କୋଭିଡ୍ ଯୋଦ୍ଧାଙ୍କୁ ମିଳୁନି ଦରମା, ସତ କେତେ ?

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣ ଓ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଡାକ୍ତର(କରୋନା ଯୋଦ୍ଧା)ମାନଙ୍କୁ ଦରମା ମିଳୁ ନଥିବା ଅଭିଯୋଗକୁ ରାଜ୍ୟ ସରକାର ଆଜି ଖଣ୍ଡନ କରିଛନ୍ତି। ସେପଟେ ଦରମା ମିଳୁନି ବୋଲି ଅଭିଯୋଗ କରିଥିବା ଏସିସିବି ମେଡିକାଲର ରେସିଡେଣ୍ଟ ଡାକ୍ତର ସଂଘ(ଆରଡିଏ) ମଧ୍ୟ ସରକାରଙ୍କ ସ୍ୱର ସହ ସ୍ୱର ମିଳାଇଛି ଓ ଟେକନିକାଲ କାରଣରୁ ମାତ୍ର ୨୮ଜଣ ଡାକ୍ତରଙ୍କୁ ଏପର୍ଯ୍ୟନ୍ତ ଦରମା ମିଳିନି ବୋଲି ସଫେଇ ଦେଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

covid19

covid19

Tapas Behera
  • Published: Tuesday, 13 October 2020
  • Updated: 13 October 2020, 07:33 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣ ଓ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଡାକ୍ତର(କରୋନା ଯୋଦ୍ଧା)ମାନଙ୍କୁ ଦରମା ମିଳୁ ନଥିବା ଅଭିଯୋଗକୁ ରାଜ୍ୟ ସରକାର ଆଜି ଖଣ୍ଡନ କରିଛନ୍ତି। ସେପଟେ ଦରମା ମିଳୁନି ବୋଲି ଅଭିଯୋଗ କରିଥିବା ଏସିସିବି ମେଡିକାଲର ରେସିଡେଣ୍ଟ ଡାକ୍ତର ସଂଘ(ଆରଡିଏ) ମଧ୍ୟ ସରକାରଙ୍କ ସ୍ୱର ସହ ସ୍ୱର ମିଳାଇଛି ଓ ଟେକନିକାଲ କାରଣରୁ ମାତ୍ର ୨୮ଜଣ ଡାକ୍ତରଙ୍କୁ ଏପର୍ଯ୍ୟନ୍ତ ଦରମା ମିଳିନି ବୋଲି ସଫେଇ ଦେଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଡାକ୍ତରମାନେ ହେଉଛନ୍ତି  କୋଭିଡ୍ ଯୋଦ୍ଧା। ସରକାର ସେମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। କୌଣସି ଡାକ୍ତରଙ୍କୁ ଦରମାରୁ ବଂଚିତ କରାଯାଇ ନାହିଁ।

ଅନ୍ୟପକ୍ଷରେ,କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘର ସଭାପତି ଡାକ୍ତର ହରମୋହନ ବାରିକ କହିଛନ୍ତି ଯେ, ସର୍ଭିସ୍ ବୁକ୍ ଓ ଅନ୍ୟ କେତେକ ଟେକନିକାଲ କାରଣରୁ ଏବେ ୨୮ଜଣ ଡାକ୍ତରଙ୍କୁ ଗତ ୪ମାସ ହେଲା ଦରମା ମିଳିନି। ସେମାନଙ୍କୁ ନିଜର ସର୍ଭିସ୍ ରେକର୍ଡ ବୁକ୍ ଠିକ୍ କରିବା ସହ ସେମାନେ ପୂର୍ବରୁ ଯେଉଁ ସ୍ଥାନରେ କାର୍ଯ୍ୟ କରୁଥିଲେ ସେଠାରୁ ରେକର୍ଡ ଓ ପ୍ରମାଣପତ୍ର ଆଣି ଦାଖଲ କରିବାକୁ କୁହାଯାଇଛି। ଦରମା ରେକର୍ଡ ପ୍ରସ୍ତୁତ କରୁଥିବା କିଛି କିରାଣୀ ପାହ୍ୟାର କର୍ମଚାରୀମାନେ ଏଭଳି ସମସ୍ୟା ସୃଷ୍ଟି କରୁଥିବାରୁ ଡାକ୍ତରମାନେ ଠିକ୍ ସମୟରେ ଦରମା ପାଇବାରେ ସକ୍ଷମ ହେଉନାହାନ୍ତି। ତେବେ ୧୧୧ଜଣ ସିନିୟର ରେସିଡେଣ୍ଟଙ୍କୁ ଦରମା ମିଳିନଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଇତିମଧ୍ୟରେ ପ୍ରାୟ ସମସ୍ତଙ୍କୁ ଦରମା ମିଳିସାରିଛି। ସର୍ଭିସ ରେକର୍ଡ ଠିକ୍ ନଥିବାରୁ ୨୨ଜଣ ଇନସର୍ଭିସ ପିଜି ଡାକ୍ତରଙ୍କ ସମେତ ମୋଟ ୨୮ଜଣଙ୍କୁ ଦରମା ମିଳିନି। ସେମାନଙ୍କୁ ନିଜର ରେକର୍ଡ ଠିକ୍ କରିବା ପାଇଁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ପରାମର୍ଶ ଦେଇଛନ୍ତି। ତେବେ ଡାକ୍ତରଙ୍କୁ ଦରମା ମିଳିବାରେ ବିଳମ୍ବ ପାଇଁ ସେ ବିଭାଗରେ କାର୍ଯ୍ୟ କରୁଥିବା କିରାଣୀ ଓ ଅନ୍ୟ କର୍ମଚାରୀଙ୍କୁ ଦାୟୀ କରିଛନ୍ତି। କୌଣସି ଡାକ୍ତର ଯଦି ମାଲକାନଗିରିରୁ କଟକ ବଦଳି ହୋଇଥିବେ ତାଙ୍କୁ କୋଭିଡ୍ ମହାମାରୀ ଡ୍ୟୁଟି ସମୟରେ ନିଜର ସର୍ଭିସ ରେକର୍ଡ ଠିକ୍ କରିବା ପାଇଁ ପୁଣିଥରେ ମାଲକାନଗିରି ଯିବାକୁ ପଡ଼ିବ।

