ରାୟଗଡ଼ା(ମାଉଡି ବାରିକ): ମାଆଙ୍କୁ ହାତ ଖୋଲି ଦାନ କରିଛନ୍ତି ଶ୍ରଦ୍ଧାଳୁ। ଗତ ୫ ମାସରେ ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡିରେ ୬୨ ଲକ୍ଷରୁ ଅଧିକ ଟଙ୍କା ଦାନ କରିଛନ୍ତି। ଏଥିସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଦାନ କରିଛନ୍ତି ଭକ୍ତ। ଗତ ଅଗଷ୍ଟରେ ହୁଣ୍ଡିରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା।
ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ହେଉଛି ମାଆ ମଝିଘରିଆଣୀ। ପ୍ରତିଦିନ ମାଆଙ୍କୁ ଦର୍ଶନ କରିବା ପାଇଁ ଶହଶହ ଭକ୍ତ ଆସିଥାଆନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମାଆଙ୍କ ଆଶୀର୍ବାଦ ନେବା ସହିତ ହୁଣ୍ଡିରେ ଦାନ କରିଥାଆନ୍ତି। ଆଜି ମାଆଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା। ହୁଣ୍ଡିରୁ ୬୨ ଲକ୍ଷ ୨୨ ହଜାର ୦୫୯ ଟଙ୍କା, ୪୬ ଗ୍ରାମ ସୁନା ଓ ଏକ କେଜି ୭୭୫ ଗ୍ରାମ ରୁପା ମିଳିଛି। ଏପରିକି ବିଦେଶ ନୋଟ୍ ମଧ୍ୟ ମିଳିଛି।
ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱବଧାନରେ ପୁଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ କେତେକ ଛାତ୍ରଛାତ୍ରୀ ଦାନ ଟଙ୍କା ଗଣତି କରିଥିଲେ। ଏଥିରେ ପ୍ରାୟ ୩୦୦ କର୍ମକର୍ତ୍ତା ନିୟୋଜିତ ହୋଇଥିଲେ।
ଶେଷ ଥର ପାଇଁ ଅଗଷ୍ଟ ୨୨ ତାରିଖରେ ହୁଣ୍ଡି ଟଙ୍କା ଗଣତି ହୋଇଥିଲା। ସେତେବେଳେ ଏକ କୋଟି ଏକ ଲକ୍ଷ ୨୩ ହଜାର ୩୮୦ ଟଙ୍କା ମିଳିଥିଲା। ଏଥିସହ ୧୦୪ ଗ୍ରାମ ସୁନା ଓ ୨ କେଜି ୬୭୮ ଗ୍ରାମ ରୁପା ମିଳିଥିଲା। ଟଙ୍କା ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ସାମିଲ୍ ସ୍ୱୟଂ ସହାୟଗ ଗୋଷ୍ଠୀର ମହିଳାମାନେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।