ଉଦଳା(ମାନସ ପାଣି): ଦୁର୍ଘଟଣାରେ ଆହତ ହୋଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାକୁ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସିତ ହେବାକୁ ଯାଇଥିବା ୩ ଯୁବକ ସେଠାରେ ତୁମୁଳ କାଣ୍ଡ ଘଟାଇଥିଲେ। ଡାକ୍ତର ସେମାନଙ୍କ ନାଁ ପଚାରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ମେଡିକାଲ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ।
ଘଟଣା ପ୍ରତିବାଦରେ ଆଜି ଆଉଟଡୋର ଆଗରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ଧାରଣା ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଧାରଣା ଯୋଗୁ ଆଉଟଡୋର ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।
ସୂଚନାଯୋଗ୍ୟ,ଗତକାଲି ବିଳମ୍ୱିତ ରାତିରେ ତିନି ଜଣ ଯୁବକ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ ଉଦଳା ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ପରେ ଡାକ୍ତର ନାଁ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ନିକଟରେ ଥିବା ଦୁଇ ଜଣ ସୁରକ୍ଷାକର୍ମୀ ବି ଏଥିରୁ ବର୍ତ୍ତି ନଥିଲେ। ଏହି ତିନି ଯୁବକ ମାଡ଼ ମାରିବା ସହ ଡାକ୍ତରଖାନାର ବିଭିନ୍ନ ଆସବାବପତ୍ର ଭାଙ୍ଗିଦେଇଥିବା ଡାକ୍ତର କହିଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ତିନି ଯୁବକଙ୍କ ଘର ଉଦଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।