ଓଡ଼ିଶାରେ କ୍ୱାରେଣ୍ଟାଇନ ବେଡ୍ ଅଭାବ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କ୍ୱାରେଣ୍ଟାଇନ ମଡେଲକୁ ସମଗ୍ର ଦେଶରେ ପ୍ରଶଂସା ମିଳିଛି ଓ ରାଜ୍ୟରେ କ୍ୱାରେଣ୍ଟାଇନ ବେଡ୍ ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ରାଜ୍ୟରେ କ୍ୱାରେଣ୍ଟାଇନରେ ରହିବାକୁ ବେଡ୍ ଅଭାବ ଥିବାରୁ ସରକାର ସବୁକିଛି ଖୋଲା କରିଦେଲେ ବୋଲି ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୮ଲକ୍ଷ ବେଡ୍ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ପାଇଁ ଉଦ୍ଦିଷ୍ଟ […]

asit

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କ୍ୱାରେଣ୍ଟାଇନ ମଡେଲକୁ ସମଗ୍ର ଦେଶରେ ପ୍ରଶଂସା ମିଳିଛି ଓ ରାଜ୍ୟରେ କ୍ୱାରେଣ୍ଟାଇନ ବେଡ୍ ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ରାଜ୍ୟରେ କ୍ୱାରେଣ୍ଟାଇନରେ ରହିବାକୁ ବେଡ୍ ଅଭାବ ଥିବାରୁ ସରକାର ସବୁକିଛି ଖୋଲା କରିଦେଲେ ବୋଲି ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିଲା।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୮ଲକ୍ଷ ବେଡ୍ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ପାଇଁ ଉଦ୍ଦିଷ୍ଟ ରହିଛି। ଏବେ ପ୍ରାୟ ୩ଲକ୍ଷ ବେଡ୍ କାମରେ ଲାଗିଥିବାବେଳେ ଏକ ଲକ୍ଷ ଲୋକ କ୍ୱାରେଣ୍ଟାଇନ ପାଳନ କରି ଘରକୁ ଯାଇଛନ୍ତି। ଡିସଚାର୍ଜ ହେଉଥିବା ଲୋକଙ୍କୁ ସ୍ଥାନୀୟ ସରପଞ୍ଚ ଅବା ପ୍ରଶାସନ ପକ୍ଷରୁ ଏକ ସାର୍ଟିଫିକେଟ୍ ଦିଆଯାଉଛି। ସେହିପରି ରାଜ୍ୟରେ ଏବେ ପ୍ରାୟ ୧୫ହଜାର ଲୋକଙ୍କ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲ ରହିଛି। ସେଥିରୁ ମାତ୍ର ୩ହଜାର ବେଡ୍ ଉପଯୋଗ ହୋଇପାରିଛି। ତେଣୁ କ୍ୱାରେଣ୍ଟାଇନ ଓ କୋଭିଡ୍ ହସ୍ପିଟାଲ ବେଡ୍ ସଂଖ୍ୟା ରାଜ୍ୟରେ ପର୍ଯ୍ୟାପ୍ତ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଓଡ଼ିଶାରେ କୋଭିଡ-୧୯ ପରୀକ୍ଷା, କ୍ୱାରେଣ୍ଟାଇନ ନିୟମ ଓ ଡିସଚାର୍ଜ ନିୟମକୁ ଜାତୀୟ ନିୟମଠାରୁ ଅଧିକ କଡ଼ାକଡ଼ି କରାଯାଇଛି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଲୋକମାନେ ଦୈନିକ ରାଜ୍ୟକୁ ଫେରୁଛନ୍ତି। ଆଜି ୩୫,୮୬୧ଜଣ ଓଡ଼ିଆ ପେରିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟରୁ ଓଡ଼ିଶାକୁ ମୋଟ ୩,୨୧,୮୮୧ଜଣ ଫେରିଛନ୍ତି। ସେମାନେ ବସ୍ , ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତି। ରାଜ୍ୟରେ କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଅଭିଯୋଗରେ ମେ’ ୨୫ରୁ ୨୬ତାରିଖ ମଧ୍ୟରେ ୧୫ଟି ମାମଲା ଦାଏର ହୋଇଛି। ଏଥିମଧ୍ୟରୁ ୧୨ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୧୪୧ଜଣଙ୍କୁ ଗିରଫ କରାଯାଇଛି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ୧ଲକ୍ଷ ୩୧ହଜାର ୫୯୫ଟି ନମୂନା ପରୀକ୍ଷା ହୋଇଛି। ଏବେସୁଦ୍ଧା ୧୫୧୭ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ୬୪୯ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ଓ ୮୬୧ଜଣ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ୧୦୭୯ଜଣ ସନ୍ଦିଗ୍ଧ ଏବେ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Related story