ତାତିଲେ ବିସ୍ଥାପିତ, କହିଲେ- ଏକର ପିଛା ୩୫ ଲକ୍ଷ ନ ଦେଲେ ଦେବୁନି ଭିଟାମାଟି

ସୁନ୍ଦରଗଡ଼(ବିଜୟ ବରୁଆ): ‘୨୦୦୬ ଥଇଥାନ ଓ ପୁନର୍ବାସ ନୀତି ନୁହେଁ, ଆମକୁ ୨୦୧୩  ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କର । ଏକର ପିଛା ୬ ଲକ୍ଷ ନୁହେଁ, ୩୦ରୁ ୩୫ ଲକ୍ଷ ଦିଅ । ନଚେତ ଆମେ ଆମ ଭିଟାମାଟି ଛାଡ଼ିବୁନି ।’ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ବିସ୍ଥାପିତ । ଏହାକୁ ନେଇ ପୁଲିସ୍‌ ଓ ବିସ୍ଥାପିତ […]

tension

tension

Niharika Rout
  • Published: Saturday, 05 November 2022
  • Updated: 05 November 2022, 01:33 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ‘୨୦୦୬ ଥଇଥାନ ଓ ପୁନର୍ବାସ ନୀତି ନୁହେଁ, ଆମକୁ ୨୦୧୩  ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କର । ଏକର ପିଛା ୬ ଲକ୍ଷ ନୁହେଁ, ୩୦ରୁ ୩୫ ଲକ୍ଷ ଦିଅ । ନଚେତ ଆମେ ଆମ ଭିଟାମାଟି ଛାଡ଼ିବୁନି ।’ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ବିସ୍ଥାପିତ । ଏହାକୁ ନେଇ ପୁଲିସ୍‌ ଓ ବିସ୍ଥାପିତ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଛି। ଘଟଣାସ୍ଥଲରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଏହାର କୌଣସି ସମାଧାନ ହୋଇ ପାରି ନ ଥିବା ଜଣାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି ପୂର୍ବରୁ ଭୂଷଣ ହାତରେ ଥିବା ବେଳେ ଏବେ ତାହା ବେଦାନ୍ତ ହାତକୁ ଚାଲି ଯାଇଛି। ପୂର୍ବରୁ ଭୂଷଣ ୦୦୬ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିଥିବା ବେଳେ ଏବେ ବେଦାନ୍ତଠାରୁ ବିସ୍ଥାପିତ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି କ୍ଷତିପୂରଣ ମାଗୁଛନ୍ତି। ଏଥିରେ କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉ ନ ଥିବା ବେଳେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ବେଦାନ୍ତ ପକ୍ଷରୁ ଆଜି ଖଣି କାର୍ଯ୍ୟ ଆରମ୍ଭ ହେଉଥିବା ଜାଣି ବିସ୍ଥାପିତ ହେଉଥିବା ଗ୍ରାମର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ନ ଦେଇ ନିଜ ଜିଦ୍‌ରେ ଅଡ଼ି ବସିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସେଠାରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ  ୨ ପ୍ଲାଟୁନ ରିଜର୍ଭ ଅଛନ୍ତି।

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ ମୃଦୁ ଲାଠି ଚାଳନା କରିବା ପରେ ବି ସେଠାରେ ଉତ୍ତେଜନା ଲାଗି ରହିଛି। ପୁଲିସ୍‌ ମାଡ଼ରେ ୨ ଜଣ ଆହତ ହୋଇଥିବା ବେଳେ ବହୁ ଜଣଙ୍କୁ ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି। ଏହାସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିବା ବେଳେ ଖଣି କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିବା ଜଣାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣିକୁ ୨୦୦୬ ମସିହାରେ ଭୂଷଣ କମ୍ପାନୀକୁ ଆବଣ୍ଟନ ହୋଇଥିଲା। କମ୍ପାନୀ ପକ୍ଷରୁ ଉକ୍ତ ସମୟରେ ୨୦୦୬ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଉକ୍ତ ନୀତି ଅନୁଯାୟୀ, ସେତେବେଳେ ବିସ୍ଥାପିତଙ୍କୁ ଜମିର ସରକାରୀ ମୂଲ୍ୟ ସମେତ ଘର ଓ ଘରଢ଼ିହ ସହ ଅନ୍ୟାନ୍ୟ ସୁବିଧା ଦିଆଯାଇଥିଲା । ଏହାପରେ ବି ଭୂଷଣ ପକ୍ଷରୁ ଉକ୍ତ ଖଣି କାମ ଆରମ୍ଭ ହୋଇ ପାରି ନ ଥିବା ବେଳେ ତାହା ବେଦାନ୍ତ ହାତକୁ ଚାଲି ଯାଇଥିଲା।

ବେଦାନ୍ତ ଆଜି ଉକ୍ତ  ଖଣି କାମ ଆରମ୍ଭ କରୁଥିବା ବେଳେ ଏହାକୁ ବିସ୍ଥାପିତଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି। ଇତି ମଧ୍ୟରେ ବହୁ ବର୍ଷ ବିତି ଯାଇଥିବାରୁ ବିସ୍ଥାପିତମାନେ ୨୦୧୩  ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଦାବି କରିଛନ୍ତି। ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ ଜମିର ସରକାରୀ ମୂଲ୍ୟର ୪ ଗୁଣ ଦେବ କମ୍ପାନୀ । ଏହାସହ ସେମାନଙ୍କୁ ଥଇଥାନ କଲୋନୀ କରି ଘର ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଜୀବନଜୀବିକା ବ୍ୟବସ୍ଥା ଦାବି କରିଛନ୍ତି। ମାତ୍ର ଥରେ କ୍ଷତିପୂରଣ ପ୍ରଦାନ କରାଯାଇଥିବାରୁ ପୁଣି ଥରେ କ୍ଷତିପୂରଣ ପ୍ରଦାନ କରିବାକୁ ସଫା ସଫା ମନା କରି ଦେଇଥିଲା ବେଦାନ୍ତ ।

ହେଲେ ବହୁ ଆଲୋଚନା ପରେ କମ୍ପାନୀ ଏକର ପିଛା ବିସ୍ଥାପିତଙ୍କୁ ୬ ଲକ୍ଷ ଦେବାକୁ ରାଜି ହୋଇଥିବା ବେଳେ ବିସ୍ଥାପିତ କିନ୍ତୁ ଏକର ପିଛା ୩୦ରୁ ୩୫ ଲକ୍ଷ ଦାବି କରିଛନ୍ତି। ଏହା ସମ୍ଭବ ନୁହେଁ ବୋଲି କମ୍ପାନୀ ପକ୍ଷରୁ ସଫା ସଫା କୁହାଯିବା ପରେ ଆଜି ଘଟଣାସ୍ଥଳରେ ଶତାଧିକ ବିସ୍ଥାପିତ ପହଞ୍ଚି ତୀବ୍ର ଆନ୍ଦୋଳନ କରିଛନ୍ତି।

ଯେଉଁଠି ଖଣି କାର୍ଯ୍ୟ ହେବ ସେଠାରେ କୌଣସି ଜନବସତି ନାହିଁ । ତେଣୁ ସେଠାରେ ଖନି ଖନନ ନିମନ୍ତେ ଅନୁମତି ଦେବାକୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଉଛି। ହେଲେ ଏହି ବିବାଦର କୌଣସି ସମାଧାନର ସୂତ୍ର ବାହାରି  ନ ଥିବା ଜଣାଯାଇଛି।

https://youtu.be/OlqjKzOGyJk

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos