୯ ଜିଲ୍ଲାରେ ବିପର୍ଯ୍ୟୟ ନିରୋଧକ ହେବ ବିଦ୍ୟୁତ୍ ସରବରାହ, ୧୯ ହଜାର କୋଟିର ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ମଧ୍ୟରେ ୯ଟି ଉପକୂଳ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ନିରୋଧକ ବିଦ୍ୟୁତ ସରବରାହ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ଉପକୂଳ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଯାହାଫଳରେ ବନ୍ୟା, ବାତ୍ୟା ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟବେଳେ ବିଦ୍ୟୁତ ସରବରାହ ବ୍ୟବସ୍ଥା ସୁରକ୍ଷିତ ରହିପାରିବ। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ […]

electri

Manoranjan Sial
  • Published: Thursday, 25 June 2020
  • , Updated: 25 June 2020, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ମଧ୍ୟରେ ୯ଟି ଉପକୂଳ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ନିରୋଧକ ବିଦ୍ୟୁତ ସରବରାହ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ଉପକୂଳ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଯାହାଫଳରେ ବନ୍ୟା, ବାତ୍ୟା ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟବେଳେ ବିଦ୍ୟୁତ ସରବରାହ ବ୍ୟବସ୍ଥା ସୁରକ୍ଷିତ ରହିପାରିବ। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି କାର୍ଯ୍ୟଯୋଜନାର ସମୀକ୍ଷା କରାଯିବା ସହ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ନିରୋଧକ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଓ ବାଲେଶ୍ୱର ଜିଲ୍ଲାରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ୧୯ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ୪ଟି ଜିଲ୍ଲାରେ ୧୧ହଜାର କୋଟି ଓ ପରବର୍ତ୍ତୀ ୫ଟି ଜିଲ୍ଲାରେ ୮ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଶକ୍ତି ବିଭାଗ ଓ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଜରୁରୀକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଯୋଜନାର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଓ ଆଇନଗତ ଆଦି ଦିଗର ସଠିକ୍ ପରିଚାଳନା ନିମନ୍ତେ ‘ଥିଙ୍କ୍ ଟ୍ୟାଙ୍କ୍‌’ ଗଠନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ସଚିବ ଅଶୋକ କୁମାର ମୀନା, କୃଷି ସଚିବ ସୌରଭ ଗର୍ଗ ପ୍ରମୁଖ ସାମିଲ ଥିଲେ।

Related story