ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଅବଢ଼ା ଦର ନିୟନ୍ତ୍ରଣକୁ ଆଣିପାରୁନି ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅପରଗତାର ପରିଣାମ ଭୋଗୁଛନ୍ତି ଶ୍ରଦ୍ଧାଳୁ। ଗତମାସରେ ଯେଉଁ ଅବଢ଼ା ଦର ୧୦୦ ଟଙ୍କା ଥିଲା, ଏବେ ତାହା ୨୦୦ ଟଙ୍କା। ଫଳରେ ଧର୍ମମାସ କାର୍ତ୍ତିକରେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପରେ ନା ପେଟପୂରା ଅବଢ଼ା ଖାଇ ପାରୁଛନ୍ତି, ନା ଦାନଧର୍ମ କରି ପାରୁଛନ୍ତି। ଅବଢ଼ା ରେଟ୍ ଶୁଣି ହବିଷ୍ୟାଳି ହୁଅନ୍ତୁ କି ମଧ୍ୟବିତ୍ତ ଭକ୍ତ, ସମସ୍ତଙ୍କୁ ଖୁବ୍ ବାଧୁଛି। ଦୈନିକ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହେଉଛି। କିନ୍ତୁ ୪ବର୍ଷ ତଳୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଯାଏଁ ପ୍ରଶାସନ ପକ୍ଷରୁ ସୁଲଭ ଦରରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଯୋଗାଇ ଦେବା ନିମନ୍ତେ ଲାଗି ପାରିଲାନି ରେଟ୍ ଚାଟ୍। ଯାହାକୁ ନେଇ ବଢୁଛି ଭକ୍ତଙ୍କ ଅସନ୍ତୋଷ।
ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ସାଧାରଣ ଶ୍ରଦ୍ଧାଳୁଟିଏ ଅବଢ଼ା ଖାଇଥାଏ, ଏଥିସହ ଘରକୁ ଫେରିବା ପୂର୍ବରୁ ପରିବାର ନିମନ୍ତେ ଅବଢ଼ା କିଣି ନେଇଥାଏ। ହେଲେ ଅନେକ ଶ୍ରଦ୍ଧାଳୁ ନା ପେଟପୂରା ଖାଇ ପାରୁଛନ୍ତି, ନା ପରିବାର ପାଇଁ ପେଟ ପୂରିବା ଭଳି ମହାପ୍ରସାଦ ନେଇ ଯାଇପାରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ମହାପ୍ରସାଦ ପେଟେ ଖାଇ ନୁହେଁ, ବରଂ ଟିକିଏ ତୁଣ୍ଡରେ ମାରି କାମ ସାରିବାକୁ ବାଧ୍ୟ ହେଉଛନ୍ତି ଅନେକ ଶ୍ରଦ୍ଧାଳୁ।
କାରଣ ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ। ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି। ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି। ବଡ଼ବଡ଼ିଆଙ୍କ କଥା ଅଲଗା,ସାଧାରଣ ପରିବାରରୁ ୮ରୁ ୧୦ ସଦସ୍ୟ ଯଦି ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥିପାଇଁ ପ୍ରାୟ ଦେଢ଼ ହଜାର ଟଙ୍କା ପଡ଼ିଯାଉଛି।