ସରକାର ଯଦି ଅନଲାଇନ୍ କିମ୍ବା ଡାକ ମାଧ୍ୟମରେ ଏସବୁ ତଥ୍ୟ ଆଣିବା ବ୍ୟବସ୍ଥା କରନ୍ତେ ତା’ହେଲେ ଡାକ୍ତରମାନଙ୍କୁ ଆଉ ନିଜ ମାସିକ ଦରମା ପାଇଁ ଏଭଳି ସମସ୍ୟା ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ଏବେ ପ୍ରାୟ ୬୦୦ଜଣ ରେସିଡେଣ୍ଟ ଓ ପିଜି ଡାକ୍ତର ଅଛନ୍ତି ବୋଲି ସେ ସୂଚନା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଏସସିବି ଅଧୀନରେ ପ୍ରାୟ ୨୮୧ଜଣ ଡାକ୍ତର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଏବେ କୋଭିଡ୍ ଡ୍ୟୁଟିରେ ନିଯୁକ୍ତି ପାଇଛନ୍ତି।

ସେହିପରି ଡାକ୍ତରମାନଙ୍କୁ ଅଗ୍ରୀମ ୪ମାସର ଦରମା ଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଡାକ୍ତର ବାରିକ କହିଛନ୍ତି ଯେ, ସରକାର କେବଳ କୋଭିଡ୍ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କୁ ଏହି ୪ମାସର ଅଗ୍ରୀମ ଦରମା ଦେଇଥିଲେ। ତା’ପୁଣି ଲିଖିତ ସମ୍ମତି ଦେଇଥିବା ଡାକ୍ତରମାନଙ୍କୁ। ସେତେବେଳେ କୋଭିଡ୍ ସଂକ୍ରମଣ କମ୍ ଥିଲା ଓ ବେଶୀ ଡାକ୍ତରଙ୍କୁ ଏହି ସୁବିଧା ବି ମିଳିନି। ତେବେ ଏହି ଅଗ୍ରୀମ ଦରମା ଡାକ୍ତରମାନଙ୍କ ପାଇଁ ବିଶେଷ ସହାୟକ ହେଲାନି ବୋଲି ଡାକ୍ତର ବାରିକ କହିଛନ୍ତ।
ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ସୁପ୍ରିମକୋର୍ଟ ଏକ ରାୟରେ କୋଭିଡ୍ ଦାୟିଦ୍ୱରେ ଥିବା ଡାକ୍ତରମାନେ ଯେଭଳି ନିଜର ଦରମା ଓ ଭତ୍ତା ପାଇବାରେ ସମସ୍ୟା ନହେବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ମୋଟ ପଞ୍ଜିକୃତ ୮୭୧୯ଟି ଡାକ୍ତରୀ ପଦବୀ ଥିବାବେଳେ ସେଥିରୁ ଏବେ ୨୪୨୩ଟି ପଦ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos