ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଭବାନୀପାଟଣାରେ ନିର୍ମିତ ୨୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, ଏଠାରେ ଚିକିତ୍ସାଠୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ। ଏହି ହସ୍ପିଟାଲରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ବେଡ୍ ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ଏଠାରେ ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି ।
ଯାହାଫଳରେ କଳାହାଣ୍ଡି ଓ ଆଖପାଖ ଅଂଚଳର ଲୋକମାନେ ଉନ୍ନତମାନର କୋଭିଡ୍ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ବିକାଶର ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏ ରୂପାନ୍ତର ବାସ୍ତିବକ ଉଲ୍ଲେଖନୀୟ। କଳାହାଣ୍ଡି ଏବେ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଡବଲ ମାସ୍କ ପିନ୍ଧିବା ସହ ଟିକା ନିଶ୍ଚୟ ନେବାକୁ ମଧ୍ୟ ନିବେଦନ କରିଥିଲେ। ମହାମାରୀ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ଯଦି ଠିକ୍ ଭାବେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ନିଶ୍ଚିତ ବିଜୟ ଲାଭ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଯୋଗ ଦେଇ କଳାହାଣ୍ଡି ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଓଡ଼ିଶାରେ କାମ କରିବାର ଅଭିଜ୍ଞତା ତାଙ୍କର ସବୁଠୁ ଭଲ ବୋଲି କହିଥିଲେ।