ସୂଚନା ଅନୁସାରେ, ଯେଉଁ ଜିରା ରାଇସ୍ ବାଇହାଣ୍ଡି ପୂର୍ବରୁ ୫ରୁ ୬ଶହ ଟଙ୍କାରେ ବିକ୍ରି ହେଉଥିଲା ଏବେ ତା’ ଦର ୮ ଶହ ପାଖାପାଖି। ସେମିତି ଶହେ ଟଙ୍କିଆ ଡାଲି କୁଡୁଆଟେ ଦେଢ଼ ଶହ ନହେଲେ ୨୦୦ ଟଙ୍କା ପଡୁଛି। ତରକାରୀ, ବେସର, ମହୁର, ଶାଗ ସବୁ ସାଧାରଣ କୁଡୁଆ ପିଛା ଦର ୪୦ରୁ ୫୦ ଟଙ୍କା ଉଚ୍ଚା। ସହଜେ ଏବେ କାର୍ତ୍ତିକ ମାସ, ତେଣୁ ଉଭୟ ହବିଷ୍ୟାଳି ଓ ସାଧାରଣ ଭକ୍ତଙ୍କ ମନ୍ଦିରରେ ପ୍ରବଳ ଗହଳି। ହେଲେ ସମସ୍ତେ କହୁଛନ୍ତି ଅସମ୍ଭବ ଭିଡ଼ରେ ଜଗା ଦର୍ଶନ ଯେକିତି କଷ୍ଟ ଲାଗୁନି, ତାଠୁ ବେଶି ବାଧୁଛି ଅବଢ଼ାର ମହଙ୍ଗା ମାଡ଼।
ବର୍ତ୍ତମାନ ସମୟରେ ଶ୍ରୀମନ୍ଦିରରେ ଦୈନିକ ୨୦ରୁ ୩୦ ହଜାର ଲୋକଙ୍କ ପାଇଁ ବରାଦି ଅବଢ଼ା ରନ୍ଧା ହେଉଛି। ଅର୍ଥାତ୍ ନିଇତି ପ୍ରାୟ ୫୦ ହଜାର ଲୋକଙ୍କ ପାଇଁ ରୋଷ ଘରେ ଅବଢ଼ା ପ୍ରସ୍ତୁତ ହେଉଛି। ତେବେ ମହାପ୍ରସାଦର କୌଣସି ନିର୍ଦ୍ଦିଷ୍ଟ ଦର ଆଜି ଯାଏଁ ସ୍ଥିର ହୋଇପାରି ନାହିଁ। ଯିଏ ଯାହା ରେଟ୍ କହିଲା, ତାକୁ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି ଭକ୍ତ।
୨୦୧୮ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ, ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟ ମଧ୍ୟରେ ଆନନ୍ଦ ବଜାର ଶୃଙ୍ଖଳା ବି ପ୍ରମୁଖ ପ୍ରସଙ୍ଗ ଥିଲା। ଯେଉଁଥିରେ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଅବଢ଼ା ଦର ତାଲିକା ଲଗାଇବାକୁ ସ୍ଥିର ହୋଇଥିଲା। ହେଲେ ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଥିବାବେଳେ ସେ ନେଇ ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ କାହାରି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି। ଏମିତିକି ପରିଚାଳନା କମିଟିରେ ବି ପଦୁଟିଏ ଏ ନେଇ ଆଲୋଚନା ହେଉନି। ଯାହା ପରିଚାଳନା କମିଟି ଓ କମିଟି ସଦସ୍ୟଙ୍କ ନିଷ୍କ୍ରିୟତାକୁ ସୂଚାଇଛି।
ସୁଆର-ମହାସୁଆର ନିଯୋଗ କହୁଛି, ଅବଢ଼ା ରନ୍ଧା ପାଇଁ ଆନୁସଙ୍ଗିକ ସାମଗ୍ରୀର ଦର ବଢ଼ିଛି। ତେଣୁ ଅବଢ଼ା ଦର ଉଚ୍ଚା ହୋଇଛି।
ଏସବୁ ଦୃଷ୍ଟି ଦେଲେ ଶ୍ରୀମନ୍ଦିର ସଂସ୍କାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଖୁବ୍ ବେଗ୍ର ବୋଲି ଡିଣ୍ଡିମ ପିଟୁଥିବା ସରକାରଙ୍କ ନିଦ ଏ ବାବଦରେ କେବେ ଭାଙ୍ଗିବ ଏବଂ ଶ୍ରଦ୍ଧାଳୁଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ କେବେ ମିଳିବ ଦେଖିବାର କଥା।
ଶାସ୍ତ୍ରାନୁସାରେ ମହାପ୍ରସାଦ ବିକ୍ରି ହେବା ଉଚିତ୍ ନୁହେଁ। ହେଲେ ପ୍ରଶାସନିକ ମଧୁଚନ୍ଦ୍ରିକା ଯୋଗୁ ମହାପ୍ରସାଦ ମନଇଚ୍ଛା ଦରରେ ବିକ୍ରି ହେଉଛି। ଯାହା ଶ୍ରଦ୍ଧାଳୁଙ୍କୁ ବାଧୁଛି।