ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା

ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।

ବିରୋଧୀ କର୍ପୋରେଟରଙ୍କ ଧାରଣା

  • Published: Tuesday, 14 February 2023
  • , Updated: 14 February 2023, 09:21 AM IST

କଟକ ମହାନଗର ନିଗମ (ସିଏମସି)ରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଦାବି ପୂରଣ ଦାବିରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର। ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। ହେଲେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି କହିଥିଲେ।

ସିଏମସିର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଡି.ଆର.ତ୍ରିପାଠୀଙ୍କୁ ବଦଳି, ବିନା ବିରୋଧୀଙ୍କ ଉପସ୍ଥିତିରେ ପାରିତ ହୋଇଥିବା ବିଲ୍‌କୁ ପ୍ରତ୍ୟାହାର କରିବା ଓ ବିଧାୟକ ମୋକିମଙ୍କୁ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଦେବାକୁ କର୍ପୋରେଟରମାନେ ଦାବି କରିଥିଲେ ।

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, କଟକ ମହାନଗର ନିଗମରେ ଅଫିସରଙ୍କ ମନମାନି ଚାଲିଛି। ଅଫିସରଙ୍କ ଏହି ମନମାନି କଟକ ସହରବାସୀ ବରଦାସ୍ତ କରିବେନି । ନିନାୟକ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ।

ମେୟର ସୁବାଷ ସିଂହ କହିଛନ୍ତି, କଟକବାସୀଙ୍କ ସ୍ୱାର୍ଥ ପାଇଁ ଏହି କାମ କରାଯାଉ ନାହିଁ। କଟକରେ କିପରି ଭଲ କାମ ହେବା ତାହାକୁ ଦୃଷ୍ଟି ଦେବା କଥା। ସେହି କଥା ନ କରି କାହାକୁ ଡାକିଲେ ଓ କାହାକୁ ନ ଡାକିଲେ ଏନେଇ ହଙ୍ଗାମା କରିବା ଠିକ୍ ନୁହେଁ।

ସୂଚନାଯୋଗ୍ୟ, ଗତକାଲି କଟକ ମହାନଗର ନିଗମରେ କାଉନ୍‌ସିଲ୍‌ ବୈଠକ ହୋଇଥିଲା। ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା। କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ। ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ।।

Related story