ବିପର୍ଯ୍ୟୟ ପାଣ୍ଠି: ଦଶନ୍ଧି ଧରି ମିଳୁନି ୩୯୦୦ କୋଟି ଟଙ୍କା ଖର୍ଚ୍ଚର ହିସାବ

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରତିବର୍ଷ ବିଭିନ୍ନଧରଣର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବିପର୍ଯ୍ୟୟ ପାଣ୍ଠିର ପରିଚାଳନାରେ ଗୁରୁତର ତ୍ରୁଟି ପଦାକୁ ଆସିଛି। ବିପର୍ଯ୍ୟୟ ପାଣ୍ଠିରୁ ନେଇଥିବା ସହାୟତାର ଖର୍ଚ୍ଚର ହିସାବ ଦେବାରେ ରାଜ୍ୟର ୨୦ଟି ବିଭାଗ ଓ ସମସ୍ତ ୩୦ଟି ଜିଲ୍ଲାର ପ୍ରଶାସନ ଦୀର୍ଘ ଏକଦଶନ୍ଧି ଧରି ଟାଳଟୂଳ ନୀତି ଆପଣାଇବାରେ ଲାଗିଛନ୍ତି। ୨୦୧୦-୧୧ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ବିଭାଗ ଓ ଜିଲ୍ଲାଗୁଡ଼ିକୁ ଦିଆଯାଇଥିବା ମୋଟ ୧୧୯୧୯.୪୬ କୋଟି ଟଙ୍କା […]

money-1

money-1

Tapas Behera
  • Published: Saturday, 24 October 2020
  • Updated: 24 October 2020, 10:12 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରତିବର୍ଷ ବିଭିନ୍ନଧରଣର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବିପର୍ଯ୍ୟୟ ପାଣ୍ଠିର ପରିଚାଳନାରେ ଗୁରୁତର ତ୍ରୁଟି ପଦାକୁ ଆସିଛି। ବିପର୍ଯ୍ୟୟ ପାଣ୍ଠିରୁ ନେଇଥିବା ସହାୟତାର ଖର୍ଚ୍ଚର ହିସାବ ଦେବାରେ ରାଜ୍ୟର ୨୦ଟି ବିଭାଗ ଓ ସମସ୍ତ ୩୦ଟି ଜିଲ୍ଲାର ପ୍ରଶାସନ ଦୀର୍ଘ ଏକଦଶନ୍ଧି ଧରି ଟାଳଟୂଳ ନୀତି ଆପଣାଇବାରେ ଲାଗିଛନ୍ତି। ୨୦୧୦-୧୧ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ବିଭାଗ ଓ ଜିଲ୍ଲାଗୁଡ଼ିକୁ ଦିଆଯାଇଥିବା ମୋଟ ୧୧୯୧୯.୪୬ କୋଟି ଟଙ୍କା ମଧ୍ୟରୁ ୩୨.୮୭ ପ୍ରତିଶତ ଅର୍ଥାତ୍ ୩୯୧୮.୩୮କୋଟି ଟଙ୍କାର ହିସାବ ଏପର୍ଯ୍ୟନ୍ତ ରିଲିଫ କମିଶନରଙ୍କୁ ମିଳିନଥିବା ଜଣାପଡ଼ିଛି। ଦୀର୍ଘ ଦଶନ୍ଧି ଧରି ହିସାବ(ବିନିଯୋଗ ପତ୍ର) ଦେଉନଥିବାରୁ ଏସବୁ ଅର୍ଥ ଖର୍ଚ୍ଚରେ ଅନିୟମିତତା ହୋଇଥିବାର ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୯-୨୦ ମସିହା ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ମୋଟ ୧୧୯୧୯.୪୬କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମାତ୍ର ଏହି ଅର୍ଥ ଖର୍ଚ୍ଚର ବିନିଯୋଗ ପତ୍ର(ୟୁସି) ଦେବାରେ ବିଭାଗ ଓ ଜିଲ୍ଲା ପ୍ରଶାସନଗୁଡ଼ିକ ବେପରୁୱା ମନୋଭାବ ପୋଷଣ କରୁଥିବାରୁ ଦୀର୍ଘ ଏକ ଦଶନ୍ଧି ଧରି କୋଟିକୋଟି ଟଙ୍କାର ଖର୍ଚ୍ଚର ହିସାବ ରିଲିଫ କମିଶନରଙ୍କୁ ମିଳିପାରିନି। ଆଉ ଏହି ୧୦ବର୍ଷ ମଧ୍ୟରେ ଯେଉଁ ବରିଷ୍ଠ ଆଇଏଏସମାନେ ସ୍ୱତନ୍ତ୍ର ରିଲିଫ କମିଶନର ପଦବୀରେ ରହିଥିଲେ ସେମାନେ ବି ଏସବୁ ବିନିଯୋଗପତ୍ର(ୟୁସି) ଦାଖଲ ନିମନ୍ତେ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ଉପରେ ଆବଶ୍ୟକ ଚାପ ପକାଇବାରେ ସକ୍ଷମ ହୋଇନାହାନ୍ତି।

ସୂତ୍ର ଅନୁସାରେ,  ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସହାୟତା ଅର୍ଥ ନେଇ ତାକୁ ଖର୍ଚ୍ଚ କରି ହିସାବ ଦେଇନଥିବା ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ପ୍ରତି କଠୋର ଆଭିମୁଖ୍ୟ ପୋଷଣ ବର୍ତ୍ତମାନର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଚଳିତମାସ ୮ତାରିଖରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ କମିଟିର ବୈଠକରେ ଏହି ତଥ୍ୟ ଉପସ୍ଥାପନ କରିଥିବା ଜଣାପଡ଼ିଛି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କମିଟି ମଧ୍ୟ ବିଭିନ୍ନ ବିଭାଗ ଓ ଜିଲ୍ଲାଗୁଡ଼ିକୁ ତୁରନ୍ତ ବକେୟା ବିନିଯୋଗପତ୍ର(ୟୁସି) ଦାଖଲ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି।
ବିପର୍ଯ୍ୟୟ ପାଣ୍ଠିରୁ ୨୦୧୦-୧୧ରୁ ୨୦୧୯-୨୦ ମସିହା ମଧ୍ୟରେ ବିଭିନ୍ନ ବିଭାଗକୁ ୫୦୭୧.୨୩କୋଟି ଟଙ୍କା ସହାୟତା ଦିଆଯାଇଥିବାବେଳେ ସେଥିରୁ ୩୧୧୮.୧୬ କୋଟି ଟଙ୍କା(୬୧.୪୯%)ର ୟୁସି ଦାଖଲ କରିଛନ୍ତି। ବାକି ୩୮.୫୧ ପ୍ରତିଶତ ଅର୍ଥାତ୍ ୧୯୫୩.୦୭ କୋଟି ଟଙ୍କାର ୟୁସି ଦାଖଲ କରିବାରେ ୨୦ଟି ବିଭାଗ ଦିନ ଗଡ଼ାଇ ଚାଲିଛନ୍ତି। ସର୍ବାଧିକ ୟୁସି ବକେୟା ରଖିଥିବା ବିଭାଗ ମଧ୍ୟରେ ପଂଚାୟତିରାଜ ବିଭାଗ ୭୫୦.୪୫କୋଟି ଟଙ୍କା, ଶକ୍ତି ବିଭାଗ ୪୬୯.୦୮କୋଟି ଟଙ୍କା, ସ୍ୱାସ୍ଥ୍ୟ ବିଭାଗ ୨୨୫କୋଟି ଟଙ୍କା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୭୫.୨୩କୋଟି ଟଙ୍କାର ହିସାବ ଦେଇନାହାନ୍ତି।

ସେହିପରି ଏହି ଅବଧି ମଧ୍ୟରେ ସମସ୍ତ ୩୦ ଜିଲ୍ଲାକୁ ୬୮୪୮.୨୩କୋଟି ଟଙ୍କା ଦିଆଯାଇଥିବାବେଳେ ସେଥିରୁ ୪୮୮୨.୯୨ କୋଟି ଟଙ୍କା (୭୧.୩୦%)ର ୟୁସି ମିଳିଛି। ବାକି  ୨୮.୭୦ ପ୍ରତିଶତ ଅର୍ଥାତ୍ ୧୯୬୫.୩୧ କୋଟି ଟଙ୍କାର ୟୁସି ଦାଖଲ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି । ପୁରୀ ଜିଲ୍ଲା ସର୍ବାଧିକ ୮୧୭.୫୯କୋଟି, ଖୋର୍ଦ୍ଧା ଜିଲ୍ଲା ୧୭୨.୫୮କୋଟି ଟଙ୍କା, କଟକ ଜିଲ୍ଲା ୧୬୦.୪୧ କୋଟି ଓ ଗଞ୍ଜାମ ଜିଲ୍ଲା ୧୦୬.୫୯କୋଟି ଟଙ୍କା, କେନ୍ଦ୍ରାପଡ଼ା ୯୦.୩୩କୋଟି ଓ ଜଗତସିଂହପୁର ୫୫.୩୫କୋଟି ଟଙ୍କାର ୟୁସି ବକେୟା ରଖିଛନ୍ତି।
ଏତେ ଅଧିକ ପରିମାଣର ୟୁସି ବକେୟା ରଖିଥିବାରୁ ଉକ୍ତ ଅର୍ଥଗୁଡ଼ିକ ବାସ୍ତବରେ ବିପର୍ଯ୍ୟୟ ପରିଚାଳନାରେ ଖର୍ଚ୍ଚ ହୋଇଛି କି ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos