‘ଡିଆର୍‌ଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ହନି ଟ୍ରାପ୍‌ରେ ଫସି ଚାନ୍ଦିପୁର ଆଇଟିଆର୍‌ର ୪ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇଥିଲେ। ଆଉ ଏବେ ପୁଲିସ ଜାଲରେ ପଡ଼ିଛନ୍ତି। ପୁଲିସ ତାଙ୍କ ଗିରଫ କରି ଜେଲ୍‌ ପଠାଇ ଦେଇଛି। ଏବେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଜିପି ଅଭୟଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ଟ୍ୱିଟ୍‌ କରିଛି।

ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଟିମ୍‌ ଗଠିତ ହୋଇଛି। ତଦନ୍ତ ଭାର ଗ୍ରହଣ କରିବାକୁ ବାଲେଶ୍ୱର ଗଲା କ୍ରାଇମବ୍ରାଞ୍ଚ ଟିମ୍‌।

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ରୁ ତଥ୍ୟ ଲିକ ମାମଲାରେ ପୁଲିସ ମଙ୍ଗଳବାର ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପୀରକ୍ଷା ପରେ କୋର୍ଟ ଚାଲାଣ କରାଯାଉଛି। ଅପରାହ୍ଣରେ ଜଣଙ୍କ ପରେ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର କୋଭିଡ ଟେଷ୍ଟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏହାପରେ ସମସ୍ତଙ୍କୁ କୋର୍ଟ ନିଆଯାଇଛି। ଏମାନେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। ଗିରଫ ୪ ଜଣ ହେଲେ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଂଜନ ନାୟକ ଓ ଶେଖ ମୁସାଫିର୍। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ୍ ଏମାନଙ୍କୁ ଗିରଫ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।