ବିରୋଧ ସତ୍ତ୍ୱେ ଭଙ୍ଗାଗଲା ବଡ଼ ଆଖଡ଼ା ମଠ

ପୁରୀ(ଓଡ଼ିଶା ରିପୋର୍ଟର): ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍‌ଚିଟ୍‌ ପରେ ଆଜି  ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଆଖଡ଼ା ମଠର ଅର୍ଦ୍ଧାଧିକ କୋଠା ମାଟିରେ ମିଶିଛି। ଦୁଇ ଦିନ ଭିତରେ ଏହି ମଠର ଉଚ୍ଛେଦ କାମକୁ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। […]

e3

Hemant Lenka
  • Published: Sunday, 08 September 2019
  • , Updated: 08 September 2019, 08:21 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍‌ଚିଟ୍‌ ପରେ ଆଜି  ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଆଖଡ଼ା ମଠର ଅର୍ଦ୍ଧାଧିକ କୋଠା ମାଟିରେ ମିଶିଛି। ଦୁଇ ଦିନ ଭିତରେ ଏହି ମଠର ଉଚ୍ଛେଦ କାମକୁ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ଗଢ଼ି ତୋଳିବା ପାଇଁ ରାଜ୍ୟର ସରକାର ପରିକଳ୍ପନା କରିଛନ୍ତି। ଏଥିପାଇଁ ପୁରୀରେ ଥିବା ଅନେକ ପୁରାତନ ମଠକୁ ଉଚ୍ଛେଦ କରାଯାଉଛି।

ଏହିକ୍ରମରେ ଶ୍ରୀକ୍ଷେତ୍ରର ଆଉ ଏକ ଐତିହ୍ୟ ନାଗା ବୈଷ୍ଣବ ସାଧୁଙ୍କ ପ୍ରାଚୀନ ଏବଂ ପୁରୀର ସବୁଠୁ ଲମ୍ବା ବଡ଼ ଆଖଡ଼ା ମଠକୁ ଆଜି ଭଙ୍ଗା ଯାଇଛି। ପୂର୍ବରୁ ମଧ୍ୟ ଏହି ମଠକୁ ଉଚ୍ଛେଦ ପାଇଁ ପ୍ରଶାସନ ଚେଷ୍ଟା କରିଥିଲେ ହେଁ ସାଧୁସନ୍ଥଙ୍କ ବିରୋଧ ପାଇଁ ପଛକୁ ହଟିଥିଲା। ଦିନ ତମାମ ପ୍ରଶାସନ ଓ ସାଧୁସନ୍ଥଙ୍କ ବିରୋଧ ଯୋଗୁ ଛକାପଞ୍ଝା ଲାଗି ରହିଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା।

ହେଲେ ଗତକାଲି ଆମିକସ କ୍ୟୁରୀଙ୍କ କ୍ଲିନଚିଟ୍ ପରେ ଦୁଇ ଦିନ ଧରି ବନ୍ଦ ଥିବା ଉଚ୍ଛେଦ ଅଭିଯାନ ଆଜି ଆଗକୁ ବଢ଼ିଥିଲା। ଆଜି ସକାଳୁ ୧୨ ପ୍ଲାଟୁନ୍ ଫୋର୍ସ ସହ ୮ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଉଚ୍ଛେଦ କାମ ଆରମ୍ଭ ହୋଇଥିଲା।

ସବୁଦିନ ଭଳି ଆଜି ମଧ୍ୟ ମଠ ଭିତରେ ନାମ ସଂକୀର୍ତ୍ତନ ଚାଲିଥିଲା। ହେଲେ ବାହାର ପଟେ ଚତୁର୍ଦ୍ଦଶ ଶତାବ୍ଦୀରୁ ଠିଆ ହୋଇଥିବା ଏହି ମଠ ସଂସ୍କୃତିର ଗୋଟିକ ପରେ ଗୋଟିଏ ସନ୍ତକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଚାଲିଥିଲା।

ମଠ ପରିସରରେ ଥିବା ୩୭ଟି ଦୋକାନ ଗୃହ ସାଙ୍ଗକୁ ସିଂହଦ୍ୱାର ଥାନା ପାର୍ଶ୍ୱ ଓ ଅଗ୍ନିଶମ କାର୍ଯ୍ୟାଳୟ ମଧ୍ୟ ମାଟିରେ ମିଶିଛି। ତେବେ ମଠ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ଆଉ ୨ ଦିନ ଲାଗିବ । ନିଷ୍ପତ୍ତି ମୁତାବକ ମଠ ଭିତରେ ଥିବା ମନ୍ଦିର, ବିଜେସ୍ଥଳୀ, ଗାଦିଗୃହ, ମହନ୍ତଙ୍କ ବାସଗୃହ ଓ ରୋଷଘର ସୁରକ୍ଷିତ ରହିବ ବୋଲି ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି।

ପ୍ରଥମେ ଲଙ୍ଗୁଳି ମଠ, ଏମାର ମଠ ସହ ରଘୁନନ୍ଦନ ଲାଇବ୍ରେରୀ ଓ ଏବେ ଚାଲିଥିବା ବଡ଼ଆଖଡ଼ା ମଠର ଉଚ୍ଛେଦ ପରେ ୭୫ ମିଟର ପରିଧିରେ ଆସୁଥିବା ଆହୁରି ୧୩ରୁ ୧୪ଟି ମଠ ଉଚ୍ଛେଦ ପାଇଁ ପ୍ରଶାସନ ଯୋଜନା ରଖିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନଚିଟ୍ ଦେବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଆମିକସ କ୍ୟୁରୀଙ୍କୁ ପୁରୀର ପ୍ରକୃତ ସତ ଦେଖିବାକୁ ଦିଆଯାଇନାହିଁ। ରାଜ୍ୟ ସରକାର ତାଙ୍କୁ ଅନ୍ଧାରରେ ରଖି ଉଚ୍ଛେଦ କାର୍ଯ୍ୟରେ ମୋହର ମାରିଛନ୍ତି ବୋଲି କହି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ପୁରୀରେ ଉଚ୍ଛେଦକୁ ଦିନକୁ ଦିନ ଜନଆକ୍ରୋଶ ବଢ଼ୁଥିବାରୁ ସରକାର ଦୁଇଥର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଏହା କେତେଦୂର ଜନଅସନ୍ତୋଷକୁ ପ୍ରଶମିତ କରୁଛି, ତାହା ଦେଖିବାକୁ ବାକି ରହିଲା।

Related story