ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚକୁ ନିଜ ଅପରାଧର ଡେମୋ ଦେଖାଇବେ ପୁଞ୍ଜିଲାଲ। କେବେ, କେଉଁଠି ଏବଂ କେତେବେଳେ ସେ କ’ଣ ସବୁ କରିଥିଲେ ସେ ସଂପର୍କରେ ଏସ୍ଆଇଟିକୁ ଅବଗତ କରିବେ। ଏଥିପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ଯୋଜନା ପ୍ରସ୍ତୁତ କରିଛି।
୬ ଦିନିଆ ରିମାଣ୍ଡରେ ପୁଞ୍ଜିଲାଲଙ୍କଠୁ ଯେଉଁ ସବୁ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ, ସେହି ତଥ୍ୟ ଆଧାରରେ ହେବ ଡେମୋ ପ୍ରଦର୍ଶନ। ପ୍ରଥମେ ପୁଞ୍ଜିଲାଲକୁ ଧରି ଭଇଁଷା କଲେଜକୁ ଯିବ କ୍ରାଇମବ୍ରାଞ୍ଚ। କାରଣ ଫେବ୍ରୁଆରି ୨୦୧୮ରେ ନିଜର ମିଶନ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ କ୍ଲାସ୍ ଆଟେଣ୍ଡ କରିଥିଲେ ପୁଞ୍ଜିଲାଲ୍। ଏହାପରେ ସେଠାରୁ ତାଙ୍କୁ ସିଧାସଳଖ ନିଆଯିବ କଣ୍ଟାବାଞ୍ଜି। ତା’ପରେ ନିଆଯିବ ରାୟପୁର। ରାୟପୁରରେ ଯେଉଁ ସବୁ ରୁଟ୍ ଦେଇ ସେ ଏକ ରିକ୍ସାରେ ବସି ଡିଟିଡିସି ଏବଂ ପରେ ଅଟୋରେ ସ୍କାଏକିଙ୍ଗ କୋରିୟରକୁ ଯାଇଥିଲେ ସେହି ରୁଟ୍ରେ କ୍ରାଇମବ୍ରାଞ୍ଚ ସହ ଯାଇ ଡେମୋ ଦେଖାଇବେ ପୁଞ୍ଜିଲାଲ୍। ସମସ୍ତ ଡେମୋର ଭିଡ଼ିଓଗ୍ରାଫି କରିବ କ୍ରାଇମବ୍ରାଞ୍ଚ।
ଗତ ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା ଏସଆଇଟି। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ତାଙ୍କଠାରୁ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ୬ ଦିନର ରିମାଣ୍ଡ ଅବଧି ସରିବା ପରେ ଆଜି ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ତାଙ୍କୁ ହାଜର କରିବା ପରେ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ଘଟଣାରେ ପୁଞ୍ଜିଲାଲ ବିରୋଧରେ କୌଣସି ସାକ୍ଷୀ ନାହାଁନ୍ତି କି ସାଥୀ ନାହାଁନ୍ତି। ତେଣୁ ତଥ୍ୟ-ପ୍ରମାଣ ଯୋଗାଡ଼ କରି କୋର୍ଟରେ ଦାଖଲ କରିବା କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜ ପାଲଟିଛି। ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ପରେ ଉପର କୋର୍ଟର ଆଶ୍ରୟ ନିଆଯିବ।