ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବାଇସି ବର୍ଷର ପୁଅ ମରିଯିବା ଯାହା, ଏ ଧାନ ଯିବା ସେୟା। ବିଲକୁ ଗଲେ ଟେନ୍ସନ ବଢ଼ୁଛି। ସେଥିପାଇଁ ବିଲକୁ ଆମେ ଯାଉନୁ। ଆଉ ବିଲରେ କଣ ଅଛି ଯିବି, ସବୁ ପଳାଇଗଲା।” ଇଏ ହେଉଛି ଜଣେ ଚାଷୀର କ୍ଷୋଭ ବା ଛାତି ତଳର ଯନ୍ତ୍ରଣା ହୋଇପାରେ। ହେଲେ ଏହା ସତ ଯେ, ତା’ ଆଖି ଆଗରେ ଯେତେବେଳେ ବର୍ଷର ଝାଳ ବୁହା ପରିଶ୍ରମ ବାତ୍ୟାରେ ଭିଜିଯାଉଛି, ସେତେବେଳେ ସେ କଣ ବା କରିବ? ଇଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଠାଉରୀ ଗାଁର କ୍ଷତିଗ୍ରସ୍ତ ଚାଷୀ ମଧୁସୂଦନ ସ୍ୱାଇଁଙ୍କ କ୍ଷୋଭ।
ମଧୁସୂଦନଙ୍କ କହିବା ଅନୁସାରେ ଚଳିତବର୍ଷ ସେ ନିଜର ଦୁଇ ଏକର ଓ ଭାଗ ଚାଷ ତିନି ଏକର ଜମିରେ ଧାନ ଚାଷ କରିଥିଲେ। ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଫଳାଇଥିଲେ। ଭଲ ଚାଷ ମଧ୍ୟ ହୋଇଥିଲା। ଆଉ କିଛି ଦିନ ପରେ ଧାନ ଅମଳ କରି ଘରକୁ ଆଣିଥାଆନ୍ତେ। ହେଲେ ସବୁ ସାରିଦେଲା ବାତ୍ୟା ‘ଜୱାଦ’।
ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁନଥିଲେ ମଧ୍ୟ ଦେଇଯାଇଛି ଦୁଃଖ ଓ ଯନ୍ତ୍ରଣା। ବର୍ଷା ପାଣିରେ ଭିଜିଛି ବର୍ଷକର ପରିଶ୍ରମର ଫସଲ। ଧାନ ଉପରେ ଜମି ରହିଛି ବର୍ଷା ପାଣି। ଏତେ ବର୍ଷା ହୋଇଛି ଯେ, ପାଣି ନିଷ୍କାସିତ ହେଉନାହିଁ। ଧାନ ଘରକୁ ଆସିବ କି ନାହିଁ ସନ୍ଦେହ କରୁଛନ୍ତି ମଧୁସୂଦନ। ସେଥିପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଉ ଅଭିମାନ କରି କହୁଛନ୍ତି, ବିଲକୁ କାହିଁକି ଯିବି? ଗଲେ ଟେନ୍ସନ୍ ଲାଗୁଛି ବୋଲି କ୍ଷତିଗ୍ରସ୍ତ ଚାଷୀ ମଧୁସୂଦନ କହିଛନ୍ତି। ଏ ଦଶା କେବଳ ମଧୁସୂଦନ ଭୋଗୁନାହାନ୍ତି, ଶହ ଶହ ଚାଷୀଙ୍କ ସମାନ ଦୁଃସ୍ଥିତି।
ଅବିଶ୍ରାନ୍ତ ବର୍ଷା ମାଡ଼ରେ କେବଳ ଧାନ ଘାଇଲା ହୋଇନାହିଁ। ପରିବା ଫସଲ ଉଜୁଡ଼ି ଯାଇଛି। କଟକ ଜିଲ୍ଲାର ତରକାରୀ ହାଣ୍ଡି ଭାବେ ପରିଚିତ ବାଙ୍କି କୁସପଙ୍ଗି ଅଞ୍ଚଳରେ ଜମିଥିବା ବର୍ଷା ପାଣିରେ ଝୁଲୁଛି ଝୁଡ଼ଙ୍ଗ, ପଚି ଯାଇଛି ପୋଟଳ, ପୋକ ଧରିଲାଣି ଫୁଲକୋବି। ଚାଷୀ ତୋଳିବାକୁ ଗଲା ବେଳକୁ ଯାହାକୁ ଧରୁଛି ସିଏ ସଢ଼ା। ସମାନ ସ୍ଥିତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସୁବର୍ଣ୍ଣରେଖା କୂଳରେ। ୮ ଦିନ ତଳେ ଯେଉଁ ପନିପରିବା ସବୁ ଛନଛନ ହୋଇ ଜମିରେ ହସୁଥିଲା, ଏବେ ପଚି ଜମିରେ ଲୋଟିଲାଣି। ସୁବର୍ଣ୍ଣରେଖା କୂଳରେ ପ୍ରାୟ ୩୫ ହଜାର ହେକ୍ଟର ଜମିରେ ପରିବା ଫସଲକୁ କ୍ଷତି ପହଞ୍ଚିଥିବା ଆକଳନ କରାଯାଉଛି।