ଭୁବନେଶ୍ୱର (ରମେଶ ରଥ): ଆସନ୍ତା ନିର୍ବାଚନ ପାଇଁ କେଉଁ ଦଳର ରଣକୌଶଳ ପ୍ରସ୍ତୁତି ଆରମ୍ଭ ହେଉ କି ନହେଉ, ବିଜେଡି ତା’ର ପ୍ରାକ୍ ନିର୍ବାଚନୀ ଯୋଜନା ଆରମ୍ଭ କରିଦେଲାଣି। ଆୟୋଜନ ଆରମ୍ଭରୁ ଦଳର କୋର୍ ଗୃପ୍ର ବଡ଼ମୁଣ୍ଡ ମାନେ ଗ୍ରାଉଣ୍ଡରୁ ଆସିଥିବା ସର୍ଭେ ତଥ୍ୟକୁ ଦେଖି ଚିନ୍ତିତ। ତଥ୍ୟକୁ ଆଧାର କରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ନାମ ଚୟନକୁ ନେଇ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଦୀର୍ଘ ୧୮ ବର୍ଷ କ୍ଷମତାରେ ରହିବାରୁ ବିଧାୟକଙ୍କ ବାଦ୍ ଅନ୍ୟ ଆଶାୟୀମାନେ ଦଳୀୟ ଟିକଟ୍ର ଦାବିଦାର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରୁ ବାହାରିଛନ୍ତି। ଏମାନଙ୍କୁ ସନ୍ତୁଷ୍ଟ କରାଯିବ କେମିତି ତାକୁ ନେଇ ଚିନ୍ତା। ଏହି ଆଶାୟୀ ପ୍ରାର୍ଥୀମାନେ ହିଁ ଆସନ୍ତା ନିର୍ବାଚନରେ ବିଜେଡି ପାଇଁ କାଳ ହେବେ ବୋଲି କୁହଯାଉଛି। ଏମାନଙ୍କ ମଧ୍ୟରୁ କିଛି ନେତା ଗତ ନିର୍ବାଚନ ସମୟରେ ବି ବିଜେଡି ଟିକେଟ୍ର ଦାବିଦାର ଥିଲେ। ହାଇକମାଣ୍ଡଙ୍କ ପ୍ରତିଶ୍ରୁତି ଯୋଗୁଁ ଗତ ନିର୍ବାଚନ ବେଳେ ଏହି ଆଶାୟୀ ପ୍ରାର୍ଥୀମାନେ କିଛି ବି ଆନ୍ତର୍ଘାତୀ କାର୍ଯ୍ୟ କରିନଥିଲେ। କିନ୍ତୁ ଆସନ୍ତା ୧୯ ନିର୍ବାଚନକୁ ଏମାନେ ସମ୍ଭାଳିବା କଷ୍ଟକର। କାରଣ କିଛି ଲୋକଙ୍କୁ ଛାଡ଼ିଦେଲେ, ଅଧିକାଂଶଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କିଛି ବି ମିଳିନାହିଁ। ଏହି ଟିକଟ ଆଶାୟୀଙ୍କର ଆଉ ଧର୍ଯ୍ୟ ବି ନାହିଁ। କାରଣ, ଆଗକୁ ଦଳର ଭବିଷ୍ୟତ କ’ଣ ହେବ କିଛି ଜଣାନାହିଁ।
ବିଜେଡ଼ିରେ ଯେହେତୁ ପୁରୁଖା ନେତାଙ୍କୁ ଆଗ ପରି ଆଉ ଗୁରୁତ୍ୱ ଦିଆନଯାଇ କଂଗ୍ରେସ ଓ ବିଜେପିରୁ ଆସୁଥିବା ନେତାଙ୍କୁ ଦଳରେ ମିଶାଇ ତାଙ୍କ ଉପରେ ଦଳ ଆସ୍ଥା ରଖୁଛି, ସେଥିପାଇଁ ପୁରୁଣା ନେତାମାନେ ବି ଭିତରେ ଭିତରେ ଜଳୁଛନ୍ତି। ଏମାନେ ନେତୃତ୍ୱକୁ ପାନେ ଦେବାକୁ ଅପେକ୍ଷାରେ ବି ଅଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ଓ ବିଜେପିରେ ଥିବା ନେତାଙ୍କୁ ବିଜେଡ଼ି ବିରୋଧ କରି ଆସୁଥିଲେ ମଧ୍ୟ, ସମ୍ପୃକ୍ତ ନେତାଙ୍କୁ ଦଳରେ ସାମିଲ କରି, ଭଲ ଲୋକର ଷ୍ଟାମ୍ପ ଲଗାଇ, ‘ଭେରିଗୁଡ୍’ ଆଖ୍ୟା ପ୍ରଦାନ କରାଯାଉଥିବା ଯୋଜନାକୁ ତଳ ସ୍ତରର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ହୋଇ ଲଢ଼ିଥିବା ନେତାଙ୍କୁ ନିଜ ଦଳ ଭିତରେ ଦେଖି ଚକିତ। ବଡ଼ ନେତାଙ୍କୁ ଉପର ସ୍ତରରେ ସାମିଲ କରିଦେଲେ ବି ତାଙ୍କ ସହ ତଳ ସ୍ତରର ନେତା ଓ କର୍ମୀ ବି ଦଳରେ ମିଶୁଛନ୍ତି। ଗାଁ ଗଣ୍ଡାରେ ରାଜନୀତିକୁ ନେଇ କୋର୍ଟ କଚେରୀ ଦୌଡ଼ୁଥିବା କର୍ମୀମାନେ, ଏ ରାଜନୀତିକୁ ନେଇ ଗୁମ୍ ମାରି ବସିଛନ୍ତି। ତେଣୁ ଅନୁମାନ କରାଯାଉଛି, ଏମାନେ ଠିକ୍ ସମୟରେ ପାନେ ଦେଇପାରନ୍ତି। ଠିକ୍ ଏହିପରି ଅବସ୍ଥା ୨୦ ବର୍ଷ ତଳେ, କଂଗ୍ରେସ ଦଳ ଭିତରେ ଘଟିଥିଲା। ଦଳ ଭୋଟ ରାଜନୀତି କରିବାକୁ ଯାଇ ନୀତି ଆଦର୍ଶକୁ ହରାଇ ଯାହାକୁ ପାଇଲେ ତାକୁ ସାମିଲ କଲେ। କଂଗ୍ରେସ କ୍ଷମତାରେ ଥିଲାବେଳେ ବି ଏହି ଦଳଡିଆଁ ମାନେ କଂଗ୍ରେସରେ ନିଜର ଆସ୍ଥାନ ଜମାଇଥିଲେ। ଏବେ ବି ସେଇ ଚର୍ଚ୍ଚିତ ଚେହେରାଙ୍କୁ ବିଜେଡିରେ ଦେଖିବାକୁ ମିଳୁଛି।
ଏସବୁ ହେବା ପଛର ମୂଳ କାରଣ ହେଲା, ଦଳ କେଉଁଠି ନା କେଉଁଠି ଅମଲାତାନ୍ତ୍ରିକ ଢାଞ୍ଚାରେ ପରିଚାଳିତ ହେଉଛି। ଏହି ଅମଲାମାନଙ୍କର କିଏ କେଉଁ ଦଳର ତାଙ୍କର କିଛି ଯାଏ ଆସେନାହିଁ। ତଳସ୍ତରରେ କ’ଣ କର୍ମୀମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସବୁ ବୁଝିବା ତାଙ୍କ ପାଇଁ ଜରୁରି ନୁହେଁ। ତାଙ୍କର ଲକ୍ଷ୍ୟ ହେଲା, କେମିତି କ୍ଷମତାରେ ରହି ଶାସନ ଉପଭୋଗ କରିବେ। ତା ପରେ ଯିଏ କୁଆଡେ଼ ଯାଉ। ସମସ୍ତଙ୍କୁ ଜଣା ଯେ, ଦଳ କେମିତି ପରିଚାଳିତ ହେଉଛି ଓ ଏହାର ରିମୋଟ୍ କଣ୍ଟ୍ରୋଲ କାହା ହାତରେ। ବିଜେଡିରେ ବିଧାୟକଙ୍କୁ ଦଳର ମୁଖିଆ ଠିକ୍ ଭାବରେ ଚିହ୍ନି ପାରୁନାହାନ୍ତି। ତାଙ୍କର କେତେ ଏମ୍ଏଲଙ୍କର ନାଁ ମନେ ଅଛି ତାହା ସମସ୍ତଙ୍କୁ ଜଣା। କାହାକୁ ‘ଜିରାଫ୍’ ତ କାହାକୁ ‘ବଫାଲୋ’, ଏମିତି କେତେ କିମ୍ଭୁତକିମାକାର ନାଁରେ ଡାକନ୍ତି ମୁଖିଆ। ସୁତରାଂ ଏପରି ପରିସ୍ଥିତିରେ ସ୍ୱାଭିମାନୀ ନେତାମାନେ କାହା ପାଖରେ ଗୁହାରି କରିବେ? ପାଟି ଚୁପ୍ କରି