ଧୈର୍ଯ୍ୟ ରକ୍ଷାକରି ସରକାରଙ୍କୁ ସହଯୋଗ କରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୈର୍ଯ୍ୟ ରକ୍ଷାକରି ସରକାରଙ୍କୁ ସହଯୋଗ କରନ୍ତୁ। ସୋଶାଲ୍‌ ମିଡିଆ ଫେସବୁକ୍‌ ଲାଇଭରେ ରାଜ୍ୟ ବାହାରୁ ଫେରିଥିବା ଓଡ଼ିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ନିବେଦନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସୋଶାଲ୍‌ ମିଡିଆ ଫେସବୁକ୍‌ ଲାଇଭରେ ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦେଶରେ ଦେଖା ଦେଇଥିବା ବୈଶ୍ୱିକ ମହାମାରୀ କୋଭିଡ-୧୯ ପରିପ୍ରେକ୍ଷୀରେ […]

dharmendra

Manoranjan Sial
  • Published: Monday, 04 May 2020
  • , Updated: 04 May 2020, 04:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୈର୍ଯ୍ୟ ରକ୍ଷାକରି ସରକାରଙ୍କୁ ସହଯୋଗ କରନ୍ତୁ। ସୋଶାଲ୍‌ ମିଡିଆ ଫେସବୁକ୍‌ ଲାଇଭରେ ରାଜ୍ୟ ବାହାରୁ ଫେରିଥିବା ଓଡ଼ିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ନିବେଦନ କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସୋଶାଲ୍‌ ମିଡିଆ ଫେସବୁକ୍‌ ଲାଇଭରେ ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦେଶରେ ଦେଖା ଦେଇଥିବା ବୈଶ୍ୱିକ ମହାମାରୀ କୋଭିଡ-୧୯ ପରିପ୍ରେକ୍ଷୀରେ ସବୁଆଡେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ମହାମାରୀ ବିରୋଧରେ ସଂଯମ ଓ ସଂକଳ୍ପର ସହ ଲଢ଼େଇ କରିବାକୁ ସେ ଦେଶ ତଥା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶର ୧୩୦ କୋଟି ଜନସାଧାରଣ ‘କରୋନା’ ବିରୋଧରେ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି। ‘କରୋନା’ ସ୍ଥିତିକୁ ଲକ୍ଷ୍ୟକରି କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ‌ ଦେଇଛନ୍ତି। ତାହା ମେ’ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲକଡାଉନର ସମସ୍ତ ନୀତି ନିୟମ ତଥା କଟକଣାକୁ ନିଷ୍ଠାର ସହ ପାଳନ କରିବା। ଲକଡାଉନ‍୍‌ ଦ୍ୱାରା ଲୋକଙ୍କୁ କିଛି ମାତ୍ରାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ତାହା ସେମାନଙ୍କର ତଥା ଦେଶର ହିତ ପାଇଁ ଏକାନ୍ତ ଜରୁରି। ତେଣୁ ସେମାନେ ସକାରାତ୍ମକ ମନୋଭାବ ସହ ଏଭଳି ନିଷେଧାଦେଶକୁ ପାଳନ କରିବା ଆବଶ୍ୟକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ମନରେ ଏବେ ‘କରୋନା’ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। କେବଳ କେନ୍ଦ୍ର ଓ ରାଜ୍ୟ ସରକାର ନୁହନ୍ତି, ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ହିଁ ଏପର୍ଯ୍ୟନ୍ତ ଏଭଳି ମହାମାରୀକୁ ନିୟନ୍ତ୍ରଣରେ ରଖିଛି। ବିଶ୍ୱର ଅଧିକାଂଶ ସମ୍ପନ୍ନ ରାଷ୍ଟ୍ରରେ ‘କରୋନା’ ସଂକ୍ରମଣ ସ୍ଥିତି ଗମ୍ଭୀର ଆକାର ଧାରଣ କରିଥିବା ବେଳେ ଭାରତରେ ସେ ତୁଳନାରେ ସ୍ଥିତି ବେଶ ନିୟନ୍ତ୍ରଣାଧୀନ ରହିଛି।”

https://www.facebook.com/DharmendraPradhanOdisha/videos/526218108057163/

ସେ ଆହୁରି କହିଛନ୍ତି-“ଲକଡାଉନ ଯୋଗୁ ଲୋକମାନଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ସବୁ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇଛି। ଦେଶର ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ମନ୍ଥର ହୋଇପଡ଼ିଛି। ସରକାର ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଏହାର ମୁକାବିଲା କରୁଛନ୍ତି।”

ରାଜ୍ୟ ବାହାରେ ରହିଥିବା ଓଡ଼ିଆ ଭାଇ ଓ ଭଉଣୀଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବା ଉଚିତ କି? ଏହାର ଉତ୍ତର ଦେବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି-“ଦୁର୍ଗତ ଲୋକମାନେ ଘରକୁ ଫେରିବାର ଆବଶ୍ୟକତା ରହିଛି। ସେମାନଙ୍କ ଫେରିବା ଓ ସେମାନଙ୍କ ସ୍ୱାସ୍ଥ୍ୟର ସ୍ଥିତି ସଂପର୍କରେ ସରକାର ସଂପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରୁଛନ୍ତି। ନିଜର ପ୍ରିୟଜନମାନଙ୍କ ପ୍ରତି କୌଣସି ପ୍ରକାର ଅସୂୟା ଭାବ ପ୍ରଦର୍ଶନ କରିବା ଉଚିତ ନୁହେଁ। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ  ଭାଇଭ ଓ ଉଣୀମାନଙ୍କୁ ଧୈର୍ଯ୍ୟଧରି ସରକାରଙ୍କ ସହଯୋଗ କରିବା ଉଚିତ।”

କେଶବ କୁମାର ରାଉତରାୟ ନାମକ ଜନୈକ ସଫ୍‌ଟୱେୟାର ଇଂଜିନିୟରଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ଯେ କୌଣସି ସମସ୍ୟା ସହ କିଛି ସୁଯୋଗ ଆସେ। ତାହାକୁ ଚିହ୍ନିବାକୁ ପଡ଼ିବ। କୋଭିଡ଼ ସାରା ଦୁନିଆରେ ଢ଼େର ପରିବର୍ତ୍ତନ ଆଣିବ। ବିଶ୍ୱର ଚିତ୍ର ବଦଳିଯିବ। ମଣିଷ ପ୍ରଯୁକ୍ତି ସହ ଅଧିକ ମାତ୍ରାରେ ଯୋଡ଼ି ହୋଇଯିବ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳର

ଗୋଟିଏ ଝିଅ କିଭଳି ତା’ର କମ୍ପ୍ୟୁଟରରେ ଏବେ ଅନ୍ୟମାନଙ୍କ ପାଇଁ ବ୍ୟାଙ୍କ କାରବାର ସୁବିଧା ସୃଷ୍ଟି କରିପାରିଛନ୍ତି ତାହାର ଉଦାହରଣ ଦେଇଛନ୍ତି। ତେଣୁ ଇଞ୍ଜିନିୟରିଂ, ଆଇଟି ଓ କମ୍ପ୍ୟୁଟରରେ ପାରଙ୍ଗମ ଥିବା ଯୁବକ ଓ ଯୁବତୀଙ୍କ ପାଇଁ ପର୍ଯ୍ୟପ୍ତ ସୁଯୋଗ ସୃଷ୍ଟି ହେବ। କୃଷିଠାରୁ ନେଇ ବଜାର ପର୍ଯ୍ୟନ୍ତ ସର୍ବତ୍ର ଅନୁଭୂତ ହେବ।”

ସେହିପରି ସୁକାନ୍ତ କୁମାର ମିଶ୍ର ନାମକ ଜଣେ ପୋଷ୍ଟମାଷ୍ଟର ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ ପଚାରିଛନ୍ତି। ମହାମାରୀ ‘କରୋନା’ ମୁକାବିଲା ନେଇ ଭାରତ ଓ ଓଡ଼ିଶା ସରକାର କି ଭୂମିକା ନେଇଛନ୍ତି ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି-“ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସହଭାଗୀତାରେ କରୋନା ବିରୋଧରେ ଲଢ଼ୁଛନ୍ତି। ପ୍ରଥମ ଦିନରୁ ହିଁ ଏହି ଧାରା ଜାରି ରହିଛି। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବିଶ୍ୱାସକୁ ନେଇଛନ୍ତି। ତାଙ୍କ ଶକ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସାଢ଼େ ଚାରିକୋଟି ଓଡ଼ିଆଙ୍କ ସହଯୋଗ ଏ ଦିଗରେ ପ୍ରଶଂସନୀୟ।”

ଭୁବନେଶ୍ୱରର କୁଶେଶ୍ୱର ବେଉରା ଅଭିଯୋଗ ବାଢ଼ିଥିଲେ ଯେ କ୍ୱାରେଣ୍ଟାଇନ ସେଣ୍ଟର ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ତାହାର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି-“ଆମ ପରିବାରରେ ମଧ୍ୟ ସବୁ କାମ ଠିକ୍‌ ଭାବେ ଚାଲି ନଥାଏ। କେଉଁଠି କେମିତି ଭୁଲ ଭଟକାକୁ ଧରିବାର ଏହା ଅବସର ନୁହେଁ। ବରଂ ସକାରାତ୍ମକ ମନୋଭାବ ଓ ସହଯୋଗର ସହ ଏଭଳି ବିପଦକୁ ସାମ୍ନା କରିବାରେ ହିଁ ସମସ୍ତଙ୍କର ମଙ୍ଗଳ। ଏଥିପାଇଁ ଆମ ଚିନ୍ତାଧାରାକୁ ସକାରାତ୍ମକ କରିବାକୁ ହେବ।”

ଯାଜପୁରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ଏବେ ଯାଜପୁର ରେଡ୍‌ ଜୋନରେ ରହିଛି। ସରକାର ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି ଦେଇ କାର୍ଯ୍ୟ କରୁଛନ୍ତି। ଲକଡାଉନ କଟକଣାକୁ ଉଚିତ ଭାବେ ଅନୁପାଳନ ଓ ସରକାରଙ୍କ ସହ ସହଯୋଗ ଦ୍ୱାରା ହିଁ ରୋଗୀମାନଙ୍କୁ ଚିହ୍ନଟ ଓ ଚିକିତ୍ସା କରାଯାଇ ଆରୋଗ୍ୟ କରିହେବ।”

ସୋନପୁରର ଅଶୋକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏଭଳି ଲକଡାଉନ‍୍‌ ସମୟରେ ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ ଓ ୧ କେଜି ଡାଲି ତିନିମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି। ଜନଧନ ଖାତାଧାରୀ ମହିଳାମାନଙ୍କ ଜମାଖାତାରେ ପ୍ରତିମାସରେ ୫୦୦ ଟଙ୍କା ଲେଖାଏଁ ଭରାଯାଉଛି। ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକମାନଙ୍କୁ ୩ଟି ସିଲିଣ୍ଡର ମାଗଣାରେ ଦିଆଯାଉଛି। ଏହା ବ୍ୟତୀତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାଧାରୀଙ୍କୁ ମଧ୍ୟ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି। ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସରକାର ଦେଉଛନ୍ତି।”

Related story