ବୀରମିତ୍ରପୁର(ରାକେଶ କୁମାର ସାହୁ): ମୁଁ କଟକ ବୋର୍ଡ ଅଫିସରୁ କହୁଛି... ତୁମ ପିଲା ଅମୁକ ବିଷୟରେ ଫେଲ୍ ହୋଇଛି। ଅନ୍ଲାଇନ୍ରେ ଟଙ୍କା ଟ୍ରାନ୍ସଫର କଲେ ତୁମ ପିଲାକୁ ପାସ୍ କରାଇ ଦିଆଯିବ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ ଏପରି କଲ୍ ଆସୁଛି। ଏହି କଲ୍ କିଏ କରୁଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଫୋନ୍ କରୁଥିବା ବ୍ୟକ୍ତି ଜଣକ ହିନ୍ଦୀରେ କଥା ହେଉଛି। ସେ କହୁଛନ୍ତି, “ଆସନ୍ତା ଜୁନ୍ ଶେଷ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ ଫେଲ୍ ହୋଇଛି। ଯଦି କହିବେ, ଆମେ ଆପଣଙ୍କ ପିଲାକୁ ପ୍ରଥମ ଶ୍ରେଣୀରେ ପାସ୍ କରାଇଦେବୁ। ଏଥିପାଇଁ ଆପଣ ବୋର୍ଡ ଅଧିକାରୀଙ୍କୁ ୮୦୦୦ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ୬୦୦୦ ଟଙ୍କା ଦେବାକୁ ପଡ଼ିବ। ଯେତେ ଶୀଘ୍ର ବୋର୍ଡ ଅଧିକାରୀଙ୍କୁ ଅନ୍ ଲାଇନରେ ଟଙ୍କା ପଠାଇବେ, ସେତେ ଶୀଘ୍ର ଆପଣଙ୍କ କାମ ହୋଇଯିବ।”
ଗୁରୁବାର ଦିନ ତମାମ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ ଏପରି ଫେକ୍ କଲ ଆସୁଛି। ଫୋନ୍ କରୁଥିବା ବ୍ୟକ୍ତି କାହାକୁ ଗଣିତ, ଇଂରାଜୀ ତ ଅନ୍ୟ କାହାକୁ ଭୂଗୋଳ, ସଂସ୍କୃତରେ ଫେଲ୍ ବୋଲି କହି ଭୟଭୀତ କରାଉଛନ୍ତି। କରୋନା ଲକ୍ଡାଉନ୍ର ବେଳେ ସାଇବର ଠକ।ମାନେ ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାଁ, ପିତାଙ୍କ ନାଁ ଓ ଠିକଣା, ଫୋନ ନମ୍ବର ତାଲିକା ବୋର୍ଡ ଅଫିସରୁ ହାତେଇଥିବା ଅଭିଯୋଗ ହେଉଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ସାଇବର ଠକଙ୍କୁ ଛାତ୍ରଛାତ୍ରୀଙ୍କ ପୂରା ତଥ୍ୟା ଦେଉଛି କିଏ? ଏହା ପଛରେ କେହି ବୋର୍ଡର କର୍ମଚାରୀ ନାହାନ୍ତି ତ? ଏହା ଏବେ ତଦନ୍ତ ସାପେକ୍ଷ। ଜିଲ୍ଲା ପୁଲିସ ଏପରି ମାମଲାକୁ ଖୋଳ ତାଡ କରିବାର ଆବଶ୍ୟକତା ରହିଛି ବୋଲି ଅଭିଭାବକମାନେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।