ଖୋଲିବ କି ସୌମ୍ୟ ମୃତ୍ୟୁ ରହସ୍ୟ? କାଲି ଜେରା ହେବେ ବିଦ୍ୟାଭାରତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପତ୍ନୀ ବିଦ୍ୟାଭାରତୀଙ୍କ ସହ ନିଜ ସରକାରୀ କ୍ୱାର୍ଟର୍ସରେ ଥିବା ବେଳେ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି ଲାଗିଲା ନିଆଁ? ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ କଣ କରୁଥିଲେ? ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କେମିତି ସମ୍ପର୍କ ଖିଲା? ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କ ଭିତରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା କଣ? ଏହା ହତ୍ୟାକାଣ୍ଡ ନା ଦୁର୍ଘଟଣା? ଏପରି ଏକାଧିକ ପ୍ରଶ୍ନ ନେଇ ଆସନ୍ତାକାଲି ବିଦ୍ୟାଭାରତୀ […]

Bidya-and-Soumaya

Manoranjan Sial
  • Published: Wednesday, 01 September 2021
  • , Updated: 01 September 2021, 08:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପତ୍ନୀ ବିଦ୍ୟାଭାରତୀଙ୍କ ସହ ନିଜ ସରକାରୀ କ୍ୱାର୍ଟର୍ସରେ ଥିବା ବେଳେ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି ଲାଗିଲା ନିଆଁ? ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ କଣ କରୁଥିଲେ? ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କେମିତି ସମ୍ପର୍କ ଖିଲା? ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କ ଭିତରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା କଣ? ଏହା ହତ୍ୟାକାଣ୍ଡ ନା ଦୁର୍ଘଟଣା? ଏପରି ଏକାଧିକ ପ୍ରଶ୍ନ ନେଇ ଆସନ୍ତାକାଲି ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ସେପଟେ ନାନା କଳ୍ପନା ଜଳ୍ପନା ଭିତରେ ଆଜି ସୌମ୍ୟଙ୍କ ପରିବାର ଲୋକଙ୍କୁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ଟିମ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ପହଞ୍ଚିଥିଲେ। ସେମାନେ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ତା’ପରେ ସୌମ୍ୟଙ୍କ ବାପା, ମାଆ, ଭାଇ ଓ ମାମୁଙ୍କୁ ମାମଲା ସମ୍ପର୍କରେ ବିସ୍ତୃତ ଭାବେ ପଚରାଉଚରା କରିବା ସହ ସେମାନଙ୍କ ଅଭିଯୋଗକୁ ରେକର୍ଡ କରିଛି ତଦନ୍ତକାରୀ ଟିମ୍‌।

ଦୀର୍ଘ ସାଢ଼େ ୩ ଘଣ୍ଟାର ପଚରାଉଚରା ବେଳେ ତଦନ୍ତକାରୀ ଟିମ୍‌ ଆଗରେ ଅଭିଯୋଗ ଦୋହରାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ ଓ ରୋଷେୟା ଦାୟୀ ବୋଲି କହିଛନ୍ତି। ବୋହୂ ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟ ଅନୈତିକ ସମ୍ପର୍କ ଥିବା ସେମାନେ ପୁଣି ଦାବି କରିଛନ୍ତି। ସୌମ୍ୟ ମୃତ୍ୟୁ ଘଟଣାରେ କିଛି ରହସ୍ୟଜନକ ଦିଗ ସଂପର୍କରେ ମଧ୍ୟ ସେମାନେ କ୍ରାଇମବ୍ରାଞ୍ଚ ଟିମ୍‌କୁ କହିଛନ୍ତି। ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ନକରାଯିବା ଯାଏଁ ଘଟଣାର ସତ ପଦାକୁ ଆସିବ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ନିଜ ସରକାରୀ କ୍ୱାର୍ଟର୍ସରେ ଥିଲେ। ଠିକ୍‌ ଏହି ସମୟରେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ସରକାରୀ ଗାଡ଼ିରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକରେ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୌମ୍ୟ ମୃତ୍ୟୁର ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟାଭାରତୀ ମୁହଁ ଖୋଲିନଥିଲେ। ପରେ ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଠି ଉଠାଇଥିଲେ। ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ଦର୍ଶାଇଥିଲେ ସୌମ୍ୟଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପାରଳାଖେମୁଣ୍ଡି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସୌମ୍ୟଙ୍କ ଘର ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ, ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା। ତଦନ୍ତ ଚାଲିଥିବା ବେଳେ ବିଦ୍ୟାଭାରତୀଙ୍କ ଛାଡ଼ି ଅନ୍ୟ ସମସ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ଗଜପତିର ପୂର୍ବତନ ଏସ୍‌ପି।

ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ ବସି ଯାଇଥିଲା। ଆସନ୍ତାକାଲି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କଲା ପରେ ସୌମ୍ୟ ମୃତ୍ୟୁ ଉପରୁ ରହସ୍ୟ ହଟିବ ବୋଲି ଅନୁମାନ କରୁଛି।

Related story