କାହା ପାଖକୁ ଲମ୍ବିଛି କୋଭିଡ୍ କେଳେଙ୍କାରୀର ଚେର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କିଟ୍ କେଳେଙ୍କାରୀକୁ ନେଇ ଘମାସାନ ହେମନ୍ତ ଶର୍ମାଙ୍କୁ ପରଚେଜ୍ କମିଟି ମୁଖ୍ୟ ପଦରୁ ସରକାର ଅବ୍ୟାହତି ଦେବା ପରେ ବି ବିବାଦ ଥମୁନି। କେଳେଙ୍କାରୀ ପଛରେ ମନ୍ତ୍ରିସ୍ତରୀୟ କମିଟିର ଭୂମିକାକୁ ନେଇ ଅଙ୍ଗୁଳି ଉଠାଇବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ । ଟ୍ରିପଲ୍ ଲେୟାର ମାସ୍କକୁ ୧୦ ଟଙ୍କାରୁ ଅଧିକରେ ବିକ୍ରି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ସତ୍ତ୍ୱେ ରାଜ୍ୟ ସରକାର କାହା ସ୍ୱାର୍ଥରେ […]

b-909

Tapas Behera
  • Published: Saturday, 06 June 2020
  • , Updated: 06 June 2020, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କିଟ୍ କେଳେଙ୍କାରୀକୁ ନେଇ ଘମାସାନ ହେମନ୍ତ ଶର୍ମାଙ୍କୁ ପରଚେଜ୍ କମିଟି ମୁଖ୍ୟ ପଦରୁ ସରକାର ଅବ୍ୟାହତି ଦେବା ପରେ ବି ବିବାଦ ଥମୁନି। କେଳେଙ୍କାରୀ ପଛରେ ମନ୍ତ୍ରିସ୍ତରୀୟ କମିଟିର ଭୂମିକାକୁ ନେଇ ଅଙ୍ଗୁଳି ଉଠାଇବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ ।

ଟ୍ରିପଲ୍ ଲେୟାର ମାସ୍କକୁ ୧୦ ଟଙ୍କାରୁ ଅଧିକରେ ବିକ୍ରି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ସତ୍ତ୍ୱେ ରାଜ୍ୟ ସରକାର କାହା ସ୍ୱାର୍ଥରେ ଏହାକୁ ୧୬ ଟଙ୍କାରେ କିଣିଲେ ତାହା ପ୍ରଶ୍ନବାଚୀ ଠିଆ କରିଛି। ସଫେଇରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯାହା କରାଯାଇଛି କେନ୍ଦ୍ରର ଅନୁମତିରେ କରାଯାଇଛି, ବିରୋଧୀ ଲିଖିତ ଅଭିଯୋଗ କଲେ ତଦନ୍ତ ପାଇଁ ପ୍ରସ୍ତୁତ।

ତେବେ କୋଭିଡ୍ କେଳେଙ୍କାରୀର ଚେର କାହା କାହା ପାଖକୁ ଲମ୍ବିଛି? ବ୍ଲାଙ୍କ ଚେକ୍‌ ମୂଳ କିଏ? ମନଇଛା କୋଭିଡ୍ କିଟ୍ କିଣିବାକୁ କିଏ ଦେଇଥିଲା ଅନୁମତି.. ? ୯ ଟଙ୍କା ୯୦ ପଇସାର ମାସ୍କକୁ ୧୬ ଟଙ୍କାରେ କିଣିବାକୁ କାହାର ଥିଲା ସବୁଜ ସଂକେତ?

ଏ ସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମନ୍ତ୍ରିସ୍ତରୀୟ କମିଟିର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ୨୬ ମାର୍ଚ୍ଚରେ ଏନେଇ ମନ୍ତ୍ରିସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଭିଡ୍ ମୁକାବିଲା ପାଇଁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ  ପ୍ରୋକ୍ୟୁରମେଣ୍ଟ କମିଟିରୁ ଆସିଥିବା ୭୩୦ କୋଟି ୧୮ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମନ୍ତ୍ରିସ୍ତରୀୟ କମିଟି ଅନୁମୋଦନ କରିଥିଲା ।

