ଯାଜପୁର (ଗୁଲାମ ଗସ୍): ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରିବାକୁ ଦୂରଦୂରାନ୍ତର ଲୋକେ ବି ଗଙ୍ଗାକୁ ଯାଇଥାନ୍ତି। ସେଠାରେ ଅସ୍ଥି ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଯେଉଁମାନେ ଆର୍ଥିକ ସ୍ତରରେ ଦୁର୍ବଳ, ସେମାନେ ଟଙ୍କା ଖର୍ଚ୍ଚ କରି ଦୂରକ ଯିବାକୁ ଅକ୍ଷମ ହୋଇଥାନ୍ତି। ଏପରି କ୍ଷେତ୍ରରେ ଓଡ଼ିଶାରେ ବି ଏପରି ବହୁ ସ୍ଥାନ ଅଛି , ଯେଉଁଠାରେ ଅସ୍ଥି ବିସର୍ଜନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଲୋଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଏପରି ଏକ ସ୍ଥାନ ହେଉଛି ବୈତରଣୀ ନଦୀର ଦଶାଶ୍ଵମେଧ ଘାଟ। ଏଠାରେ ବାରୁଣୀ ସ୍ନାନ କଲେ କୋଟି ପୂଣ୍ୟ ମିଳିବାର ବିଶ୍ୱାସ ରହିଛି।
ତେଣୁ ଆଜି ପବିତ୍ର ବାରୁଣୀ ସ୍ନାନ ଅବସରରେ ଦଶାଶ୍ଵମେଧ ଘାଟରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବିଶ୍ଵାସ ରହିଛି ଏହି ସମୟରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କଲେ କୋଟି କୋଟି ପୁଣ୍ୟ ମିଳିଥାଏ । ଏଥିଲାଗି ଆଜି ସକାଳୁ ବୈତରଣୀ ନଦୀରେ ଦଶାଶ୍ୱମେଧ ଘାଟରେ ପ୍ରବଳ ଭିଡ଼ ଲାଗି ରହିଛି। ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ବାରୁଣୀରେ ବୁଡ଼ ପକାଇ ଦେବାଦେବୀଙ୍କ ଦର୍ଶନ କରିଛନ୍ତି।
ପ୍ରବଳ ଜନସମାଗମକୁ ଦେଖି ଶାନ୍ତିଶୃଙ୍ଖଳା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୋଲିସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଭାବେ ବୁଡ଼ ପକାଇବେ, ସେଥିପାଇଁ ନଦୀରେ ସ୍ୱତନ୍ତ୍ର ବାରିକେଟ ହେବା ସହ ଦମକଳବାହିନୀ ସଜାଗ ହୋଇ ରହିଛନ୍ତି। ବହୁ ଲୋକଙ୍କ ସମାଗମକୁ ଲକ୍ଷ୍ୟ କରି ଏହି ଘାଟରେ ଅସ୍ଥାୟୀ ଦୋକାନ ବଜାର ମଧ୍ୟ ଖୋଲି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।