‘ବୁଲ୍‌ବୁଲ୍‌’ ଦେଖି ଛାନିଆ ଓଡ଼ିଶାର ଉପକୂଳିଆ ଗାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଲେଣି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍। ଦରକାର ପଡ଼ିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହେଉଥିବା ବେଳେ ଧନଜୀବନ ଓ ଅମଳ […]

rain

Manoranjan Sial
  • Published: Friday, 08 November 2019
  • , Updated: 08 November 2019, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଲେଣି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍। ଦରକାର ପଡ଼ିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହେଉଥିବା ବେଳେ ଧନଜୀବନ ଓ ଅମଳ ଫସଲକୁ ସୁରକ୍ଷା ଦେବାକୁ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜି ଭୋରରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ଲାଗି ରହିଛି। କେଉଁଠି ଝିପିଝିପି ତ ପୁଣି କେଉଁଠି ବଡ଼ ବଡ଼ ଅସରାଏ ବର୍ଷା ହୋଇଛି। ପବନ ମଧ୍ୟ ବୋହୁଛି। ସେପଟେ ଗଭୀର ସମୁଦ୍ରରେ ବଳ ଗୋଟାଇ ଝଡ଼ ଯେତିକି ଶକ୍ତିଶାଳୀ ହେଉଛି, ଏପଟେ ସେତିକି ଉଗ୍ର ହୋଇ ଘୁ ଘୁ ଶବ୍ଦ କରି କୂଳରେ ପିଟି ହେଉଛି ବଡ଼ ବଡ଼ ଜୁଆର। ପ୍ରଳୟଙ୍କରୀ ‘ଫୋନି’ ଭଳି ଏଥର ବିପଦ ନଥିଲେ ମଧ୍ୟ ବର୍ଷା ଓ ପବନ ପ୍ରତି ସତର୍କ ରହିବାକୁ ପୁରୀ ପେଣ୍ଠକଟା ନୋଳିଆ ସାହିରେ ନିଜେ ବୁଲି ବୁଲି ଲୋକଙ୍କୁ ସତର୍କ କରୁଛନ୍ତି ଜିଲ୍ଲାପାଳ। ସେପଟେ ମାତ୍ର ୬ ମାସ ତଳେ ଏକ ଭୟଙ୍କର ବାତ୍ୟାକୁ ସାମ୍ନା କରିଥିବା ମତ୍ସଜୀବୀମାନେ ଆଗୁଆ ସଚେତନ ହୋଇ ଯାଇଛନ୍ତି। ପାଣିପାଗ ବିଭାଗର ସୂଚନା ପାଇବା ପରଠୁ ସମୁଦ୍ରକୁ ଡଙ୍ଗା ବନ୍ଦ।

ବାତ୍ୟା ଏବେ ପଶ୍ଚିମବଙ୍ଗ ମୁହାଁ। ଉତ୍ତର-ପଶ୍ଚିମ ସମୁଦ୍ର ଏବେ ଅଧିକ ଅଶାନ୍ତ। ତା’ର ପ୍ରଭାବରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବ ପବନ ସାଙ୍ଗକୁ ବର୍ଷା। ତେଣୁ ସତର୍କ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦିଆଯାଉଛି ସତର୍କ ସୂଚନା। ସେପଟେ ସମୁଦ୍ରରେ ନିଶ୍ଚିତ ବିପଦ ରହିଥିବା ଜାଣି ଚାନ୍ଦବାଲିରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିବା ପ୍ରାୟ ୫୦ଟି ମାଛଧରା ବୋଟ୍ ଅଧାରୁ ଫେରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ସେମାନଙ୍କୁ ଆଗକୁ ଯିବାକୁ ରେଡ୍‌ ସିଗନାଲ୍‌ ମିଳିବା ପରେ ତୁରନ୍ତ ଭଦ୍ରକର ଧାମରା କୂଳକୁ ଫେରି ଆସିଛନ୍ତି। ବାତ୍ୟା ‘ବୁଲବୁଲ’ ପ୍ରଭାବରେ ପୁରୀଠୁ ବାଲେଶ୍ୱର ଯାଏଁ ୯ଟି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ସବୁଠି ମୁକାବିଲା ଲାଗି ପ୍ରସ୍ତୁତିକୁ ଜୋରଦାର କରିଛି। ବର୍ଷା ଓ ପବନର ମୁକାବିଲା ପାଇଁ ବାଲେଶ୍ୱରରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ବୈଠକ କରି ସାମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କୂଳରେ ଅବସ୍ଥିତ ସମୁଦ୍ରକୂଳିଆ ଗାଁ ଗୁଡ଼ିକର ଲୋକମାନେ ସାମାନ୍ୟ ଆତଙ୍କିତ ହୋଇ ପଡ଼ିଛନ୍ତି। ଉଚ୍ଚ ଜୁଆର ଦାଉରୁ ରକ୍ଷା ପାଇବା ପାଇଁ ନିର୍ମାଣ ହୋଇଥିବା ଜିଓ ସିନ୍ଥେଟିକ୍ ଓ୍ୱାଲ୍ ଉପରେ ମାଡ଼ ହେଉଛି ବଡ଼ ବଡ଼ ଲହଡ଼ି। ଠିକ୍‌ ସେମିତି ଅସ୍ତରଙ୍ଗ ନିକଟ ସମୁଦ୍ରକୂଳିଆ ଗାଁ କେଉଟଜଙ୍ଗା, ତଣ୍ଡାହର, ଛେନୁ, କଟକଣା, ଉଦୟକଣି ଓ କଲମକଣିରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

ପବନର ବେଗ ବଢ଼ିଲେ କିଛି ସ୍ଥାନରେ ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି। ସେ ସବୁ ସ୍ଥାନରେ ଯେପରି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିବେ, ସେଥିପାଇଁ ହୋଇଛି ଆଗୁଆ ବ୍ୟବସ୍ଥା। ପ୍ରଭାବିତ ହେବାକୁ ଥିବା ଉପକୂଳିଆ ଜିଲ୍ଲାଗୁଡ଼ିକରେ ୨ଟି ଲେଖାଏଁ ଓଡ୍ରାଫ୍‌ ଓ ଗୋଟିଏ ଲେଖାଏଁ ଏନ୍‌ଡିଆରଫଏଫ୍‌ ଟିମ୍ ପହଞ୍ଚି ସାରିଛନ୍ତି। ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।

Related story