ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୩ ବର୍ଷ ପୂର୍ବେ ଯେଉଁ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଥିଲା ଏବେ ସେହି ଆପାର୍ଟମେଣ୍ଟର ପାଚେରୀ ଭାଙ୍ଗିବାକୁ ସଜବାଜ ହେଉଛି ବିଡିଏ । ବିଡିଏର ଏପରି ଦୋ ମୁହାଁ ନୀତିକୁ ବିରୋଧ କରିଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା । ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ବିବେକାନନ୍ଦ ରୋଡରେ ଥିବା ମାୟାପୁରୀ ଆପାର୍ଟମେଣ୍ଟ ବାସିନ୍ଦା ବିଡିଏ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ୧୯୯୭ ମସିହାରେ ଉକ୍ତ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଥିଲା ବିଡିଏ। ହେଲେ ଏବେ ହଠାତ୍ ୨୩ ବର୍ଷ ପରେ ପହଞ୍ଚି ଆପାର୍ଟମେଣ୍ଟର ପାଚେରୀ ଭଙ୍ଗାଯିବ ବୋଲି ନୋଟିସ୍ ଦେଇଛି। ଉକ୍ତ ପ୍ଲଟକୁ ଲାଗି ୨୦ ଫୁଟର ରାସ୍ତା ଯାଇଥିବା କହୁଛି ବିଡିଏ। ତେଣୁ ଆପାର୍ଟମେଣ୍ଟର ପାଚେରୀ ଭଙ୍ଗାଯିବ ବୋଲି ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୋଟିସ୍ ଦେଇଛି । ଏ ସମ୍ପର୍କରେ ୨୩ ବର୍ଷ ପୂର୍ବରୁ କିପରି ବିଡିଏ ଜାଣି ପାରିଲା ନାହିଁ, ନା ଜାଣୁଶୁଣି ସେତେବେଳେ ଅନୁମତି ଦେଇଥିଲା ସେ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେଉଛି।
ଉଚ୍ଛେଦର ମାତ୍ର ଗୋଟିଏ ଦିନ ପୂର୍ବରୁ ବିଡିଏ ନୋଟିସ୍ ଦେଇଥିବାରୁ ଏହା ବିଡିଏର ମନମୁଖୀ ନୀତି ବୋଲି ଆପାର୍ଟମେଣ୍ଟ ବାସିନ୍ଦା ଅଭିଯୋଗ କରିଛନ୍ତି । ସେପଟେ ଆପାର୍ଟମେଣ୍ଟ ବାସିନ୍ଦା ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୋମବାର ଦିନ ଏହି ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି କୋର୍ଟ ।
ଏ ସମ୍ପର୍କରେ ଆପାର୍ଟମେଣ୍ଟ ବାସିନ୍ଦା ସଦାଶିବ ମହାପାତ୍ର କହିଛନ୍ତି, ଆମେ କାଗଜପତ୍ର ଦେଖି ଏଠାରେ ଫ୍ଲାଟ୍ ନେଇଥିଲୁ। ଆଜି ହଠାତ୍ ବିଡିଏ ଗାଡ଼ି ଆସି ପାଚେରୀ ଭାଙ୍ଗିବାକୁ ଘୋଷଣା କରି ଯାଇଛନ୍ତି। ଆମେ ଏ ବିଷୟରେ କିଛି ଜାଣିନୁ, କ’ଣ ପାଇଁ ଭାଙ୍ଗୁଛନ୍ତି। ପଚାରିବାକୁ ସରକାରୀ ଜାଗା ଥିବାରୁ ଭଙ୍ଗା ଯିବ ବୋଲି କହିଛନ୍ତି।
୨୩ ବର୍ଷ ପୂର୍ବେ ନିର୍ମାଣ ନିମନ୍ତେ ଅନୁମତି ଦେଇଥିବା ବେଳେ ଏବେ ଉଚ୍ଛେଦ ନୋଟିସ୍ ଧରାଇବା ଘଟଣାକୁ ସହଜେ ହଜମ କରି ପାରୁ ନାହାନ୍ତି ଆପାର୍ଟମେଣ୍ଟ ବାସିନ୍ଦା। ଏ ସମ୍ପର୍କରେ ବିଡିଏ ଅଧିକାରୀଙ୍କ ମତାମତ ମିଳି ପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।