ଧାମନଗରରେ ସରିଲା ପ୍ରଚାର, ଏବେ ସ୍ଥାନୀୟ ନେତାଙ୍କୁ ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ହାଇଭୋଲଟେଜ୍ ପ୍ରଚାର ଶେଷ ହୋଇଛି । ଦିନକ ପରେ ଅର୍ଥାତ୍ ଗୁରୁବାର ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେଠାରେ ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟସ୍ତରୀୟ ନେତାମାନେ ନିର୍ବାଚନମଣ୍ଡଳୀ ଛାଡ଼ି ଏବେ ଭଦ୍ରକରେ ଡେରା ପକାଇଛନ୍ତି । ଆଉ ସ୍ଥାନୀୟ ନେତାମାନଙ୍କ ଭରସାରେ ଗୁରୁତ୍ୱପୂର୍ଣ୍ଣ ଶେଷ ୨୪ଘଣ୍ଟାକୁ ମ୍ୟାନେଜ୍ କରି […]

Bhadrak

Bhadrak

Ordigital Desk
  • Published: Tuesday, 01 November 2022
  • Updated: 01 November 2022, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ହାଇଭୋଲଟେଜ୍ ପ୍ରଚାର ଶେଷ ହୋଇଛି । ଦିନକ ପରେ ଅର୍ଥାତ୍ ଗୁରୁବାର ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେଠାରେ ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟସ୍ତରୀୟ ନେତାମାନେ ନିର୍ବାଚନମଣ୍ଡଳୀ ଛାଡ଼ି ଏବେ ଭଦ୍ରକରେ ଡେରା ପକାଇଛନ୍ତି । ଆଉ ସ୍ଥାନୀୟ ନେତାମାନଙ୍କ ଭରସାରେ ଗୁରୁତ୍ୱପୂର୍ଣ୍ଣ ଶେଷ ୨୪ଘଣ୍ଟାକୁ ମ୍ୟାନେଜ୍ କରି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଜୋର୍ ଧରିଛି ।

ଆଜି ଶେଷ ଦିନରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ସପକ୍ଷରେ ଭୋଟ୍ ମାଗିଥିବାବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ବିଜେଡି ପକ୍ଷରୁ ପ୍ରଚାରର ଶେଷଦିନରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ରୋଡ୍ ଶୋ’ ଓ ବାଇକ୍ ରାଲି କରାଯାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ ଆଜି ଶେଷଦିନରେ ନିଜ ନିଜର ନେତାମାନଙ୍କୁ ନେଇ ପ୍ରଚାରକୁ ଜୋରଦାର କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ସ୍ଥାନୀୟ ସମର୍ଥକମାନଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।

ଧାମନଗର ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦାସ ମଇଦାନରେ ରହିଥିବାରୁ ଭୋଟରଙ୍କୁ ମୁଡ୍ ଜାଣିବା କୌଣସି ଦଳ ପକ୍ଷରେ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ଯଦିଓ ବିଜେଡି ଓ ବିଜେପି ପକ୍ଷରୁ ଜିତିବା ନେଇ ଦମ୍ଭୋକ୍ତି କରାଯାଉଛି । ବିଜେଡି ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଛକାପଞ୍ଝା ବଢ଼ିଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆସନ୍ତା ୩ତାରିଖ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ୧୦୭ଟି ବୁଥ ସମ୍ବେଦନଶୀଳ ଥିବାବେଳେ ପ୍ରାୟ ୫୦% ବୁଥରେ ୱେବକାଷ୍ଟିଂ କରିିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପରିଚାଳନା ନିମନ୍ତେ ମୋଟ ୨ଜଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ୨୬ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫକୁ ମୁତୟନ କରାଯାଇଛି ଓ ୨୩ ପ୍ଲାଟୁନରୁ ଅଧିକ ରାଜ୍ୟ ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

ଆଜି ରାତି ତମାମ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଧରପଗଡ଼ ଓ ପାଟ୍ରୋଲିଂ ଜୋରଦାର ହେଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos