ଆଜି ସ୍ପଷ୍ଟ ହେବ ବାତ୍ୟା ‘ଜୱାଦ’ର ଗତିପଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଚିତ୍ର ସ୍ପଷ୍ଟ, ହେଲେ ଗତିପଥ ଅସ୍ପଷ୍ଟ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର  ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ବାତ୍ୟା ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ । ତେବେ ଏହା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ ତାହା […]

cyclone

cyclone

Niharika Rout
  • Published: Thursday, 02 December 2021
  • Updated: 02 December 2021, 01:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଚିତ୍ର ସ୍ପଷ୍ଟ, ହେଲେ ଗତିପଥ ଅସ୍ପଷ୍ଟ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର  ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ବାତ୍ୟା ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ । ତେବେ ଏହା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ ତାହା ଆଜି ସ୍ପଷ୍ଟ ହେବ ବୋଲି କହିଛନ୍ତି  ଆଇଏମ୍‌ଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଉପକୂଳ ଦେଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । ନଚେତ୍ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇପାରେ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ବାତ୍ୟାର ପ୍ରକୋପ ଯୋଗୁ ଆସନ୍ତା ୩ରୁ ୫ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଡିସେମ୍ବର ୩ରୁ ୪ତାରିଖ ସକାଳ ଯାଏଁ ୪ଟି ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂପୁରକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି । କିନ୍ତୁ ୪ ତାରିଖରେ ଉକ୍ତ ୪ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯିବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତାସହ ସେହି ଦିନ ଆଉ ୭ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ବି ସେଦିନ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ତେବେ ୫ ତାରିଖ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ସହ ୭ ଜିଲ୍ଲାକୁ ୟେଲୋ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ।

ଅପରପକ୍ଷେ, ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ପରିସ୍ଥିତିର ମୁକାବିଲା ଓ ବାତ୍ୟା ପରେ ରେସକ୍ୟୁ ଅପରେସନ୍ କାର୍ଯ୍ୟକୁ ତଦାରଖ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏହି ସବୁ ରାଜ୍ୟରେ ୩୨ଟି NDRF ଟିମ୍ ମୁତୟନ ହେବେ  ।   ଆବଶ୍ୟକ ପଡ଼ିଲେ ସେନାବାହିନୀର ସହଯୋଗ ନିଆଯିବ ବୋଲି କ୍ୟାବିନେଟ୍ ସଚିବଙ୍କ ପକ୍ଷରୁ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।

ବାତ୍ୟା ମୁକାବିଲା ପାଇଁ ମୁତୟନ ହେବେ ରେସପନ୍ସ ଫୋର୍ସ  । ୧୪ଟି ଏନଡିଆରଏଫ ଟିମ୍‌ ୨୮ ୟୁନିଟ୍ ହୋଇ କାର୍ଯ୍ୟ କରିବେ । ୨୦ଟି ଓଡ୍ରାଫ୍ ଟିମ୍ ୬୦ଟି ୟୁନିଟ୍‌ ହୋଇ କାର୍ଯ୍ୟ କରିବେ  । ୨୦୦ ଅଗ୍ନିଶମ ଟିମ୍ ବାତ୍ୟା ମୁକାବିଲା ପାଇଁ ମୁତୟନ ହେବେ । କେଉଁ ଜିଲ୍ଲାକୁ କେତେ ଟିମ୍ ପଠାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।  ଶୁକ୍ରବାର ସୁଦ୍ଧା ରେସପନ୍ସ ଫୋର୍ସ ଜିଲ୍ଲାମାନଙ୍କରେ ପହଞ୍ଚିବେ ଏବଂ ଦରକାର ପଡ଼ିଲେ ଆଉ ୧୦ଟି ଏନଡିଆରଏଫ ଟିମ୍ ମଗାଯିବ ବୋଲି ଏସ୍‌ଆରସି  କହିଛନ୍ତି । ସେପଟେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ  କୁହାଯାଇଛି।  ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱରୀ ।

ବାତ୍ୟା ‘ଜୱାଦ’ ର  ଗତିପଥ ଜଣାପଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ତଳୁଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସଚେତନ କରାଇବା ପାଇଁ ମାଇକ୍ ମାଧ୍ୟମରେ ପ୍ରଚାର କରିବା ଓ ଅସହାୟ, ବୃଦ୍ଧ, ଆସନ୍ନପ୍ରସବା ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଜୱାଦ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ଅଧିକ ପମ୍ପ ପ୍ରସ୍ତୁତ ରଖିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ  ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କାରେ ଦିନ କାଟୁଛନ୍ତି  ଚାଷୀ ।  ଅମଳ ସମୟରେ ପବନ ଓ ବର୍ଷା ଖବର ଶୁଣି ମନରେ ଛନକା ପଶିଛି । ତେଣୁ ଯାହା କିଛି ଫସଲ ହୋଇଛି ତାକୁ କାଟି ଖଳାକୁ ନେବାକୁ ଯଥାସାଧ୍ୟ ଚେଷ୍ଟା କରୁଛି ଚାଷୀ । ନୂଆପଡ଼ା ଜିଲ୍ଲାର ଚାଷୀ ଧାନ ଫସଲକୁ କାଟି ଖଳାକୁ ନେଉଛନ୍ତି । ତାସହ ଧାନକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି। ସମାନ ପରିସ୍ଥିତି ବରଗଡ଼ ଜିଲ୍ଲାରେ ବି ଦେଖିବାକୁ ମିଳୁଛି। ମରୁଡ଼ି ସମସ୍ୟାରେ ଚାଷୀ ପେଶି ହେଉଥିବା ବେଳେ ଏବର୍ଷ ଭଲ ଫସଲ ହୋଇଥିଲା । ହେଲେ ମୁଣ୍ଡ ଉପରେ ବାତ୍ୟା ଭୟ ଏବେ ସବୁ କିଛି ଉଜାଡ଼ି ଦେବାକୁ ଯାଉଛି । ତେଣୁ ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଲାଗି ପଡ଼ିଛନ୍ତି ଚାଷୀ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos