କଟକ(ଓଡ଼ିଶା ରିପୋର୍ଟର): ଭୀମ୍ସାରେ କୋଭିଡ ଚିକିତ୍ସାରେ ଅବହେଳା ଅଭିଯୋଗ ମାମଲାରେ ମୃତକଙ୍କ ପରିବାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। କ୍ଷତିପୂରଣ ଦେବା ସହ ମେ' ୨ ସୁଦ୍ଧା କଂପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି। ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି।
ପୂର୍ବରୁ ବୁର୍ଲା ଭୀମସାର ମେଡିକାଲ କଲେଜରେ କିଛି କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମେଡିକାଲ ବିରୋଧରେ ଅଭିଯୋଗ କରିଥିଲେ। ପରିବାର ଲୋକେ କହିଥିଲେ କି ମେଡିକାଲରେ ଚିକିତ୍ସା ଅବହେଳାରୁ ସେମାନଙ୍କ ପରିଜନଙ୍କର ମୃତ୍ୟୁ ହୋଇଥିଲା। ଏନେଇ କୋର୍ଟ ତରଫରୁ ଜଣେ ଅବସର ପ୍ରାପ୍ତ ଜଷ୍ଟିସଙ୍କୁ ଏହାର ତଦନ୍ତ କରିବାକୁ ଦାୟୀତ୍ୱ ଦେଇଥିଲେ ହାଇକୋର୍ଟ। ଏବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ଷତିପୂରଣ ଦେବାକୁ କହିଛନ୍ତି।