ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବଜେଟର ଆକାର ଚଳିତ ଆର୍ଥିକ ବର୍ଷରେ ୧.୩୯ଲକ୍ଷ କୋଟି ଟଙ୍କା ଛୁଇଁଲାଣି। ବଜେଟର ଆକାରକୁ ବଡ଼ ଓ ବଳକା ଦେଖାଇ ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ବୋଲି ସରକାର ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବାସ୍ତବତା ହେଉଛି, ବିଭାଗଗୁଡ଼ିକ ନିଜର ବଜେଟରେ ଯେତିକି ଅର୍ଥ ଦାବି କରୁଛନ୍ତି ସେହି ତୁଳନାରେ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି। ଗତ ୫ବର୍ଷର ବଜେଟ୍ ମଞ୍ଜୁରୀ ଅର୍ଥ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଦେଖିଲେ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି। ପ୍ରାୟତଃ ପ୍ରତିବର୍ଷ ମଞ୍ଜୁରୀପ୍ରାପ୍ତ ବଜେଟ୍ ଅର୍ଥର ପ୍ରାୟ ୨୦% ଅର୍ଥ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରୁନଥିବା ଜଣାପଡ଼ିଛି।
ରାଜ୍ୟ ସରକାର ବଜେଟ୍ ଅର୍ଥ ବିନିଯୋଗର ନିୟମିତ ସମୀକ୍ଷା କରୁଥିଲେ ମଧ୍ୟ ବିଭାଗଗୁଡ଼ିକ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରୁନଥିବାରୁ ଏଭଳି କୋଟିକୋଟି ଟଙ୍କା ଖର୍ଚ୍ଚ ନହୋଇ ବର୍ଷ ଶେଷକୁ ଫେରୁଥିବା ଜଣାପଡ଼ିଛି। ରାଜ୍ୟ ଅର୍ଥ ବିଭାଗର ତଥ୍ୟ ଅନୁସାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗତ ୫ବର୍ଷ ଧରି କ୍ରମାଗତ ନିଜର ବଜେଟ ଆକାରକୁ ବୃଦ୍ଧି କରୁଥିବାବେଳେ ସମାନୁପାତରେ କୋଟିକୋଟି ଟଙ୍କା ଖର୍ଚ୍ଚ ନକରି ଫେରସ୍ତ କରୁଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ବିଭାଗ ୧୫୭୬ କୋଟି ଟଙ୍କା ଖର୍ଚ୍ଚ କରିପାରି ନଥିବା ବେଳେ ୨୦୧୭-୧୮ରେ ୨୨୭୧କୋଟି ଟଙ୍କା, ୨୦୧୬-୧୭ରେ ୧୬୪୧ କୋଟି ଟଙ୍କା ଓ ୨୦୧୫-୧୬ରେ ୧୪୯୭କୋଟି ଟଙ୍କା ଖର୍ଚ୍ଚ ନକରି ଫେରସ୍ତ କରିଛି।
ସେହିପରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୮-୧୯ରେ ୭୯୪ କୋଟି ଟଙ୍କା ଫେରସ୍ତ କରିଥିବାବେଳେ ଗତ ୫ବର୍ଷ ମଧ୍ୟରେ ପ୍ରତିବର୍ଷ ୪୫୦ରୁ ୯୦୦କୋଟି ଟଙ୍କା ମଧ୍ୟରେ ଫେରସ୍ତ କରିଛି। ସେହିପରି ଜଳସମ୍ପଦ ବିଭାଗ ୨୦୧୬-୧୭ ମସିହାରେ ନିଜର ସମସ୍ତ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିବାବେଳେ ୨୦୧୭-୧୮ରେ ୮୨୮କୋଟି ଟଙ୍କା ଓ ୨୦୧୮-୧୯ରେ ୩୦୫୩କୋଟି ଟଙ୍କା ଖର୍ଚ୍ଚ କରିପାରିନଥିଲା। ସେହିପରି କୃଷି ବିଭାଗ ମଧ୍ୟ ୨୦୧୭-୧୮ରେ ପ୍ରାୟ ୧୦୦୦କୋଟି ଟଙ୍କା ଓ ଗତବର୍ଷ ପ୍ରାୟ ୬୩୦କୋଟି ଟଙ୍କା ଖର୍ଚ୍ଚ କରିପାରିନି।
କେବଳ ଏହି ୩ଟି ବିଭାଗ ନୁହେଁ ପ୍ରମୁଖ ବ୍ୟୟକାରୀ ବିଭାଗ ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁବିକାଶ, ଅନୁସୂଚିତ ଜାତି ଓ ଜନଜାତି, ଗୃହ ବିଭାଗ ଆଦି ନିଜର ବଜେଟ୍ ଅର୍ଥକୁ ଖର୍ଚ୍ଚ ନକରି ଫେରସ୍ତ କରୁଥିବା ଜଣାପଡ଼ିଛି।