କେନାଲରୁ ମିଳିଲା ବୁଲେଟ୍ ସହ ଯୁବକଙ୍କ ମୃତଦେହ, ୬ ମାସ ତଳେ ବାହା ହୋଇଥିଲେ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ କଲେଜ ନିକଟସ୍ଥ କେନାଲରୁ ଏକ ବୁଲେଟ୍ ସହିତ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ଦାସ (୨୪)। ତାଙ୍କ ଘର ପରମାନନ୍ଦପୁର ଗାଁରେ।

ବସନ୍ତଙ୍କ ବାପା ଗୋଲେଖ ଦାସ କହିଛନ୍ତି, ଗତକାଲି ସକାଳ ୯ଟାରୁ ସେ ଘରୁ ବାହାରି ଯାଇଥିଲା କୌଣସି ସାଙ୍ଗମାନଙ୍କୁ ଦେଖା କରିବାକୁ। ଫୋନ୍‌ ଯୋଗେ ସେ ରାଜକନିକାରେ ଥିବା କହିଥିଲା। ସାଙ୍ଗମାନଙ୍କ ସହିତ ସେ ଭୋଜି କରୁଥିବା ମଧ୍ୟ କହିଥିଲା। ଅପରାହ୍ଣ ୪ଟାରେ ସେ ଘରକୁ ଫେରିଥିଲା। କିନ୍ତୁ ତାଙ୍କ ପାଖରେ ମୋବାଇଲ୍ ନଥିଲା। ସାଙ୍ଗମାନଙ୍କ ପାଖରେ ମୋବାଇଲ୍ ଛାଡ଼ି ଆସିଥିବା କହିଥିଲା। ଏପରିକି ତାଙ୍କ ସାଙ୍ଗ ମାନେ ଘରକୁ ଆସି ମୋତେ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲା। ତା’ପରେ ଗାଡ଼ି ନେଇ ପୁଣି ତା’ ସାଙ୍ଗ ମାନଙ୍କ ପାଖକୁ ଚାଲି ଯାଇଥିଲା।

ସେ ଆହୁରି କହିଛନ୍ତି, ସନ୍ଧ୍ୟା ୮ଟା ସୁଦ୍ଧା ପୁଅ ଘରକୁ ଫେରିଲା ନାହିଁ। ତା’ ମୋବାଇଲ୍ ବି ସୁଇଚ୍ ଅଫ୍ କହୁଥିଲା। ଏହା ପରେ ଆମେ କିଛି ସ୍ଥାନରେ ଖୋଜାଖୋଜି କରିଥିଲୁ। କିନ୍ତୁ ତା’ର କୌଣସି ପତ୍ତା ମିଳି ନଥିଲା। ଆଉ ଆଜି ସକାଳେ ତା’ ମୃତଦେହ ପଡ଼ିଥିବା ନେଇ ଆମେ ଖବର ପାଇଲୁ।

ବସନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ବସନ୍ତଙ୍କ ସେହି ଦୁଇ ଜଣ ସାଙ୍ଗଙ୍କ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ କିଛି ଜଣାନାହିଁ। ସେମାନେ ସେହି ଦୁଇ ଜଣଙ୍କୁ ଚିହ୍ନି ନାହାନ୍ତି।

ଚାନ୍ଦବାଲି ଏସ୍‌ଡିପିଓ କହିଛନ୍ତି ଯେ ପୂରା ତଦନ୍ତ ପରେ ଘଟଣା ପଛର ପ୍ରକୃତ କଥା ଜଣାପଡ଼ିବ। ସୂଚନାଯୋଗ୍ୟ, ବସନ୍ତ ୬ ମାସ ତଳେ ବିବାହ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।