ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମ ଯନ୍ତ୍ରଣା ପାଇ ପୁଅକୁ ଜନ୍ମ ଦେଇଥିଲା। ହେଲେ ସେ ବିଶିକେଶନ ଆଜି ନାହିଁ ବୋଲି ସ୍ନେହ ରଙ୍କୁଣୀ ମାଆ ବିଶ୍ୱାସ କରିପାରୁନି। ଦାଣ୍ଡ ଦୁଆର ମୁହଁରେ ଛିଡ଼ା ହୋଇ ଅନେଇଛି ପୁଅର ଫେରିବା ବାଟକୁ। କେତେବେଳେ ଫେରିବ ମୋ ଆଖିର ତାରା। ହେଲେ ସବୁ କିଛି ମିଳେଇ ଯାଇଛି କ୍ଷଣକ ଭିତରେ। ପୁଅକୁ ନପାଇ ଅନ୍ଧୁଣୀଙ୍କ ପରି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛି ଦିନରାତି। ଆଉ କହୁଛି, ଆଖିରୁ ଲୁହ ସିନା ଶୁଖି ଯାଇଛି... ହୃଦୟ ସବୁବେଳେ କାନ୍ଦୁଛି। ଇଏ ହେଉଛି ସେହି ମାଆର କୋହ। ଯାହାଙ୍କ ପୁଅ(ମନୋଜ ସ୍ୱାଇଁ) ମୃତଦେହ କଟକରେ ଏକ ରେଳ ଧାରଣାରୁ ମିଳିଥିଲା। ଇଏ ହେଉଛନ୍ତି ମୃତ ମନୋଜ ସ୍ୱାଇଁଙ୍କ ମାଆ ବାସନ୍ତୀ ସ୍ୱାଇଁ।
ନିଆଳି ଥାନା କଣ୍ଟିଶାଳ ଗାଁର ମନୋଜ କଟକରେ ଏକ କମ୍ପାନୀରେ ଚାକିରି କରୁଥିଲେ। ସେଠାରେ ତାଙ୍କର ସମ୍ପର୍କ ଗଢ଼ି ଉଠେ ରେଭେନ୍ସା ଛାତ୍ରୀ ପଦ୍ମା(ଛଦ୍ମନାମ)ଙ୍କ ସହିତ। ତିନିବର୍ଷ ଧରି ତାଙ୍କୁ ଭଲପାଉଥିଲେ। ତା’ର ଦରମା ଟଙ୍କା ପଦ୍ମାଙ୍କ ପାଠ ପଢା ଓ ସଉକରେ ଖର୍ଚ୍ଚ କରୁଥିଲେ। ପାଠ ପଢା ସରିବା ପରେ ପଦ୍ମା ବ୍ରାହ୍ମଣ ଜାତିର ହୋଇଥିବାରୁ ବାହା ହେବେ ନାହିଁ ବୋଲି କୁଆଡ଼େ ମନୋଜକୁ କହିଥିଲେ। ଯାହାକୁ ନେଇ ମନୋଜ ଭାଙ୍ଗି ପଡ଼ିଥିଲେ ବୋଲି ବାସନ୍ତୀ କହିଛନ୍ତି।
ମରିବା ପୂର୍ବରୁ ମନୋଜା ତାଙ୍କ ମାଆଙ୍କୁ କହିଥିଲେ, ପଦ୍ମାଙ୍କ ବଡ଼ବାପାଙ୍କ ପୁଅମାନେ ବହୁତ ଦୁର୍ଦ୍ଦାନ୍ତ। ପଦ୍ମାକୁ ନେଇ ଆସିଲେ, ସେମାନେ ମୋତେ ମାରିଦେବେ। ଏଥିରୁ ସ୍ପଷ୍ଟ ହେଉଛି ମୋ ପୁଅକୁ ପଦ୍ମାଙ୍କ ବଡ଼ବାପାଙ୍କ ପୁଅମାନେ ମାରି ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଛନ୍ତି। ସେ ଆତ୍ମହତ୍ୟା କରିପାରିବ ନାହିଁ ବୋଲି ବାସନ୍ତୀ କୋହଭରା କଣ୍ଠରେ କହିଛନ୍ତି। ମୁଁ କାନିପାତି ମୋ ପୁଅର ମୃତ୍ୟୁ ପାଇଁ ସରକାରଙ୍କୁ ନ୍ୟାୟ ମାଗୁଛି ବୋଲି ବାସନ୍ତୀ କହିଛନ୍ତି।
ଗତ ୧୨ ତାରିଖ ଭୋର୍ ସମୟରେ ମନୋଜ ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳ ଧାରଣାକୁ ଯାଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଆରପିଏଫ୍ ରେଳ ଟ୍ରାକ୍ରୁ ମୃତଦେହ ଜବତ କରିଛି। ଏପରିକି ମୃତଦେହ ପାର୍ଶ୍ୱରୁ ଗୋଟିଏ ମୋବାଇଲ ଓ ସୁଇସାଇଡାଲ୍ ନୋଟ୍ ଜବତ କରିଛି। ଯେଉଁଥିରେ ରହିଛି ନିଜ ପ୍ରେମ ସମ୍ପର୍କର ପୂରା କାହାଣୀ। ପ୍ରେମିକା ଧୋକା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।
https://youtu.be/VYjCL4dS8CM