ଭଦ୍ରକରୁ ନବୀନ ନିବାସ; ଗୁହାରି ଜଣାଇବାକୁ ଚାଲି ଚାଲି ବାହାରିଲେ କୋଭିଡ ଯୋଦ୍ଧା
ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସମୟରେ ନିଜକୁ ମରଣ ମୁହଁକୁ ଠେଲି ସମ୍ମୁଖ ଯୋଦ୍ଧା ଭାବେ କାମ କଲେ। ହେଲେ ପ୍ରଶଂସାରେ ପୋତି ପକାଉଥିବା ସରକାର କରୋନା କମିବା ପରେ ଚାକିରିରୁ ବିଦା କରି ଦେଲେ। ପରିବାର ପେଟ ପୋଷିବାକୁ ପ୍ରଥମେ ଜଣେ କୋଭିଡ଼ ଯୋଦ୍ଧା ଭିକ୍ଷାବୃତ୍ତି କରୁଥିବା ଖବର ପ୍ରଚାରିତ ହେବା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗି ନ ଥିଲା। ଶେଷରେ ଚେଇଁ ଶୋଇଥିବା ସରକାରକୁ ଉଠାଇବାକୁ ଭଦ୍ରକରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିଛନ୍ତି ସେହି କୋଭିଡ ଯୋଦ୍ଧା ଅଶ୍ୱିନୀ ପାଢ଼ୀ।
ଚାକିରିରେ ପୁନଃ ନିଯୁକ୍ତି ଦାବି କରି ନିଜର ଅଭିଯୋଗ ଜଣାଇବା ପାଇଁ ଏପରି ପଦଯାତ୍ରା ଆରମ୍ଭ କରିଛନ୍ତି ଅଶ୍ୱିନୀ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭଦ୍ରକରୁ ନବୀନ ନିବାସ ପ୍ରାୟ ୧୩୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ପଦଯାତ୍ରାରେ ଆସୁଛନ୍ତି ସେ।
ଆଜି ସକାଳେ ଚରମ୍ପାସ୍ଥିତ ହନୁମାନ ମନ୍ଦିରରେ ପୂଜାପାଠ କରି ପିପିଇ କିଟ ପିନ୍ଧିଵା ସହ ଡାହାଣୀ ଗଡ଼ିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶାର ୮ ହଜାରରୁ ଊର୍ଦ୍ଧ୍ୱ କୋଭିଡ ଯୋଦ୍ଧା କରୋନା ସମୟରେ ଜୀବନକୁ ବାଜି ଲଗାଇ ପାରାମେଡିକାଲ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ହେଲେ କରୋନାର କୋପ କମିବା ପରେ ସେମାନଙ୍କୁ ଚାକିରିରୁ ବିଦା କଲେ ସରକାର। ଫଳରେ ସେମାନଙ୍କର ରୋଜଗାରର ବାଟ ବନ୍ଦ ହୋଇଯାଇଛି ଓ ସେମାନଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।
ଦୀର୍ଘ ୫୫ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେଇଥିବା ବେଳେ, ଏବେ ସରକାରଙ୍କୁ ନିଜର ଗୁହାରି ଜଣାଇବା ପାଇଁ ଅଭିନଵ ଢଙ୍ଗରେ ପ୍ରତିବାଦ କରୁଛନ୍ତି ଏହି ପାରା ମେଡିକାଲ ଷ୍ଟାଫ । ସରକାର ଯେ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଶୁଣି ନାହାନ୍ତି, ସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଭିନଵ ପ୍ରତିବାଦ ଜାରି ରହିବ ବୋଲି ପଦ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି କୋଭିଡ ଯୋଦ୍ଧା ଅଶ୍ୱିନୀ।
ସୂଚନାଯୋଗ୍ୟ, ଫାର୍ମସିଷ୍ଟ ପାଠ ପଢ଼ିଥିବା ଅଶ୍ୱିନୀ ଦୀର୍ଘ ଦିନ ଧରି ସାମ୍ବାଦିକତା କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କରୋନା ସମୟରେ ସରକାରଙ୍କ ଡାକରାରେ ସେ କିଛି ନ ଭାବି ସମ୍ମୁଖ ଯୋଦ୍ଧା ଭାବେ କାମ କଲେ। ଦୀର୍ଘ ୧୦ ମାସ କରୋନା ଯୋଦ୍ଧା ଭାବେ ମରଣ ମୁହଁରେ କାମ କରିବା ପରେ ସରକାର କିନ୍ତୁ ତାଙ୍କ ଦୁଃଖ ଶୁଣିଲେ ନାହିଁ। ତେଣୁ ପରିବାର ପୋଷିବାକୁ ଏପରି ଭାବେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଅଶ୍ୱିନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।