ମୋବାଇଲ୍ ଫୋନ୍‌ ବ୍ୟାଟେରୀ ୨୦ ପ୍ରତିଶତରୁ ଅଧିକ ଥିଲେ ଚାର୍ଜ କରନ୍ତୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ମୋବାଇଲ୍ ଫୋନର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ଭୁଲରେ ବି ଏହାକୁ ପୁଣିଥରେ ଚାର୍ଜ କରନ୍ତୁ ନାହିଁ। ଏହାର ପରିଣାମ ଭୟଙ୍କର ହୋଇପାରେ ବୋଲି ଆଜି ବିଶିଷ୍ଟ ଗବେଷକମାନେ ଏଭଳି ମତ ରଖିଛନ୍ତି। ସାଧାରଣତଃ ମୋବାଇଲର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ ଦେଖିବାକୁ ମିଳୁଛି। ତେବେ ଏଭଳି ଚାର୍ଜ ଦ୍ୱାରା ଏହାର ସିଧାସଳଖ ପ୍ରଭାବ […]

u

Hemant Lenka
  • Published: Thursday, 31 October 2019
  • , Updated: 31 October 2019, 08:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ମୋବାଇଲ୍ ଫୋନର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ଭୁଲରେ ବି ଏହାକୁ ପୁଣିଥରେ ଚାର୍ଜ କରନ୍ତୁ ନାହିଁ। ଏହାର ପରିଣାମ ଭୟଙ୍କର ହୋଇପାରେ ବୋଲି ଆଜି ବିଶିଷ୍ଟ ଗବେଷକମାନେ ଏଭଳି ମତ ରଖିଛନ୍ତି।
ସାଧାରଣତଃ ମୋବାଇଲର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ ଦେଖିବାକୁ ମିଳୁଛି। ତେବେ ଏଭଳି ଚାର୍ଜ ଦ୍ୱାରା ଏହାର ସିଧାସଳଖ ପ୍ରଭାବ ମୋବାଇଲର ଡିଭାଇସ୍ ଉପରେ ପଡ଼ିଥାଏ ଏବଂ ଏଗୁଡ଼ିକ ଶୀଘ୍ର ଏକାମୀ ହୋଇଯାଏ ବୋଲି କହିଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ।

ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡସ ଇନ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି” ଶୀର୍ଷକ ଜାତୀୟ କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ନିଜର ମତ ରଖି ପ୍ରଫେସର ଦାସ କହିଛନ୍ତି ଯେ ଯେତେବେଳେ ଇଚ୍ଛା ସେତେବେଳେ ମୋବାଇଲ୍ ଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଶୀଘ୍ର ଖରାପ ହୋଇଯାଇଥାଏ। ମୋବାଇଲ୍ ଫୋନର ବ୍ୟାଟେରୀ ମ୍ୟାନେଜମେଣ୍ଟ ସଫ୍ଟୱେୟାର ଦ୍ୱାରା ପରିଚାଳିତ ହୋଇଥାଏ। ସେହିପରି ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ଫୋନରେ କଥା ହେବା ବିପଜ୍ଜନକ। ଏପରି କଥା ହେବା ଦ୍ୱାରା ମୋବାଇଲ୍ ଫୋନ୍ ବିସ୍ଫୋରଣ ଘଟିବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଏଭଳି କିଛି କିଛି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ସେ କହିଛନ୍ତି। ପ୍ରଫେସର ଦାସ କହିଥିଲେ ଯେ ଶକ୍ତିସମ୍ପନ୍ନ ଖଣିଜ ପଦାର୍ଥ ସ୍ଥାନରେ ଅଣ ଶକ୍ତିସମ୍ପନ୍ନ ଖଣିଜ ପଦାର୍ଥର ବ୍ୟବହାର ନେଇ ଗବେଷଣା କରାଯାଉଛି। ସେହିପରି ମେଟାଲ୍ ଏୟାର ବ୍ୟାଟେରୀ, ରେଡକ୍ସ ଫ୍ଲୋ ବ୍ୟାଟେରୀ ଏବଂ ଲିଥିୟମ୍ ସଲଫର ବ୍ୟାଟେରୀର ଊଦଭାବନ ଦିଗରେ ଅଧିକ କାର୍ଯ୍ୟ କରାଯାଉଛି।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜର ବକ୍ତବ୍ୟ ରଖିଥିଲେ।

ସୋଆର ବାୟୋଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟର (ବିବିଆରସି) ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅନେକ ବୈଜ୍ଞାନିକ, ଶିଳ୍ପୋଦ୍ୟୋଗି, ଶିକ୍ଷାବିତ୍ ଏବଂ ଗବେଷଣାରତ ସ୍କଲାର ଯୋଗ ଦେଇଥିଲେ।

ପ୍ରଫେସର ଆଚର୍ଯ୍ୟ କହିଥିଲେ, ମୋବାଇଲ୍ ଫୋନରେ ୨୦ଟି ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ତେବେ ଏସବୁ ଖୁବ୍ କମ୍ ଉପଲବ୍ଧ ହୋଇଥାଏ। ଉଦାହରଣ ସ୍ୱରୂପ ମୋବାଇଲ ଫୋନରେ ଲିଥିୟମ୍ ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଇଥାଏ। ଲିଥିୟମର ବ୍ୟବହାର ଖୁବ୍ ଅଧିକ ହୋଇଥିବା ବେଳେ ଏହା ଖୁବକମ୍ ପରିମାଣର ଉପଲବ୍ଧ ହେଉଛି।

ମୋବାଇଲ୍ ଫୋନ୍ ଚାର୍ଜ କରିବା ପାଇଁ ପାୱାର ବ୍ୟାକଅପ୍ ସିଷ୍ଟମର ବ୍ୟବହାର ବହୁଳ ଭାବରେ କରାଯାଉଥିବା ବେଳେ ଏହା କିନ୍ତୁ ଏକ ବିପଜ୍ଜନକ ଡିଭାଇସ୍।  ୟୁରୋପୀୟ ଦେଶଗୁଡ଼ିକରେ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଚିନ୍ତା କରାଯାଉଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ।

ଖଣିଜ ସମ୍ପଦର ସଂରକ୍ଷଣ ପାଇଁ ଅଧିକ ନିବେଶ କରାଯିବା ସହ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଜରୁରୀ ବୋଲି ବିବିଆରସିର ନିର୍ଦ୍ଦେଶକ ତଥା କର୍ମଶାଳାର ସଂଯୋଜକ ପ୍ରଫେସର ଲାଲା ବିହାରୀ ଶୁକ୍ଳା କହିଥିଲେ ।

କର୍ମଶାଳାର ଆୟୋଜକ ସମ୍ପାଦକ ଡଃ ଦେବବ୍ରତ ପ୍ରଧାନ ଏବଂ ସହ ସଂଯୋଜିକା ଡଃ ନିହାରବାଳା ଦେବୀ ମଧ୍ୟ ବକ୍ତବ୍ୟ ରଖିଥିଲେ ।

Related story