ଶନିବାର ସ୍ଥଳଭାଗ ଛୁଇଁବ ବାତ୍ୟା ‘ଜୱାଦ’: ପବନର ବେଗ ୧୧୦ ରହିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସହ ଆସନ୍ତା ଡିସେମ୍ବର ୪ ତାରିଖ ଶନିବାର ସକାଳେ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ‘ଜୱାଦ’ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ଅତି ବେଶୀରେ ୧୧୦ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର […]

Cyclone

Cyclone

Ordigital Desk
  • Published: Tuesday, 30 November 2021
  • Updated: 01 December 2021, 07:36 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସହ ଆସନ୍ତା ଡିସେମ୍ବର ୪ ତାରିଖ ଶନିବାର ସକାଳେ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ‘ଜୱାଦ’ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ଅତି ବେଶୀରେ ୧୧୦ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ଡିସେମ୍ବର ୩ ତାରିଖ ମଧ୍ୟରାତ୍ରିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଝଡ଼ପବନ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଆଜି ‘ବାତ୍ୟା’ ଜୱାଦ ସମ୍ପର୍କରେ ସୂଚନା ଜାରି କରି ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଡିସେମ୍ବର ୨ତାରିଖ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେବ। ଯାହାକି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ତୀବ୍ର ହେବା ସହ ଡିସେମ୍ବର ୪ ତାରିଖ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଂଚିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାରୁ ଅନୁସାରେ ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ଭିତରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୮୫ କିମି ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

https://twitter.com/mcbbsr/status/1465715359009280006?s=20

ସେହିପରି ୪ ତାରିଖ ସକାଳ ସାଢ଼େ ୮ଟାରୁ ୫ ତାରିଖ ସକାଳ ସାଢ଼େ ୮ଟା ଭିତରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟାର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବହିପାରେ।

https://twitter.com/mcbbsr/status/1465682359890571267?s=20

୫ ତାରିଖ ସକାଳ ସାଢ଼େ ୮ଟାରୁ ୬ ତାରିଖ ସକାଳ ସାଢ଼େ ୮ଟା ଭିତରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସ୍ଥିତି ଉପରେ ସତର୍କ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟାକୁ ଦେଖି ସତର୍କ ସୂଚନା ଜାରି କଲେ ପାଣିପାଗ ବିଭାଗ

୧: ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସହ ପାଣି ଜମିପାରେ।

୨: କଚ୍ଚା ଘରର କାନ୍ଥ ପଡ଼ିଯିବାର ସମ୍ଭାବନା ରହିଛି।

୩: ଅସ୍ଥାୟୀ ଭାବେ ମୁନିସିପାଲଟି ସେବା ବ୍ୟାଘାତ, ଅଣ୍ଡରପାସ୍‌ ରାସ୍ତାରେ ପାଣି ଜମି ପରେ। ସହରାଞ୍ଚଳରେ ସାମୟିକ ଭାବେ ତୀବ୍ର      ବୃଷ୍ଟିପାତ ପ୍ରଭାବରେ ଟ୍ରାଫିକ ଯାତାୟତ ପ୍ରଭାବିତ ସମ୍ଭାବନା ରହିଛି।

୪: କେତେକ ଅଞ୍ଚଳରେ ଜଳମଗ୍ନ ଯୋଗୁ ବଗିଚା ଚାଷ ତଥା ଛିଡ଼ା ହୋଇଥିବା ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି।

୫: ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ପ୍ରଭାବରେ ଭୂସ୍ଖଳନ ସମ୍ଭାବନା ରହିଛି।

୬: ବାସ ଅନୁପଯୋଗୀ ଘରେ ନରିବା ଓ ପ୍ରଭାବିତ ଅଞ୍ଚଳରେ ଯାତାୟତରୁ ନିବୃତ୍ତ ରୁହନ୍ତୁ।

୭: ପାଚି ଯାଇଥିବା ଧାନ ଫସଲର ଅମଳ ସହ ଅମଳ ହୋଇଥିବା ଧାନ ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବ୍ୟବହାର ଉପଯୋଗୀ ଫୁଲକୋବି ଓ ବନ୍ଧା କୋବି ଭଳି ରବି ଫସଲକୁ ଅମଳ କରିନିଅନ୍ତୁ।

୮: ଆଗକୁ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖନ୍ତୁ।

୯: ଫସଲ ଓ ପନିପରିବା ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଆବଶ୍ୟକ ନାଳିର ବ୍ୟବସ୍ଥା କରନ୍ତୁ।

୧୦: କଦଳୀ, ଅମୃତଭଣ୍ଡା ଓ ଅନ୍ୟାନ୍ୟ ଲତାଜାତୀୟ ଏବଂ ପନିପରିବାକୁ ଭରା ଦେଇ ରଖନ୍ତୁ।

୧୧: ଆଗକୁ ଭାରି ବର୍ଷା ହେବାକୁ ଥିବାରୁ ରବି ଫସଲ ଯଥା- ମୁଗ, ବିରି, ସୋରିଷ, ବାଦାମ ଏବଂ ପନିପରିବା ଯଥା- କୋବି, ପିଆଜ, ଧନିଆ, ଆଳୁର ବୁଣାବୁଣି ସାମୟିକ ସ୍ଥଗିତ ରଖନ୍ତୁ।

୧୨: ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ପାନୀୟ ଜଳକୁ ୪ରୁ ୫ ଦିନ ପର୍ଯ୍ୟନ୍ତ ମହଜୁଦ ରଖନ୍ତୁ।

୧୩: ଗୃହପାଳିତ ପଶୁପକ୍ଷୀଙ୍କୁ ବର୍ଷା ଓ ପବନ ସମୟରେ ବାହାରେ ଛାଡ଼ନ୍ତୁ ନାହିଁ।

୧୪: ଗୁହାଳ ଘର ଓ ଫାର୍ମ ଛତକୁ ମଜବୁତ ରଖନ୍ତୁ।

୧୫: ପରିବା ଚାଷ ହୋଇଥିବା ଖେତ ତଥା ଛିଡ଼ା ହୋଇଥିବା ଫସଲ କ୍ଷେତରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos