ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖିରେ ଆଖିଏ ଲୁହ ହେଲେ ମନରେ କିନ୍ତୁ ଅଦମ୍ୟ ସାହସ। ଘର, ପରିବାର ପିଲା ଛୁଆ ଛାଡ଼ି ସେ ସାଜିଛନ୍ତି କୋଭିଡ୍ ଯୋଦ୍ଧା। ମହାମାରୀ କରୋନା ପାଇଁ ସେମାନେ ଯେମିତି ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି। ଆମେ କହୁଛୁ ଜଣେ ନର୍ସଙ୍କ କଥା। ସମ ହସପିଟାଲରେ କୋଭିଡ୍-୧୯ ହସପିଟାଲ ପ୍ରସ୍ତୁତ ହେବା ପରେ କରୋନା ମୁକାବିଲା ନେଇ କେମିତି ପ୍ରସ୍ତୁତ ଅଛନ୍ତି ସେନେଇ ସମ୍ପୃକ୍ତ ନର୍ସ ଜଣଙ୍କ ବଖାଣିଛନ୍ତି। ସେ କହିଛନ୍ତି ଯେ, ମାନସିକସ୍ତରରେ ଆମେ ପ୍ରସ୍ତୁତ ଅଛୁ। ଆମ ପଛରେ ସିନିଅର ମାଡାମମାନେ ଅଛନ୍ତି।
ସେମାନଙ୍କ ସାହସ ଆମ ମନୋବଳକୁ ବୃଦ୍ଧି କରିଛି। ପ୍ରତି ମୁହୂର୍ତ୍ତରେ ଆମେ ଯେପରି ଅନ୍ୟମାନଙ୍କର ସେବା ଯୋଗାଇ ପାରିବାରୁ ସେମାନେ ଆମକୁ ପ୍ରେରଣା ଯୋଗାଇ ଚାଲିଛନ୍ତି। ଘରେ ମୋର ଗୋଟିଏ ଛୋଟ ପୁଅ ଅଛି । ୧୫ ଦିନ ହେଲା ମୁଁ ତାକୁ ଛାଡ଼ି ଆସିଛି। ତଥାପି ମୁଁ କରିବିନି ବୋଲି ଭାଙ୍ଗି ପଡ଼ିନି। ମୁଁ ଆଗକୁ ବି କରିବି। ସମସ୍ତେ ସମସ୍ତଙ୍କ ପରିବାର ଓ ଛୁଆଙ୍କୁ ଛାଡ଼ି ଏଠି ରହିଛନ୍ତି।
ଯେ ପର୍ଯ୍ୟନ୍ତ ଦାରକାର ଅଛି ସେ ପର୍ଯ୍ୟନ୍ତ ଆମେ କରିଚାଲିବୁ। ଆମର ଏଠି ଡାକ୍ତରାମାନେ ଏତେ ମାନସିକଭାବେ ଉତ୍ସାହିତ କରୁଛନ୍ତି ଯେ, କାମ ଛାଡ଼ିକି ଯିବାକୁ ମନ ହେଉନି। କରୋନା କାହାକୁ ନହେଉ ଆମେ ପ୍ରାର୍ଥନା କରୁଛୁ। ଆଉ ଯେଉଁମାନେ କରୋନା ଆକ୍ରାନ୍ତ ହେଉଛନ୍ତି ଭଗବାନ କରନ୍ତୁ ସେମାନେ ଭଲ ହୋଇ ଘରକୁ ଫେରି ଯାଆନ୍ତୁ । ଆମେ ସେଥିପାଇଁ ନିରନ୍ତର ପ୍ରୟାସ କରିବୁ।