ରହିବାଟା ଠିକ୍ ହେବ ବୋଲି ଭାବୁଛନ୍ତି। ମାଲିସ୍ ଓ ସାଲିସ୍ କରିଦେଲେ କିଛି ନହେଲେ କ୍ଷମତା ତ ରହିବ। ଆଉ ପ୍ରତିବାଦ କଲେ ଆଗରୁ ଅନ୍ୟମାନଙ୍କ ସହ ଯାହା ଘଟିଛି ତାହା ଘଟିବ। ତେଣୁ ଦଳ, ନେତା ଓ ରାଜ୍ୟ, କୁଆଡେ଼ ଯାଉଛି ଯାଉ, ନିଜର ଆସନ ବଞ୍ଚିଯାଉ ନ୍ୟାୟରେ ନେତାମାନେ ପାଟି ଚୁପ୍ କରି ବସିଛନ୍ତି।
ଗତ ନିର୍ବାଚନରେ ଗୁଜରାଟରେ ବି ଓଡ଼ିଶା ଭଳି ସମାନ ଅବସ୍ଥା ଘଟିଥିଲ॥ ସେଠି ୨୦ ବର୍ଷ ଶାସନରେ ଥିବା ବିଜେପି, ବିରୋଧୀ ଦଳ ପକ୍ଷରୁ ଯେତିକି ବିରୋଧର ସମ୍ମୁଖୀନ ହୋଇନଥିଲା, ଅଧିକ ହୋଇଥିଲା ନିଜ ଦଳରୁ। ଯେହେତୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଗାଦିରେ ବସିଛନ୍ତି, ତେଣୁ ବହୁ ନେତାମନ୍ତ୍ରୀ ମୁଣ୍ଡ ପୂରାଇ ଗୁଜୁରାଟ ସ୍ଥିତି ସମ୍ଭାଳିବାକୁ ଆଗେଇ ଆସିଲେ। ଶେଷରେ ବହୁ କଷ୍ଟରେ ଗୁଜରାଟରେ ବିଜେପିର ଇଜ୍ଜତ୍ ରହିଗଲା। ଠିକ୍ ସମାନ ଅବସ୍ଥା ଓଡ଼ିଶାରେ ହେବାକୁ ଯାଉଛି। ଏଭଳି ସ୍ଥିତିକୁ ସାମନା କଲା ଭଳି ତାକତ ବିଜେଡ଼ିର ଅଛି ତ? ଏ ଲୁକ୍କାୟିତ ଅମଲାତନ୍ତ୍ରିକ ରାଜଘୋଡ଼ା ମାନେ ନିର୍ବାଚନ ସମୟରେ ଖୋଲାଖୋଲି ସାମ୍ନାକୁ ଆସି ଲଢ଼େଇ କରିପାରିବେ ତ? ବିଜେଡି ପାଇଁ ଆସନ୍ତା ନିର୍ବାଚନ ଏକ ଚାଲେଞ୍ଜ୍ ରୂପେ ଦେଖାଦେବ, ଏଥିରେ ସନ୍ଦେହ ନାହିଁ।
ତେବେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବାକୁ ସରକାର ଚିନ୍ତା କରୁଛନ୍ତି। ବିଧାନ ପରିଷଦ ଥୋପ ପକାଇ ଦଳ ଭିତରେ ଥିବା ଅସନ୍ତୁଷ୍ଟଙ୍କୁ କେତେକାଂଶରେ ସନ୍ତୁଷ୍ଟ କରିହେବ। ପରିଷଦ ଗଠନ ହେଲେ, ବିଜେଡିର ବହୁ ସମର୍ଥକଙ୍କୁ ସରକାର ଚାହିଁଲେ ଏଠାକୁ ପଠାଇ ପାରିବେ। ତେଣୁ ଏହି ଲଲିପପ୍ ଲୋଭ ଦେଖାଇ ଗୁଡ଼ାଏ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିହେବ। ସେମାନେ ହୁଏତ ଲୋଭରେ ଚୁପ୍ ରହିବେ। କିନ୍ତୁ ଏକଥା ବୋଧହୁଏ ଅସନ୍ତୁଷ୍ଟିଆ ଜାଣିଥିବେ କି ନାହିଁ ଯେ, ବିଧାନ ପରିଷଦ ଗଠନ ଏତେ ସହଜ ନୁହେଁ। ଏହା ପାନ ଦୋକାନ ନୁହେଁ ଯେ, ସରକାର ଚଟ୍ କରି ଉଠେଇ ନେଇ ଥୋଇଦେବେ। ଏଥିପାଇଁ ସମୟ ଲାଗିବ। ସେ ଯାଏଁ ଅସନ୍ତୁଷ୍ଟ ଅପେକ୍ଷା କଲେ ହେଲା।