ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଜ ଘରେ ଗୃହବନ୍ଦୀ ହୋଇ ରହିଛନ୍ତି ମାଆ-ପୁଅ। ୪ରୁ ୫ ଦିନ ଧରି ବନ୍ଦୀ ଜୀବନ କାଟୁଛନ୍ତି ମାଆ ଓ ପୁଅ। ରାଜଧାନୀର ଛାତି ଉପରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ଭୁବନେଶ୍ୱର ବ୍ୟସ୍ତବହୁଳ ସିଆର୍ପି ଛକର ପ୍ରିୟଦର୍ଶନୀ ମାର୍କେଟ ପଛ ପଟେ ଏକ ଘରେ ଏମାନଙ୍କୁ ବନ୍ଦୀ କରି ରଖାଯାଇଛି।
ଅଭିଯୋଗ ହୋଇଛି ୭୬ ବର୍ଷୀୟ ଅନୁସୂୟା ମହାନ୍ତି ଓ ତାଙ୍କ ପୁଅ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଗତ ୪-୫ ଦିନ ହେଲା ବାହାରୁ ତାଲା ପକାଇ ରଖାଯାଇଛି। ଉଭୟଙ୍କ ଅଭିଯୋଗ ଅନୁଯାୟୀ, ସେହି ବିଲଡିଂରେ ପୂର୍ବରୁ ରହୁଥିବା ଅନ୍ୟ ଜଣେ ମହିଳା ଓ ତାଙ୍କ ପରିବାର ଲୋକେ ସେମାନଙ୍କୁ ତାଲା ପକାଇ ପଳାଇଛନ୍ତି। ଘର ଓ ଜାଗାବାଡ଼ିକୁ ନେଇ କିଛି ଆଇନଗତ ସମସ୍ୟା ରହିଛି। ଏହି ଘରର ମାଲିକାନାକୁ ନେଇ ଉଭୟ ପକ୍ଷ ଦାବି କରୁଛନ୍ତି। ତେବେ ବନ୍ଦୀ ଥିବା ମାଆ ଓ ପୁଅ କାଗଜପତ୍ର ଦେଖାଇ ସେମାନଙ୍କ ମାଲିକାନା ଏହି ଘର ଉପରେ ଥିବା ଦାବି କରିଛନ୍ତି।
ଅନୁସୂୟା ମହାନ୍ତି କହିଛନ୍ତି-“ସନ୍ଧ୍ୟାରାଣୀ ସାହୁ, ତାଙ୍କ ଝିଅ ଓ କାହ୍ନୁ ବୋଲି ଗୋଟିଏ ପିଲା ଘରେ ତାଲା ପକାଉଥିଲା ଏବଂ ଖୋଲୁଥିଲା। ମାତ୍ର ଗତ ୪ରୁ ୫ ଦିନ ହେବ ଆଉ ତାଲା ଖୋଲୁନାହିଁ। ଯେତେ ଅନୁରୋଧ କଲେ ମଧ୍ୟ ଖୋଲୁନାହିଁ। ମୋ ପୁଅକୁ ଜ୍ୱର ହୋଇଛି। ତାଲା ଖୋଲିବାକୁ କହିବାରୁ ପୁଲିସ୍ ମନା କରିଛି ବୋଲି କହୁଛି।”
ଅନୁସୂୟାଙ୍କ ପୁଅ ମୃତ୍ୟୁଞ୍ଜୟ କହିଛନ୍ତି-“ଘର ଭିତରେ ବନ୍ଦୀ ଜିବନ କାଟୁଥିବାରୁ ଖାଇବା ପାଇଁ ପାଉନାହୁଁ। କେବଳ ବିସ୍କୁଟ ଖାଇ ବଞ୍ଚୁଛୁ। ତାଲା ଖୋଲିବା ପାଇଁ ପୁଲିସକୁ କହିଛୁ। ମାତ୍ର କେହି ଖୋଲୁନାହାନ୍ତି। ନୂଆବର୍ଷଟାରେ ବନ୍ଦୀ ଜୀବନ କାଟୁଛି। ଆମେ ଆଜାଦି ଚାହୁଁଛୁ।”