କେନ୍ଦୁଝର(ପ୍ରଣୟ ପାଣି): ବିଷକ୍ରିୟାରୁ ହୋଇଛି ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ। ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏପରି ରିପୋର୍ଟ ଆସିଥିବା ସ୍ପଷ୍ଟ କରିଛନ୍ତି କେନ୍ଦୁଝର ସିଡିଏମଓ। ତେବେ ଅଧିକ ଯାଞ୍ଚ ପାଇଁ ପୁଲିସ୍ ଜବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍ ଲ୍ୟାବକୁ ପଠାଯିବ । ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍ଓ । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।
ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।
ଏକ ପୁଲିସ୍ ଟିମ୍ ଉକ୍ତ ବୋତଲ ସମେତ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ଧରି ଆଜି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ପ୍ରାୟ ସପ୍ତାହେ ପରେ ଉକ୍ତ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ବୋଲି ସିଡିଏମ୍ଓ କହିଛନ୍ତି।
ପ୍ରେମରେ ପ୍ରତାରିତା ହୋଇ ଶୁଭଶ୍ରୀ ଏପରି ପଦକ୍ଷେପ ଉଠାଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହୋଇଛି। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦେଇଥିବା ଏତଲାରୁ ଏହା ସ୍ପଷ୍ଟ ହୋଇଛି। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।
ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସଂପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଖାଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି । ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା। ଠିକ୍ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ ମିଳିଛି ଯାହାକୁ ନେଇ ଏବେ ସନ୍ଦେହ ବଢ଼ିଛି । ସେପଟେ ଡାକ୍ତରଙ୍କ ଫୋନ ମଧ୍ୟ ସୁଇଚ ଫ ରହିଛି ।
ଶୁଭଶ୍ରୀଙ୍କ ଏତଲା ପରେ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଦିବ୍ୟରଞ୍ଜନ ଇସ୍ତଫା ଦେଇ ପଳାଇଥିବା ଉଲ୍ଲେଖ କରିଛନ୍ତି । ଏଥିରେ ସେ ନିଜ ବାହାଘର ପାଇଁ ଭୁବନେଶ୍ୱର ଯିବେ ବୋଲି ଉଲ୍ଲେଖ କରିଥିଲେ। ଏହାପରଠୁ ତାଙ୍କ ଫୋନ୍ ସୁଇଚ ଅଫ ଆସୁଥିବା ବେଳେ ସେ ଏବେ କେଉଁଠି ସେ ନେଇ ସୂଚନା ମିଳୁନି। ଦିବ୍ୟରଞ୍ଜନ କାମ କରୁଥିବା ନୁଆଗାଁ ଡିସ୍ପେନସାରୀକୁ ଏକ ପୁଲିସ୍ ଟିମ୍ ଯାଇଥିବା ବେଳେ ତାଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ତେଣୁ ପୁଲିସ୍ ଏବେ ଦିବ୍ୟରଞ୍ଜନଙ୍କୁ ଖୋଜାଖୋଜି ପ୍ରକ୍ରିୟାକୁ ଜୋରସୋରରେ ଆରମ୍ଭ କରି ଦେଇଛି। କାରଣ ସିଏ ଧରା ପଡ଼ିଲେ ହିଁ ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ, ଝିଅର ପ୍ରେମ ସମ୍ପର୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଗୋଚରରେ ଥିବା କହିଛନ୍ତି ଶୁଭଶ୍ରୀଙ୍କ ପିତା। ତେଣୁ କ’ଣ ପାଇଁ ସେ ଏତେ ବଡ଼ ପଦକ୍ଷେପ ଉଠାଇଲେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।