ଋଣବୋଝ: ୫ ବର୍ଷରେ ଦ୍ୱିଗୁଣ ବଢ଼ିଛି, ବର୍ଷ ଶେଷକୁ ଦେଢ଼ଲକ୍ଷ କୋଟି ଟଙ୍କା ଛୁଇଁବ

ଭୁବନେଶ୍ୱର(ପ୍ରକାଶ ସେଠୀ): ସିଏଜିଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ବାର୍ଷିକ ବଜେଟର ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରୁନଥିବା ରାଜ୍ୟ ସରକାର ଏବେ ଓଡ଼ିଶାକୁ ପୁଣିଥରେ ଋଣଯନ୍ତା ଭିତରକୁ ଠେଲି ଦେବାକୁ ଯାଉଛନ୍ତି। କ୍ରମାଗତ କିଛିବର୍ଷ ଧରି ରାଜ୍ୟ ବଜେଟର କଳେବର ବୃଦ୍ଧି କରି ରାଜ୍ୟ ଅର୍ଥନୀତିର ଗୋଲାପୀ ଚିତ୍ର ଦେଉଥିବା ରାଜ୍ୟ ସରକାର ବାସ୍ତବରେ ଓଡ଼ିଶାର ରଣବୋଝକୁ ମାତ୍ର ୫ବର୍ଷ ମଧ୍ୟରେ ଦ୍ୱିଗୁଣରୁ ଅଧିକ କରିଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା […]

y

Manoranjan Sial
  • Published: Tuesday, 17 November 2020
  • , Updated: 17 November 2020, 08:17 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ସିଏଜିଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ବାର୍ଷିକ ବଜେଟର ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରୁନଥିବା ରାଜ୍ୟ ସରକାର ଏବେ ଓଡ଼ିଶାକୁ ପୁଣିଥରେ ଋଣଯନ୍ତା ଭିତରକୁ ଠେଲି ଦେବାକୁ ଯାଉଛନ୍ତି। କ୍ରମାଗତ କିଛିବର୍ଷ ଧରି ରାଜ୍ୟ ବଜେଟର କଳେବର ବୃଦ୍ଧି କରି ରାଜ୍ୟ ଅର୍ଥନୀତିର ଗୋଲାପୀ ଚିତ୍ର ଦେଉଥିବା ରାଜ୍ୟ ସରକାର ବାସ୍ତବରେ ଓଡ଼ିଶାର ରଣବୋଝକୁ ମାତ୍ର ୫ବର୍ଷ ମଧ୍ୟରେ ଦ୍ୱିଗୁଣରୁ ଅଧିକ କରିଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରିଛନ୍ତି। ରାଜ୍ୟ ସରକାର ଆସନ୍ତା ୨୦ତାରିଖରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବାକୁ ଯାଉଥିବାବେଳେ ଋଣବୋଝ ଓ ଗୋଲାପୀ ଅର୍ଥନୀତି ଓଡ଼ିଶାରେ ପୁଣିଥରେ ‘ଓଭରଡ୍ରାଫ୍ଟ’ ଯୁଗର ଅୟଂଆରମ୍ଭର ସଙ୍କେତ ଦେଇଥିବା ଜଣାପଡ଼ିଛି।

ରାଜ୍ୟ ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ମାର୍ଚ୍ଚ ଶେଷସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୧ଲକ୍ଷ ୮ହଜାର ୨୫୮କୋଟି ଟଙ୍କା ଥିବାବେଳେ ୨୦୨୦ ମାର୍ଚ୍ଚ ଶେଷ ବେଳକୁ ଏହା ବୃଦ୍ଧି ପାଇଁ ୧ଲକ୍ଷ ୨୫ହଜାର ୫୪୯କୋଟି ଟଙ୍କା ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୪୫୦କୋଟି ଟଙ୍କା ଋଣ ଆଣିବାକୁ ଲକ୍ଷ୍ୟ ରଖିଥିବାବେଳେ ଜୁଲାଇ ଶେଷସୁଦ୍ଧା ୧୦୬୯୫କୋଟି ଟଙ୍କା ଋଣ ଆଣିସାରିଛନ୍ତି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ରାଜ୍ୟରେ ବିଜେଡି ସରକାର ଗଠନ ହେବାବେଳେ ଓଡ଼ିଶାର ମୋଟ ଋଣବୋଝ ୨୧,୦୦୨କୋଟି ଟଙ୍କା ଥିଲା, ଯାହାକି ୨୦୧୫ ମାର୍ଚ୍ଚ ଶେଷସୁଦ୍ଧା ୫୦,୪୯୩କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ୧୫ବର୍ଷ ମଧ୍ୟରେ ରାଜ୍ୟର ଋଣବୋଝ ମାତ୍ର ୨୯ହଜାର କୋଟି ଟଙ୍କା ବୃଦ୍ଧି ହୋଇଥିଲାବେଳେ ଗତ ୫ବର୍ଷ ମଧ୍ୟରେ(୨୦୨୦ ମାର୍ଚ୍ଚ ଶେଷସୁଦ୍ଧା) ରାଜ୍ୟ ଉପରେ ଅଧିକ ୭୫ହଜାର ୫୬କୋଟି ଟଙ୍କାର ଋଣବୋଝ ଲଦି ଦିଆଯାଇଛି। ୨୦୧୮ରେ ୨୧୫୪୧ କୋଟି, ୨୦୧୯ରେ ୧୧୦୯୪କୋଟି ଓ ୨୦୨୦ରେ ୧୭,୨୯୧କୋଟି ଟଙ୍କା ଋଣବୋଝ ରାଜ୍ୟ ଉପରେ ବୃଦ୍ଧି ପାଇଛି।

୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର ୨୦୨୩ ମାର୍ଚ୍ଚ ଶେଷସୁଦ୍ଧା ଅଧିକ ପ୍ରାୟ ୮୩ହଜାର କୋଟି ଟଙ୍କାର ଋଣ ସଂଗ୍ରହ କରିବେ ବୋଲି ଆକଳନ କରିଛନ୍ତି। ୨୦୨୦-୨୧ରେ ୨୫୪୫୦କୋଟି, ୨୦୨୧-୨୨ରେ ୨୭୨୯୬କୋଟି ଓ ୨୦୨୨-୨୩ରେ ୩୦୪୨୦କୋଟି ଟଙ୍କାର ଋଣବୋଝ ଓଡ଼ିଶା ଉପରେ ପଡ଼ିବ ବୋଲି ଜଣାପଡ଼ିଛି। ଯଦି ରାଜ୍ୟ ସରକାର ନିଜ ଆକଳନ ଅନୁସାରେ ଋଣ କରନ୍ତି ତା’ହେଲେ ୨୦୨୪ ସାଧାରଣ ନିର୍ବାଚନବେଳକୁ ଓଡ଼ିଶାର ଋଣବୋଝ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବ।

ଅନ୍ୟପକ୍ଷରେ ଏଫଆରବିଏମ୍ ଆକ୍ଟ-୨୦୧୬ ସଂଶୋଧନ ଅନୁସାରେ ରାଜ୍ୟର ଋଣବୋଝକୁ ରାଜ୍ୟର ମୋଟ ଜିଡିପିର ସର୍ବାଧିକ ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ ବୋଲି ପ୍ରାବଧାନ ରହିଛି। ରାଜ୍ୟ ସରକାର ସେହି ପ୍ରାବଧାନର ଉଦାହରଣ ଦେଇ ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଛି ବୋଲି ଦାବି କରୁଥିଲେ ମଧ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଋଣବୋଝ ମୋଟ ରାଜ୍ୟ ଜିଡିପିର ୨୧ ପ୍ରତିଶତ ଛୁଇଁବ ବୋଲି ସରକାର ଆକଳନ କରିଛନ୍ତି। ରାଜ୍ୟର ଋଣବୋଝ ୨୦୧୯-୨୦ରେ ରାଜ୍ୟ ଜିଡିପିର ୧୭.୯ ପ୍ରତିଶତ ରହିଛି।

ଏପଟେ ସିଏଜି ତାଙ୍କର ରିପୋର୍ଟରେ ବାରମ୍ବାର ରାଜ୍ୟର ବାର୍ଷିକ ବଜେଟର ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ସହ ଆର୍ଥିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଉଥିଲେ ମଧ୍ୟ ରାଜ୍ୟ ସରକାର ସେଥିପ୍ରତି ସତର୍କ ହେଉନାହାନ୍ତି କିମ୍ବା ସିଏଜିଙ୍କ କଥାକୁ ଭୃକ୍ଷେପ କରୁନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଗତ କିଛିବର୍ଷ ଧରି ରାଜ୍ୟର ମୂଳବଜେଟ୍ ଅର୍ଥକୁ ଖର୍ଚ୍ଚ କରିନପାରି ବିଭାଗଗୁଡ଼ିକ ବହୁ ପରିମାଣର ଅର୍ଥ ସରେଣ୍ଡର କରୁଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ୫୧ରୁ ଅଧିକ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଏସବୁ ପାଇଁ ପାଣ୍ଠି ଯୋଗାଇବା ନିମନ୍ତେ ଅର୍ଥ ବିଭାଗ ଉପରେ କ୍ରମାଗତ ଚାପ ବଢ଼ୁଥିବାରୁ ଏଭଳି ଆର୍ଥିକ ବିସଙ୍ଗତି ଦେଖାଦେଉଛି ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।

Related story