କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l
ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ ଘୁଷୁରି ଜଗୁଆଳି ବିଭୁତି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ ଫେରିବା ବାଟକୁ ମାଟି ପକାଇ ଅବରୋଧ କରି ଦେଇଥିଲେ ଘୁଷୁରି ଜଗୁଆଳିଜଣଙ୍କ l
ପ୍ରାୟ ୪ ବର୍ଷ ହେବ ନଦୀର ଉକ୍ତ ସ୍ଥାନରୁ ମଇଁଷି,ଘୁଷୁରି,ଛେଳି ପ୍ରଭୃତି ଟାଣି ନେଇ କୁମ୍ଭୀର ଖାଇ ଦେଉଥିବା ଅଭିଯୋଗ ହେଉଥିଲା l ଗତବର୍ଷ ଅକ୍ଟୋବର ମାସରେ ଜଣେ ଗାଇ ଜଗୁଆଳି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ। କୁମ୍ଭୀର ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ତାହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଛି l