ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାର ତଦନ୍ତକୁ ଦିଗହରା କରିବା ନିମନ୍ତେ ପୁଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ଫାସିବାଦୀ ସରକାର ଚାଲିଛି। ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୁଲିସ ଓ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜେଡିକୁ ସୁରକ୍ଷା ଦେଉଛନ୍ତି। ବିଜେଡିର ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ କାର୍ଯ୍ୟ କରୁଛି। ବିଜେଡିର ପ୍ରଭାବଶାଳୀ ନେତା, ବିଧାୟକ, ମନ୍ତ୍ରୀ , ରାମକୋ ଅଧିକାରୀଙ୍କ ସହ ତୃତୀୟ ମହଳାର ଲିଙ୍କ୍ ଥିବା ଯୋଗୁଁ ଶାସକ ଦଳ ନିର୍ଦ୍ଦେଶରେ ସ୍ମିତାରାଣୀ ଘଟଣାରେ ପୁଲିସ ତଥ୍ୟ ପ୍ରମାଣ ନଷ୍ଟ କରିଛି।
ସେ ଆହୁରି କହିଛନ୍ତି, ରାଜ୍ୟରେ ଦିନକୁ ୭ ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହେଉଥିବାବେଳେ ବିଜେଡିର ମୁଖପାତ୍ରମାନେ ‘ସବୁ ଠିକ୍ ଚାଲିଛି, ସରକାର ତାଙ୍କ କାମ କରୁଛନ୍ତି, ପୁଲିସ୍ ନିଷ୍କ୍ରିୟ ନାହିଁ ବୋଲି କହି ବାହାବା ମାରୁଛନ୍ତି। ବିଜେଡିର କ୍ଷମତାର ବାଟରେ ଯିଏ ଆସିବ ତାଙ୍କୁ ରାସ୍ତାରୁ ହଟେଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଅପଉଦ୍ୟମ ଚଲାଇଛନ୍ତି। ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି। ଗତକାଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ସ୍ୱୀକାର କରିଛନ୍ତିା
ଗୃହ ବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀଙ୍କର ମୌଳିକ ଦାୟିତ୍ୱ ହେଉଛି ମହିଳାଙ୍କୁ ସୁରକ୍ଷା ଦେବା, ମାତ୍ର ସେ ଓଲଟା ବିଧାନସଭାରେ କହୁଛନ୍ତି କି ମହିଳା ଦୁଷ୍କର୍ମ ଉପରେ ବିରୋଧୀ ରାଜନୀତିକରଣ ବନ୍ଦ କରନ୍ତୁ। ଯିଏ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଲଢୁଛନ୍ତି ସେ ରାଜନୀତି କରୁଛନ୍ତି ନା ଯେଉଁମାନେ କ୍ରମାଗତ ଭାବେ ବଢୁଥିବା ମହିଳା ଦୁଷ୍କର୍ମକୁ ଅଣଦେଖା କରି ଦୁବୃର୍ତ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ରାଜନୀତି କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ନ୍ୟାୟ ନପାଇ ଅନେକ ଘଟଣାରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରୁଛନ୍ତି। ଏପରି ଆଉ କେତେଦିନ ଚାଲିବ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଠୋର ଆଇନ ଆଣିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛିା