ଆସିକା(ମନୋଜ ମୁନୀ): ‘ନୀତୀନ ଚରଣ ପ୍ରଧାନ’ଙ୍କ ନାଁରେ ‘ନୀଳାଞ୍ଚଳ ପ୍ରଧାନ’ଙ୍କ ମୋବାଇଲକୁ ଆସିଥିଲା ‘କରୋନା’ ମେସେଜ୍। ଆଉ ତା’ପରେ କୋଭିଡ୍ ହସ୍ପିଟାଲ୍ କର୍ମଚାରୀ ଆସି ବଳପୂର୍ବକ ନୀଳାଞ୍ଚଳଙ୍କୁ ଉଠାଇ ନେଲେ। ଆଜି ଏପରି ଅଭିଯୋଗ ଆସିଛି ହଟ୍ସ୍ପଷ୍ଟ ଜିଲ୍ଲା ଗଞ୍ଜାମରୁ। ଏବେ ସେଠି ତାଙ୍କୁ ନାନା ହଇରାଣ କରାଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ନୀଳାଞ୍ଚଳ ପ୍ରଧାନ(୫୨)। ପେଶାରେ ସେ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀରେ ପୀଡିତ। କିଛି ଦିନ ତଳେ ନୀଳାଞ୍ଚଳ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ହିଂଜିଳି ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ପରେ ସେ କୋଭିଡ୍ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ତେବେ ଗତ ୨୯ ତାରିଖ ରାତିରେ ନୀଳାଞ୍ଚଳଙ୍କ ଫୋନକୁ ନୀତୀନ ଚରଣ ପ୍ରଧାନଙ୍କ ନାଁରେ ଏକ ମେସେଜ ଆସିଲା।
୩୦ ତାରିଖରେ ତାଙ୍କୁ ବଳପୂର୍ବକ କୋଭିଡ୍ ହସ୍ପିଟାଲ୍ କର୍ମଚାରୀମାନେ ଉଠାଇ ନେଇଗଲେ। ନୀତୀନ ଓ ନୀଳାଞ୍ଚଳ ଭିନ୍ନ ଭିନ୍ନ ବ୍ୟକ୍ତି ବୋଲି କହିବା ସତ୍ତ୍ୱେ ତାଙ୍କ କଥା କହି ଶୁଣିନଥିଲେ। ଏମିତିକି କୋଭିଡ୍ ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ଚିକିତ୍ସା ମଧ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି।