିର ଏହି ବୈଠକରେ ମୁଖ୍ୟ ସଚିବ, ପୁଲିସ ଡିଜି, ଫାଇଭ-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story