ବଡକଥା ହେଉଛି ୨୧ ମାର୍ଚ୍ଚରେ କେନ୍ଦ୍ର ସରକାର ଟ୍ରିପଲ ଲେୟାର ମାସ୍କର ଦାମ ୧୦ ଟଙ୍କାରୁ ଅଧିକ ବିକ୍ରି ହେବନି ବୋଲି ବିଜ୍ଞପ୍ତି ପ୍ରକାଶ କରିବା ସତ୍ତ୍ୱେ ବି  ଏପ୍ରିଲ ୧୭ରେ ରାଜ୍ୟ ସରକାର ଏହି ମାସ୍କକୁ କାହା ସ୍ୱାର୍ଥରେ ୧୬ ଟଙ୍କାରେ କିଣିଥିଲେ ତାହା ଅନେକ ପ୍ରଶ୍ନ ଠିଆ କରିଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ୨୪ ମାର୍ଚ୍ଚରେ ୧୬ ଟଙ୍କାରେ ମାସ୍କ କିଣିବାକୁ ଅନୁମତି ଦେଇଥିଲେ।

ସେପଟେ କୋଭିଡ୍ କେଳଙ୍କାରୀ ନେଇ ସରକାର ହରଡ ଘଣାରେ ପଡିବା ପରେ ହେମନ୍ତ ଶର୍ମାଙ୍କୁ ପରଚେଜ୍ କମଟି ମୁଖ୍ୟ ପଦରୁ ଅବ୍ୟାହତି ଦେଇଥିଲେ ବି ବିବାଦ ଥମୁନି । ସରକାର ପରେଚେଜ୍ କମଟିକୁ ରଖିଛନ୍ତି ନା ସଂପୂର୍ଣ ଭାଙ୍ଗିଛନ୍ତି ତାହା ଏବେ କୁହେଳିକା ଭିତରେ।  କାହିଁକି ନା ମାର୍ଚ୍ଚ ୨୧ ସ୍ୱାସ୍ଥ୍ୟ ବିଭାଗ ଗଠନ କରିଥିବା ଆଉ ଏକ  ୯ ଜଣିଆ ଇମାର୍ଜେନ୍ସି ପ୍ରୋକ୍ୟୁମେଣ୍ଟ କମଟିରେ ସ୍ୱାସ୍ଥ୍ୟ ସଚିବ ଅଧ୍ୟକ୍ଷ ଥିବା ବେଳେ  ଶିଳ୍ପ ସଚିବ ହେମନ୍ତ ଶର୍ମା  ବି ସଦସ୍ୟ ଥିଲେ ।

କରୋନା ଏବେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା ବେଳେ ସରକାର ଆଉ ସରଞ୍ଜାମ କିଣିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ଯଦିଓ ସ୍ୱାସ୍ଥ୍ୟମନ୍ତ୍ରୀ ଗତ ସପ୍ତାହରେ କହିଥିଲେ ‌ଆବଶ୍ୟକତା ଅନୁସାରେ ରାଜ୍ୟରେ ପର୍ଯ୍ୟାପ୍ତ  ପିପିଇ କିଟ୍, ମାସ୍କ ଓ ଅନ୍ୟ ସରଞ୍ଜାମ ମହଜୁଦ ଅଛି । ତଥାପି ପୁଣି ସରଞ୍ଜାମ କିଣିବା ଲାଗି ରାଜ୍ୟ ଔଷଧ ନିଗମ ଟେଣ୍ଡର ଆହ୍ୱାନ କରିଛି। ଯାହାର ଶେଷ ତାରିଖ ରହିଛି ଜୁନ୍ ୮ ତାରିଖ।  ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଏବେ କିନ୍ତୁ କିଛି କହିନାହାନ୍ତି । ଏସବୁ ଭିତରେ କରୋନା କିଟ୍ କେଳେଙ୍କାରୀର ଚେର କେଉଁଯାଏ ଲମ୍ବିଛି ତାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ।

କୋଭିଡ୍ କେଳେଙ୍କାରୀ ନେଇ ବିଜେପି ନିରପେକ୍ଷ ତଦନ୍ତ ଦାବି କରୁଥିବା ବେଳେ କଂଗ୍ରେସ ସିବିଆଇ ତଦନ୍ତ ହେଉ ବୋଲି କହିସାରିଛି। ଏବେ ଅପେକ୍ଷା ସରକାର ବିପତ୍ତି ବେଳେ ଏ ଦୁର୍ନୀତି ଅଭିଯୋଗକୁ ନେଇ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

Related story