ଶ୍ରୀକ୍ଷେତ୍ରରେ ମୂଷା ନଦୀର ସମ୍ପ୍ରସାରଣ: ୩ଟି ମୌଜାରେ ହେବ ଗ୍ରାମସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟରେ ମୂଷା ନଦୀର ସମ୍ପ୍ରସାରଣକୁ ସାମିଲ କରାଯାଇଛି। ଆଉ ଏହି ନଦୀ ସମ୍ପ୍ରସାରଣରେ ୩ଟି ମୌଜାର ଲୋକେ କ୍ଷତିଗ୍ରସ୍ତ ହେଉଥିବାବେଳେ ରାଜ୍ୟ ସରକାର ଏବେ ଗ୍ରାମସଭା କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ମୂଷା ନଦୀ ସମ୍ପ୍ରସାରଣ ନିମନ୍ତେ ଭୂମି ଅଧିଗ୍ରହଣ କରିବା ପୂର୍ବରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। […]

musa

musa

Ranjit Kumar Jena
  • Published: Friday, 23 October 2020
  • Updated: 23 October 2020, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟରେ ମୂଷା ନଦୀର ସମ୍ପ୍ରସାରଣକୁ ସାମିଲ କରାଯାଇଛି। ଆଉ ଏହି ନଦୀ ସମ୍ପ୍ରସାରଣରେ ୩ଟି ମୌଜାର ଲୋକେ କ୍ଷତିଗ୍ରସ୍ତ ହେଉଥିବାବେଳେ ରାଜ୍ୟ ସରକାର ଏବେ ଗ୍ରାମସଭା କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ମୂଷା ନଦୀ ସମ୍ପ୍ରସାରଣ ନିମନ୍ତେ ଭୂମି ଅଧିଗ୍ରହଣ କରିବା ପୂର୍ବରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଭୂଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ୍ ମୂଲ୍ୟ ଓ ସ୍ୱଚ୍ଛତା ଅଧିକାର ଆଇନ-୨୦୧୩ର ଧାରା ୪ ଅନୁସାରେ ଏହି ସର୍ବେକ୍ଷଣ କରାଯିବ। ପୁରୀ ଜିଲ୍ଲାପାଳଙ୍କ ଅନୁରୋଧ ଆଧାରରେ ରାଜସ୍ୱ ବିଭାଗ ବୁଧବାର ଏହି ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପୁରୀଠାରେ ମୂଷା ନଦୀର ସମ୍ପ୍ରସାରଣ ନିମନ୍ତେ ନବକୃଷ୍ଣ ଚୌଧୁରୀ ଗବେଷଣା କେନ୍ଦ୍ରର ପଞ୍ଜିକୃତ ସଂସ୍ଥା କର୍ତ୍ତବ୍ୟ ଦ୍ୱାରା ସାମାଜିକ ପ୍ରଭାବ ନିର୍ଦ୍ଧାରଣ କରାଯିବ। ଏହି ମୂଷା ନଦୀ ସମ୍ପ୍ରସାରଣର ପ୍ରସ୍ତାବିତ ପ୍ରକଳ୍ପ ଅନୁସାରେ ପୁରୀ ସଦରର ୩ଟି ମୌଜାର ୪୬.୬୦୯ ଏକର ପରିସୀମାରେ ମୂଷା ନଦୀର ସମ୍ପ୍ରସାରଣ ନିମନ୍ତେ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ୁଛି। ଏଥିରେ ପୁରୀ ସହରର ସମଙ୍ଗ, ମାଟିତୋଟା ଓ ମାର୍କେଣ୍ଡେଶ୍ୱର ସାହିର ମୋଟ ୩୭.୬୨୯ଏକର ଘରୋଇ ଜମି ଓ ୮.୯୮୦ଏକର ସରକାରୀ ଜମି ସାମିଲ ଅଛି।

ପ୍ରଭାବିତ ଅଂଚଳରେ ଥିବା ଗ୍ରାମବାସୀଙ୍କ ପରାମର୍ଶକ୍ରମେ ଏହି ସର୍ବେକ୍ଷଣ କରାଯିବ। ଏସଆଇଏ ସର୍ବେକ୍ଷଣ କ୍ଷେତ୍ର ପରିଦର୍ଶନ, ପ୍ରଭାବିତ ବ୍ୟକ୍ତିଙ୍କ ସାମୂହିକ ଆଲୋଚନା ଓ ପ୍ରଭାବିତ ବ୍ୟକ୍ତିଙ୍କ ମତାମତ ଚୂଡ଼ାନ୍ତ ରିପୋର୍ଟରେ ସ୍ଥାନିତ ହେବ। ଭୂମି ଅଧିଗୃହୀତ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ଶତକଡ଼ା ୨୫ ଭାଗ ପ୍ରଭାବିତ ସମସ୍ତ ଗ୍ରାମସଭାମାନଙ୍କରେ ଜନଶୁଣାଣି କରାଯିବ। ଏହି ଭୂମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା ଓ ଭୂମି ମାଲିକଙ୍କ ସହମତି ଆବଶ୍ୟକ ଜରୁରୀ ପଡ଼ିବ। ଏହି ସର୍ବେକ୍ଷଣ ଆରମ୍ଭ ହେବାର ୪୫ଦିନ ମଧ୍ୟରେ ରିପୋର୍ଟକୁ ସରକାରୀ ବିଜ୍ଞପ୍ତି ଆକାରରେ ପ୍ରଭାବିତ ୱାର୍ଡ ଅବା ଗ୍ରାମସ୍ତରରେ ସ୍ଥାନୀୟ ଭାଷାରେ ପ୍ରକାଶନ କରାଯିବ। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ସର୍ବସାଧାରଣଙ୍କ ନିମନ୍ତେ ୱେବସାଇଟ୍ ମାଧ୍ୟମରେ ସୂଚିତ କରାଇବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ନିମନ୍ତେ ଶ୍ରୀମନ୍ଦିର ଓ ସହରର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହାବ୍ୟତୀତ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୋଚି ସାହିରେ ମହୋଦଧି ମାର୍କେଟ କମ୍ପେ୍ଲକ୍ସ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଦୀର ସମ୍ପ୍ରସାରଣ ନିମନ୍ତେ ମୋଟ ୫୧୧.୪୮କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos