ଖୋର୍ଦ୍ଧା-ବଲାଙ୍ଗିର ରେଳପଥ: ୨୮ବର୍ଷ ପରେ ବି ଜମି ଅଧିଗ୍ରହଣ ସାରି ପାରୁନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ଧରି ବହୁଚର୍ଚ୍ଚିତ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନଥିବା ସ୍ପଷ୍ଟ ହୋଇଛି। ୨୦୧୪ ମସିହା ପରେ ଏହି ରେଳମାର୍ଗ ପାଇଁ କେନ୍ଦ୍ର ସରକାର ଗତ କିଛିବର୍ଷ ଧରି ଆଖିଦୃଶିଆ ବ୍ୟୟବରାଦ କରୁଥିଲେ ମଧ୍ୟ ୮୨୯ଏକର ଜମି ଅଧିଗ୍ରହଣ ଓ ୧୬୭୪ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇପାରି ନଥିବାରୁ ରେଳମାର୍ଗ ନିର୍ମାଣ […]

railline

Ordigital Desk
  • Published: Friday, 04 February 2022
  • , Updated: 04 February 2022, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ଧରି ବହୁଚର୍ଚ୍ଚିତ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନଥିବା ସ୍ପଷ୍ଟ ହୋଇଛି। ୨୦୧୪ ମସିହା ପରେ ଏହି ରେଳମାର୍ଗ ପାଇଁ କେନ୍ଦ୍ର ସରକାର ଗତ କିଛିବର୍ଷ ଧରି ଆଖିଦୃଶିଆ ବ୍ୟୟବରାଦ କରୁଥିଲେ ମଧ୍ୟ ୮୨୯ଏକର ଜମି ଅଧିଗ୍ରହଣ ଓ ୧୬୭୪ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇପାରି ନଥିବାରୁ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି ବୋଲି ଜଣାପଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପରୋକ୍ଷରେ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳମାର୍ଗ ନିର୍ମାଣ କାର୍ଯ୍ୟରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳମାର୍ଗ ପାଇଁ ୩୭୨୯କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୧୪୯୭କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ମହୀପୁର(୭୭କିମି) ଓ ବଲାଙ୍ଗିର- ବିଚୁପାଲ୍ଲି (୧୫କିମି) ପର୍ଯ୍ୟନ୍ତ ମୋଟ ୯୨କିମି ରେଳମାର୍ଗରେ ରେଳ ଚଳାଚଳ ଆରମ୍ଭ ହୋଇଛି । ମହୀପୁର-ନୂଆଗାଁ-ବୁଗୁଡ଼ା(୪୫କିମି), ପୁରୁଣାକଟକ-ବୌଦ୍ଧ-ସୋନପୁର(୬୫କିମି) ଓ ସୋନପୁର-ଝର୍ତ୍ତାଭା-ବିଚୁପାଲ୍ଲୀ(୩୭କିମି) କାର୍ଯ୍ୟ ଏବେ ହାତକୁ ନିଆଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୬୧୬୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ଥିବାବେଳେ ୧୮୪୪ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଦରକାର । ତେବେ ଏଥିରୁ ମୋଟ ୫୩୩୩ ଏକର ଜମି ଅଧିଗ୍ରହଣ ହୋଇସାରିଛି ଓ ମାତ୍ର ୧୭୦ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ସରିଛି । ରାଜ୍ୟ ସରକାର ଆଉ ୮୨୯ଏକର ଜମିର ଅଧିଗ୍ରହଣ କରିବା କାର୍ଯ୍ୟ ବାକି ରଖିଛନ୍ତି ଓ ୧୬୭୪ଏକର ଜଙ୍ଗଲ ଜମିର କିସମ ମଧ୍ୟ ପରିବର୍ତ୍ତନ ହୋଇନାହିଁ ।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବିଭିନ୍ନ ଦିଗ ଉପରେ ନିର୍ଭର କରେ । ରାଜ୍ୟ ସରକାରଙ୍କ ଦ୍ୱାରା ତ୍ୱରିତ୍ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗ ଦ୍ୱାରା ଜଙ୍ଗଲ ଅନୁମତି, ବିଭିନ୍ନ କର୍ତ୍ତୃପକ୍ଷଙ୍କଠୁ କ୍ଲିଅରାନ୍ସ, ଅଂଚଳର ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ଗୁୁରୁତ୍ୱ ବହନ କରେ । ତେଣୁ ଏସବୁ ଦେଖିଲେ ପ୍ରକଳ୍ପ କାର୍ଯ୍ୟ କେବେ ଶେଷ ହେବ ନିର୍ଦ୍ଧିଷ୍ଟ ଭାବେ କହିବା ସମ୍ଭବପର ନୁହେଁ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିବା ସହ ପରୋକ୍ଷରେ ରାଜ୍ୟ ଉପରେ ଦୋଷ ଲଦିଛନ୍ତି ।

ସୂଚନାଯୋଗ୍ୟ, ୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧ ରୋଡ-ବଲାଙ୍ଗିର ମଧ୍ୟରେ ୨୮୯ କିମିର ନୂଆ ରେଳମାର୍ଗ ନିର୍ମାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା । ଏଥିପାଇଁ ୩୭୯୮.୮୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ୨୦୧୯-୨୦ରେ ୩୫୦କୋଟି ଟଙ୍କା, ୨୦୨୧-୨୨ରେ ୧୦୦୦.୫୦କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଥିଲାବେଳେ ୨୦୨୨-୨୩ରେ ଏହି ପ୍ରକଳ୍ପ ପାଇଁ ୮୯୧କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ୨୮୯ କିମି ପ୍ରକଳ୍ପକୁ ୨ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ୧୧୨କିମି ରେଳମାର୍ଗକୁ ରେଳବାଇ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ପାଣ୍ଠିରେ ନିର୍ମାଣ କରୁଥିବାବେଳେ ବାକି ୧୭୭କିମି ରାସ୍ତାକୁ ଓଡ଼ିଶା ସରକାର ଓ ରେଳବାଇ ମନ୍ତ୍ରଣାଳୟ ମିଳିତ ଭାବେ ନିର୍ମାଣ କରୁଛନ୍ତି । ଏହି ୧୭୭କିମି ରେଳମାର୍ଗ ପାଇଁ ଆବଶ୍ୟକ ଜମିକୁ ସମ୍ପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାର ଦେବା ସହ ନିର୍ମାଣ କାର୍ଯ୍ୟର ୫୦ ପ୍ରତିଶତ ଅର୍ଥ ବହନ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଦୀଘବର୍ଷ ଧରି ଏହି ରେଳମାର୍ଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ।

Related story