କେନ୍ଦୁଝର (ପ୍ରଣୟ କୁମାର ପାଣି): ୧୦ ବର୍ଷ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ୍ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଅଡିଟୋରିୟମ୍ ନିର୍ମାଣ କାର୍ଯ୍ୟ ସରୁନାହିଁ। ଯାହାକୁ ନେଇ କେନ୍ଦୁଝର ସରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅଡିଟୋରିୟମ୍ ନିର୍ମାଣ କେବେ ସରିବ ବୋଲି ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି।
ଶତାଧିକ ଲୋକଙ୍କୁ ନେଇ ସଭା ସମିତି କରିବାକୁ କେନ୍ଦୁଝର ସହରରେ ନଗର ଭବନକୁ ଛାଡିଦେଲେ, ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ଏହି ଅଭାବ ପୂରଣ ପାଇଁ କମ୍ପାନୀଙ୍କ ସାମାଜିକ ଦାୟିତ୍ଵ ବୋଧତା ଯୋଜନାରେ ଏକ ଅଡିଟୋରିୟମ୍ ନିର୍ମାଣ କରିବାକୁ ଯୋଜନା କରିଥିଲା ଜିଲ୍ଲାପ୍ରଶାସନ। ଏଥିପାଇଁ ସେଲ୍ ୧୦ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୩ ମସିହା ଜାନୁଆରୀ ୩୧ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ୍ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିଳାନ୍ୟାସ ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବହୁ ପ୍ରକଳ୍ପ ଇତି ମଧ୍ୟରେ ଲୋକାର୍ପଣ ହୋଇସାରିଲାଣି। ହେଲେ ୧୦ କୋଟି ଟଙ୍କାର ପ୍ରକଳ୍ପକୁ ୧୦ ବର୍ଷ ପୂରିବାକୁ ବସିଲାଣି। କିନ୍ତୁ ଆଜି ଯାଏ ପ୍ରକଳ୍ପ କାମ ସରିବାର ନାଁ ଧରୁନାହିଁ। ସ୍ଥାନୀୟ ପ୍ରଶାସନ କେବଳ ଲୋକଙ୍କୁ ଭୂଆଁ ବୁଲାଇ ଭକୁଆ ବନାଇବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହର ବାସୀଙ୍କ କହିବା କଥା, ଯେଉଁଭଳି ନିମ୍ନମାନର କାମ ହୋଇଛି, ତାହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ମରାମତି କାମ ମାଗିବ। ଏହି ଅଡିଟୋରିୟମ୍ ବଦଳରେ ଯଦି ମୁକ୍ତ ଆକାଶ ରଙ୍ଗମଞ୍ଚ କରି ଦର୍ଶକଙ୍କୁ ଗୋଟେ ଗୋଟେ ଚେୟାର ଦିଆ ଯାଇଥାନ୍ତା, ତା’ହେଲେ ଲୋକେ ବେଶୀ ଖୁସି ହୋଇଥାନ୍ତେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।