ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଦୋକାନକୁ ଦୋକାନ ବୁଲିଲେ। ଆଉ ଦୋକାନୀଙ୍କୁ ତାଗିଦ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ। ଆଉ କହିଲେ, ମାସେ ଭିତରେ ଭଡ଼ା ଦିଅ ଓ ନୂଆ ଚୁକ୍ତି କର।
ଟିଟିଲାଗଡ ଜଗନ୍ନାଥ ମନ୍ଦିର ଓ ମାଉସୀ ମାଆ ମନ୍ଦିର ପରିସରରେ ଦଧିବାମନ ଟ୍ରଷ୍ଟର ୪୪ଟି ଷ୍ଟଲ୍ ରହିଛି। ଏହି ଷ୍ଟଲ ଗୁଡ଼ିକୁ ଅନେକ ବ୍ୟବସାୟୀ ଭଡ଼ା ସୂତ୍ରରେ ନେଇ ବ୍ୟବସାୟ କରୁଛନ୍ତି। ଚୁକ୍ତି ଅନୁସାରେ ଦୋକାନୀମାନେ ପ୍ରତିମାସ ଧାର୍ଯ୍ୟ ଭଡା ଟ୍ରଷ୍ଟକୁ ଦେବା କଥା। ମାତ୍ର ଦୋକାନୀମାନେ ଦୀର୍ଘ ଦିନ ଧରି ଭଡା ପୈଠ କରୁନାହାନ୍ତି। ଯେଉଁଥିପାଇଁ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଦୋକାନକୁ ଦୋକାନ ବୁଲିଲେ ଓ ତାଗିଦ କଲେ। ଆଉ କହିଲେ, ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ବକେୟା ଭଡ଼ା ପୈଠ କର ଓ ନୂଆ ଚୁକ୍ତି କର। ଯେଉଁ ଦୋକାନୀମାନେ ଅମାନ୍ୟ କରିବ, ସେମାନଙ୍କୁ ଉଚ୍ଛେଦ କରାଯାଇ ନୂଆତ ଭାବେ ନିଲାମ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଦୋକାନ ଭଡାରୁ ମିଳୁଥିବା ଅର୍ଥରେ ଜଗନ୍ନାଥ ମନ୍ଦିର ଓ ମାଉସୀ ମାଆ ମନ୍ଦିରର ନିତିକାନ୍ତି ହେଉଛି। କିନ୍ତୁ ଦୋକାନୀମାନେ ବର୍ଷ ବର୍ଷ ଧରି ଭଡା ଦେଉନଥିବାରୁ ନୀତିକାନ୍ତିରେ ବ୍ୟାଘାତ ହେଉଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।